ଆସନ୍ତକାଲିଠୁ ବିଧାନସଭା ଶୀତ କାଳୀନ ଅଧିବେଶନ, ଦୁଲୁକିବ ଗୃହ

Published By : Prameya-News7 Bureau | November 25, 2024 IST

News7

ଭୁବନେଶ୍ଵର: ଆସନ୍ତକାଲିଠୁ ଆରମ୍ଭ ହେବ ବିଧାନସଭା ଶୀତ କାଳୀନ ଅଧିବେଶନ। ଏହି ଶୀତ କାଳୀନ ଅଧିବେଶନକୁ ସୁରୁଖୁରରେ ଚଳାଇବା ପାଇଁ  ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିବା ବେଳେ, ତିନି ରାଜନୈତିକ ଦଳ ବିଧାୟକ ଦଳ ବୈଠକ ବସାଇ ରଣନୀତି ସ୍ଥିର କରିଛନ୍ତି। ଏହି ଅଧିବେଶନରେ ପ୍ରଥମ ଅତିରିକ୍ତ ବିଜେଟ ମୁଖ୍ୟମନ୍ତ୍ରୀ ଆଗତ କରିବେ। ତେବେ ଏଥର ଅଧିବେଶନ ହେବେ ବେଶ୍ ସରଗରମ। କାରଣ ବିରୋଧୀ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବେ। ସେପଟେ ସରକାର ବିରୋଧୀଙ୍କୁ ସାମ୍ନା କରିବା ପାଇଁ ପ୍ରସ୍ତୁତ।

ଏଥର ଅଧିବେଶନ ସୁରୁଖୁରରେ ଚାଲିବା ପାଇଁ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ। ଏଥିରେ ମୁଖ୍ୟମନ୍ତ୍ରୀ, ସଂସଦୀୟ ବ୍ୟପାର ମନ୍ତ୍ରୀ, ଆଇନ ମନ୍ତ୍ରୀ, ବିରୋଧୀ ଦଳ ମୁଖ୍ୟ ସଚେତକ  ଏବଂ କଂଗ୍ରେସ ବିଧାୟକ ଦଳ ନେତା ଯୋଗ ଦେଇଥିଲେ। ବୈଠକ ପରେ ବାଚସ୍ପତି କହିଛନ୍ତି ନଭେମ୍ବର ୨୬ରୁ ବିଧାନସଭା ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ।  ଏଥିରେ ରହିଛି ୩୦ଟି କାର୍ଯ୍ୟ ଦିବସ। ବିଧାନସଭା କାର୍ଯ୍ୟବିଧି ଅନୁସାରେ କେମିତି ସୁରୁଖୁରରେ ବିଧାନସଭା ଚାଲିବ ସେନେଇ ସବୁ ଦଳର ନେତୃବୃନ୍ଦଙ୍କ ସହ ଆଲୋଚନା ହୋଇଛି। ଏବଂ ଆଲୋଚନା ସଫଳ ହୋଇଥିବା ବାଚସ୍ପତି କହିଛନ୍ତି।

Also read: ଶୀତ ଅଧିବେଶନ ପାଇଁ କଡ଼ାକଡି ସୁରକ୍ଷା, ୨୪ ପ୍ଲାଟୁନ୍ ଫୋର୍ସ ମୁତୟନ 

ଏପଟେ ଶୀତକାଳୀନ ଅଧିବେଶନ ପାଇଁ ବିଜେପି, ବିଜେଡି  ଓ କଂଗ୍ରେସ  ବିଧାୟକ ଦଳ ବୈଠକ ବସାଇ ରଣନୀତି ସ୍ଥିର କରିଛନ୍ତି। ଶଙ୍ଖ ଭବନରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ବିଜେଡି ବିଧାୟକ ଦଳ ବୈଠକ। ଆଇନଶୃଙ୍ଖଳା ସ୍ଥିତି, ଧାନକିଣାରେ ଅବ୍ୟବସ୍ଥା, ଆଅମ୍ବଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା ଆଦିକୁ ପ୍ରସଙ୍ଗ କରିବ ବୋଲି ବିଜେଡି କହିଛି।- ସେପଟେ କଂଗ୍ରେସ କହିଛି ଏଥର ସରକାର ଆଉ ଶିଶୁ କହି ଖସିପାରିବେ ନାହିଁ। ୫ ବର୍ଷର ଶାସନ କାଳରେ ୫ ମାସ ବହୁତ ମାନେ ରଖେ।ତେଣୁ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଜବାବ ଦେବାକୁ ବାଧ୍ୟ କରାଯିବ। 

ତେବେ ସରକାରୀ ଦଳ ବିରୋଧୀ ଦଳକୁ ସାମ୍ନା କରିବା ବଡ ଚ୍ୟାଲେଞ୍ଜ ହେବ। କାରଣ ଏଥର ବିରୋଧୀଙ୍କ ହାତରେ ପୁଳା ପୁଳା ପ୍ରସଙ୍ଗ। ତେଣୁ ବିଜେପି ତାର ବିଧାୟକ ଦଳ ବୈଠକ ବସାଇ ରଣନୀତି ପ୍ରସ୍ତୁତ କରିଛି।ଏହି ବୈଠକରେ ମୁଖ୍ୟମନ୍ତ୍ରୀ, ବିଜେପି ରାଜ୍ୟସଭାପତି ଏବଂ ସଙ୍ଗଠନ ସମ୍ପାଦକ ଉପସ୍ଥିତ ରହିଥିଲେ। ବୈଠକ ପରେ ମୁକେଶ ମହାଲିଙ୍ଗ କହିଛନ୍ତି ଶୀତ କାଳୀନ ଅଧିବେଶନ ପାଇଁ ସରକାର ସମ୍ପୂଣ୍ଣ ପସ୍ତୁତ। କାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଅତିରିକ୍ତ ବଜେଟ ଆଗତ କରିବେ। ଡିସେମ୍ବର ୫ ତାରିଖରେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ ଉପରେ ଆଲୋଚନା ହୋଇ ପାରିତ ହେବ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.