ରାଞ୍ଚୀ ୨୫।୧୧: ଝାଡ଼ଖଣ୍ଡ ବିଧାନସଭାରେ ଏଥର ସରକାର ବଦଳିବନି ସତ ହେଲେ ସଦନରୁ ଏକ ଏପରି ଚୌକି ହଟିଯିବ ଯାହାର ସମ୍ପର୍କ ଝାଡ଼ଖଣ୍ଡ ରାଜ୍ୟଗଠନ ସହ ଥିଲା। ଝାଡଖଣ୍ଡ ବିଧାନସଭାରେ ଏ ପର୍ଯ୍ୟନ୍ତ ୮୨ ଜଣ ବିଧାୟକ ଦେଖାଯାଉଥିଲେ। ହେଲେ ଏଠାରେ ଆସନ ସଂଖ୍ୟା ୮୧। ଏଥର ୮୧ ବିଧାୟକଙ୍କ ନିମନ୍ତେ ଗୃହରେ ୮୧ଟି ହିଁ ଚୌକି ରହିବ। ଅତିରିକ୍ତ ଗୋଟିଏ ଆସନ ହଟିବ। ୮୨ ନମ୍ବର ବିଧାୟକ ନିର୍ବାଚନରେ ଜିତି ସଦନକୁ ଆସି ନଥାନ୍ତି। ଏହି ବିଧାୟକ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ହୋଇଥାନ୍ତି।
ଏଥର ଝାଡଖଣ୍ଡରେ ଗଠିତ ହେବାକୁ ଯାଉଥିବା ବିଧାନସଭାରେ ସଦସ୍ୟଙ୍କ ସଂଖ୍ୟ ୮୨ରୁ ହ୍ରାସ ହୋଇ ୮୧ ରହିବ। ଏହାର କାରଣ ବିଧାନସଭାରେ ୮୨ନମ୍ବର ବିଧାୟକ ରୂପେ ଆଙ୍ଗ୍ଲୋଇଣ୍ଡିଆନ ସମୂଦାୟର କୌଣସି ବ୍ୟକ୍ତିଙ୍କୁ ମନୋନୀତ କରିବାର ସାମ୍ବିଧାନିକ ବ୍ୟବସ୍ଥା ଏବେ ସମାପ୍ତ ହୋଇଯାଇଛି। ୨୦୧୯ ମସିହାରେ ଝାଡ଼ଖଣ୍ଡର ପଞ୍ଚମ ବିଧାନସଭା ଗଠନ କାଳରେ ରାଜ୍ୟ ସରକାର ମ୍ୟାକଲୁସ୍କିଗଞ୍ଜର ଗ୍ଲେନ ଜୋସେଫ ଗଲଷ୍ଟେନଙ୍କୁ ସଦନର ୮୨ନମ୍ବର ସଦସ୍ୟ ରୂପେ ମନୋନୀତ କରିଥିଲେ। ପଞ୍ଚମ ବିଧାନସଭା ବିଘଟନର ଅଧିସୂଚନା ଜାରି ହେବାମାତ୍ରେ ତାଙ୍କର ଏହି ଷ୍ଟାଟସ ସମାପ୍ତ ହୋଇଯିବ।
ଦେଶର ସଂସଦ ତଥା ବିଭିନ୍ନ ରାଜ୍ୟର ବିଧାନସଭାମାନଙ୍କରେ ୧୯୫୨ମସିହାରେ ପ୍ରଚଳିତ ସାମ୍ବିଧାନିକ ବ୍ୟବସ୍ଥା ସମାପ୍ତ କରି ଦିଆଯାଇଛି। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୩୪(ବି) ଅନୁସାରରେ ଲୋକସଭାରେ ଆଙ୍ଗ୍ଲୋ ଇଣ୍ଡିଆନ ସମୂଦାୟର ସର୍ବାଧିକ ୨ ଜଣ ସଦସ୍ୟଙ୍କୁ ରାଷ୍ଟ୍ରପତି ମନୋନୀତ କରୁଥିଲେ। ସେହିପରି ଅନୁଚ୍ଛେଦ ୩୩୩ ଅନ୍ତର୍ଗତ ରାଜ୍ୟ ବିଧାନସଭା ମାନଙ୍କରେ ଅଧିକତମ ଜଣେ ସଦସ୍ୟଙ୍କୁ ମନୋନୀତ କରିବାର ଅଧିକାର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା।
ତେବେ ୨୦୨୦ମସିହାରେ ସଂସଦରେ ଗୃହୀତ ୧୨୬ତମ ସମ୍ବିଧାନ ସଂଶୋଧନରେ ସଂସଦ ଓ ଦେଶର ୧୩ ରାଜ୍ୟଙ୍କ ବିଧାନସଭାରେ ଆଙ୍ଗ୍ଲୋଇଣ୍ଡିଆନ ମନୋନୟନର ବ୍ୟବସ୍ଥା ସମାପ୍ତ କରିଦିଆଯାଇଥିଲା। ଝାଡ଼ଖଣ୍ଡ ଯେବେ ବିହାରର ଅଂଶ ହୋଇଥିଲା ସେତେବେଳେ ରାଜ୍ୟ ବିଧାନସଭା ସଦସ୍ୟଙ୍କ ସଂଖ୍ୟା ୩୨୫ ରହୁଥିଲା। ୩୨୪ ଜଣ ବିଧାୟକ ବିଭିନ୍ନ ନିର୍ବାଚନମଣ୍ଡଳିରୁ ନିର୍ବାଚିତ ହେଉଥିବା ବେଳେ ୩୨୫ତମ ସଦସ୍ୟ ରୂପେ ରାଜ୍ୟପାଳ ଜଣେ ଆଙ୍ଗ୍ଲୋଇଣ୍ଡିଆନ ମନୋନୟନ କରୁଥିଲେ।
ନଭେମ୍ବର ୨୦୦୦ ମସିହାରେ ଝାଡ଼ଖଣ୍ଡ ଯେବେ ରାଜ୍ୟ ରୂପେ ଅସ୍ତିତ୍ୱକୁ ଆସିଲା ସେତେବେଳେ ଆଙ୍ଗ୍ଲୋଇଣ୍ଡିଆନ କୋଟା ବିହାରରୁ ଝାଡ଼ଖଣ୍ଡ ସ୍ଥାନାନ୍ତରିତ ହୋଇଥିଲା। ଏହା ପରେ ଜୋସେଫ ପଞ୍ଚୋଲୀ ଗ୍ଲେଷ୍ଟିନ ୨୦୦୫ ମସିହାରେ ଆଙ୍ଗ୍ଲୋଇଣ୍ଡିଆନ ବିଧାୟକ ମନୋନୀତ ହୋଇଥିଲେ। ୨୦୦୯ ମସିହାରେ ତାଙ୍କୁ ଦ୍ୱିତୀୟବାର ମଧ୍ୟ ମନୋନୀତ କରାଯାଇଥିଲା। ୨୦୧୪ ଓ ୨୦୧୯ରେ ତାଙ୍କ ପୁଅ ଗ୍ଲେନ ଜୋସେଫ ଗଲଷ୍ଟେନ ବିଧାୟକ ମନୋନୀତ ହୋଇଥିଲେ।