ନୂଆଦିଲ୍ଲୀ ୧।୧: ଶିକ୍ଷା ମନ୍ତ୍ରାଳୟଙ୍କ ୟୁଡିଆଇଏସଇ ଡାଟା ଦେଖିଲେ ୨୦୨୩-୨୪ ବର୍ଷରେ ଭାରତୀୟ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କ ଆଡମିସନ ୨୦୨୨-୨୩ ତୁଳନାରେ ୩୭ ଲକ୍ଷ କମ ହୋଇଛି। ସାରା ଦେଶର ସ୍କୁଲ ଶିକ୍ଷା ତଥ୍ୟ ଏକତ୍ର କରିବା ପାଇଁ ଶିକ୍ଷାମନ୍ତ୍ରାଳୟ ଏହାର ପ୍ରବନ୍ଧନ କରନ୍ତି। ୨୦୨୨-୨୩ରେ ଆଡମିସନ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୫.୧୭ କୋଟି ଥିଲା। ୨୦୨୩-୨୪ରେ ଏହି ସଂଖ୍ୟା ୨୪.୮୦ କୋଟି ରହିଛି।
ସମୀକ୍ଷାଧିନ ଅବଧିରେ ଛାତ୍ରୀମାନଙ୍କ ସଂଖ୍ୟାରେ ୧୬ଲକ୍ଷ ହ୍ରାସ ଦେଖାଯାଇଛି। ସେହିପରି ଛାତ୍ରଙ୍କ ସଂଖ୍ୟା ମଧ୍ୟ ୨୧ ଲକ୍ଷ କମିଛି। ବିଭିନ୍ନ ବିଦ୍ୟାଳୟମାନଙ୍କରେ ଆଡମିସନ କରିଥିବା ସଂଖ୍ୟାଲଘୁଙ୍କ ପ୍ରତିନିଧିତ୍ୱ ୨୦ ପ୍ରତିଶତ ଥିଲା। ସଂଖ୍ୟାଲଘୁଙ୍କ ମଧ୍ୟରେ ୭୯.୬ ପ୍ରତିଶତ ମୁସଲମାନ ଥିବା ବେଳେ ୬.୯ ପ୍ରତିଶତ ଶିଖ, ୨.୨ ପ୍ରତିଶତ ବୌଦ୍ଧ, ୧.୩ ପ୍ରତିଶତ ଜୈନ ଓ ୦.୧ ପ୍ରତିଶତ ପାରସୀ ଥିଲେ। ଜାତୀୟ ସ୍ତରରେ ୟୁଡିଆଇଏସଇ ପ୍ଲସ୍ ରେ ପଞ୍ଜିକୃତ ୨୬.୯ ପ୍ରତିଶତ ଛାତ୍ରଛାତ୍ରୀ ସାଧାରଣ ଶ୍ରେଣୀର ହୋଇଥିବା ବେଳେ ଅନୁସୂଚିତ ଜାତିରୁ ୧୮ ପ୍ରତିଶତ, ଅନୁସୂତିକ ଜନଜାତିରୁ ୯.୯ ପ୍ରତିଶତ ଓ ଅନ୍ୟାନ୍ୟ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୪୫.୨ ପ୍ରତିଶତ ଥିଲା।
ୟୁଡିଆଇଏସଇ ପ୍ଲସ୍ ନିର୍ଦ୍ଧିଷ୍ଟତା ପ୍ରମାଣିତ କରିବାକୁ ୨୦୨୩-୨୪ରୁ ସ୍ୱେଚ୍ଛାକୃତ ଭାବେ ଛାତ୍ରଛାତ୍ରୀଙ୍କ ଆଧାର ନମ୍ବର ସହିତ ସେମାନଙ୍କ ଡାଟା ଏକତ୍ର କରିବାକୁ ଉଦ୍ୟମ କରାଯାଇଥିଲା। ୨୦୨୩-୨୪ପର୍ଯ୍ୟନ୍ତ ମୋଟ ମିସାଇ ୧୯.୭ କୋଟିରୁ ଅଧିକ ଛାତ୍ରଛାତ୍ରୀ ଆଧାର ନମ୍ବର ଉପଲବ୍ଧ କରାଇଛନ୍ତି। ୨୦୩୦ ମସିହା ସୁଦ୍ଧା ଡ୍ରପ ଆଉଟ୍ କମ କରିବା ଓ ସବୁ ସ୍ତର ପର୍ଯ୍ୟନ୍ତ ଶିକ୍ଷାକୁ ପହଞ୍ଚାଇବା ପାଇଁ ଜାତୀୟ ଶିକ୍ଷାନୀତି ୨୦୨୦ରେ ଲକ୍ଷ ଧାର୍ଯ୍ୟ କରାଯାଇଛି।