ମହଙ୍ଗା ପଡିଲା କି ଡ୍ରାଗନ ସହ ବନ୍ଧୁତା, ପାକିସ୍ତାନ ପରେ ଦେବାଳିଆ ହେଲା ନେପାଳ

Published By : Prameya-News7 Bureau | November 25, 2024 IST

କାଠମାଣ୍ଡୁ ୨୫/୧୧: ମହଙ୍ଗା ପଡିଛି ଚୀନ ସହ ବନ୍ଧୁତା । ପାକିସ୍ତାନ ପରେ କାଙ୍ଗାଳ ସ୍ଥିତିରେ ନେପାଳ । ଗମ୍ଭୀର ଆର୍ଥିକ ସଂକଟ ଦେଇ ଗତି କରୁଛି ଦେଶ । ଆମଦାନୀ ଓ ରପ୍ତାନୀ କ୍ଷେତ୍ରରେ ଦେଖାଦେଇଛି  ଅସନ୍ତୁଳନ । ଜୁଲାଇରୁ ନଭେମ୍ୱରରେ ୪୬୦ ବିଲିୟନ ଡଲାର କ୍ଷତି ହୋଇଛି । ଆର୍ଥିକ ବର୍ଷର ୪ମାସରେ ୫୧୩ ବିଲିୟନ ସାମଗ୍ରୀ ଆମଦାନୀ ହୋଇଥିବାବେଳେ ୫୨.୬୭ ବିଲିୟନ ହୋଇଛି ରପ୍ତାନୀ । ଯାହାକି ଆର୍ଥିକ ସଂକଟର ମୂଳ କାରଣ ବୋଲି କୁହାଯାଉଛି ।   

କଷ୍ଟମ୍‌ସ ବିଭାଗ ରିପୋର୍ଟ କହୁଛି ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରି ମାସରେ ନେପାଳର ବିତ୍ତିଅ ନିଅଣ୍ଟ ୪୬୦.୭୧ ବିଲିୟନରେ ପହଞ୍ଚିଛି । ଗତ ବର୍ଷ ତୁଳନାରେ କଷ୍ଟମ୍‌ସ ବିଭାଗ ଅନୁଯାୟୀ, ଏଥର ଜୁଲାଇରୁ ନଭେମ୍ବର ମଧ୍ୟଭାଗରେ ଆମଦାନୀରେ ୦.୧୭ ପ୍ରତିଶତ ବୃଦ୍ଧି ଏବଂ ରପ୍ତାନୀରେ ୪.୧୬ ପ୍ରତିଶତ ବୃଦ୍ଧି ଘଟିଛି । ଏହି ଅବଧି ମଧ୍ୟରେ ନେପାଳର ଭାରତ ସହିତ ବ୍ୟବସାୟିକ ସମ୍ପର୍କ ଉପରେ ବିଶେଷ ପ୍ରଭାବ ପଡିଛି । 


ଫଳରେ ଉଭୟଙ୍କ ମଧ୍ୟରେ ୨୮୧ ବିଲିୟନ କ୍ଷତି ହୋଇଛି। ଉଦାହରଣ ସ୍ୱରୂପ, କେବଳ ଜୁଲାଇରୁ ନଭେମ୍ବର ମଧ୍ୟରେ ନେପାଳ ଭାରତରୁ ୩୧.୭ ବିଲିୟନ ମୂଲ୍ୟର ସାମଗ୍ରୀ ଆମଦାନୀ କରିଥିଲା । ସେଥିରୁ ଡିଜେଲ (୨୯.୪ ବିଲିୟନ), ପେଟ୍ରୋଲ (୨୧.୫୬ ବିଲିୟନ) ଏବଂ ଏଲପିଜି (୧୮.୮୫ ବିଲିୟନ) ଡଲାର ଥିଲା । ଏହାର ପ୍ରତିବଦଳରେ ନେପାଳ ଭାରତକୁ ମାତ୍ର ୩୬ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଦେଇଛି। 

ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ନେତୃତ୍ୱରେ ନେପାଳ ଚୀନ୍ ସହ ସମ୍ପର୍କକୁ ମଜବୁତ କରିଛି । ଏହି ସମୟରେ ସେ ପୁଣି ଥରେ ଚୀନ୍ ଗସ୍ତ କରିବାକୁ ଯାଉଛନ୍ତି ବୋଲି ଖବର ଆସିଛି । ଓଲି ସରକାର ବିଆରଆଇ (ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍) ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ଯାହାକୁ ବିରୋଧ କରିଥିଲା ଭାରତ । ବୋଧହୁଏ ଏହି କାରଣରୁ ନେପାଳ ଅର୍ଥନୈତିକ କ୍ଷତି ସହିଛି ବୋଲି ଚର୍ଚ୍ଚା ହେଉଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.