ପାଖାପାଖି ୪୦ ବର୍ଷ ପରେ ଇରାକରେ ହେଲା ଜନଗଣନା, ଜାଣନ୍ତୁ ଏବେ ଦେଶର ଜନସଂଖ୍ୟା କେତେ?

Published By : Prameya-News7 Bureau | November 25, 2024 IST

ବଗଦାଦ ୨୫।୧୧: ଇରାକରେ ପାଖାପାଖି ୪୦ ବର୍ଷ ପରେ ଜନ ଗଣନା ହୋଇଛି। ପ୍ରାରମ୍ଭିକ ଫଳାଫଳରୁ ଜଣାପଡିଛି ଦେଶର ଜନସଂଖ୍ୟା ବଢି ୪.୫୪ କୋଟି ହୋଇଯାଇଛି। ଇରାକ ପ୍ରଧାନମନ୍ତ୍ରୀ ସୋମବାର ଏହି ସୂଚନା ଦେଇଛନ୍ତି। ଚଳିତମାସ ପ୍ରାରମ୍ଭରେ କରାଯାଇଥିବା ଦେଶବ୍ୟାପୀ ଜନସଂଖ୍ୟା ଜନଗଣନା ସଂଘର୍ଷ ଓ ରାଜନୈତିକ ବିଭାଜନ ଯୋଗୁ ଦୀର୍ଘ ସମୟ ହେଲା ପ୍ରଭାବିତ ଦେଶର ଜନସଂଖ୍ୟା ତଥ୍ୟ ସଂଗ୍ରହ ଓ ଯୋଜନାକୁ ଆଧୁନିକ କରିବା ପାଇଁ ନିଆଯାଇଥିବା ପ୍ରଥମ ପଦକ୍ଷେପ। 

ପ୍ରଧାନମନ୍ତ୍ରୀ ମହମ୍ମଦ ଶିଆ ଅଲ-ସୁଦାନୀ ସୋମବାର କହିଛନ୍ତି ଯେ ପ୍ରାରମ୍ଭିକ ଫଳାଫଳରୁ ଯାହା ଜଣା ପଡେ ଦେଶର ଜନସଂଖ୍ୟା ୪.୪୫ କୋଟି ହୋଇଯାଇଛି। ତେବେ ୨୦୦୯ ମସିହାରେ କରାଯାଇଥିବା ଏକ ଅନୌପଚାରିକ ଗଣନାରେ ଅନୁମାନ କରାଯାଇଥିଲା ଯେ ଦେଶର ଜନସଂଖ୍ୟା ପାଖାପାଖି ୩.୧୬ କୋଟି। ପ୍ରାରମ୍ଭିକ ଜନଗଣନା ଫଳାଫଳ ଅନୁସାରେ ଲିଙ୍ଗ ଅନୁପାତ ପ୍ରାୟ ସମାନ ରହିଛି। ଯେଉଁଥିରେ ପୁରୁଷଙ୍କ ଜନସଂଖ୍ୟା ୫୦.୧ପ୍ରତିଶତ ଥିବା ବେଳେ ମହିଳା ଜନସଂଖ୍ୟା ୪୯.୮ ପ୍ରତିଶତ ରହିଛି। 

ଇରାନରେ ଶେଷଥର ପାଇଁ ୧୯୮୭ ମସିହାରେ ଜନଗଣନା ହୋଇଥିଲା। ତେବେ ୧୯୯୭ରେ ହୋଇଥିବା ଜନଗଣନାରେ କୁର୍ଦ୍ଦ କ୍ଷେତ୍ରକୁ ସାମିଲ କରାଯାଇ ନଥିଲା। ଇରାକ ସରକାରରେ ମନ୍ତ୍ରୀ ମହମ୍ମଦ ତମିମ କହିଛନ୍ତି ଯେ ନୂଆ ଜନଗଣନା ଭବିଷ୍ୟତ ନିମନ୍ତେ ବିକାଶର ରୋଡ ମ୍ୟାପ୍ ପ୍ରସ୍ତୁତ କରିବ ଓ ଦେଶରେ ସ୍ଥିରତାର ବାର୍ତ୍ତା ଦେଉଛି। ଅଧିକାରୀଙ୍କ ଅନୁସାରେ ଦେଶରେ ପ୍ରଥମ ଥର ଜନଗଣନା କରାଯାଉଛି। ଯେଉଁଥିରେ ଡାଟା ଏକତ୍ର କରିବା ଓ ଏହାକୁ ବିଶ୍ଲେଷଣ କରିବା ପାଇଁ ଉନ୍ନତ ବୈଷୟିକର ଉପଯୋଗ କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.