୨୦୨୫ ଜାତୀୟ କ୍ରୀଡ଼ା, ଦୌଡ଼କୁଦରେ ଉତ୍କୃଷ୍ଟ ପ୍ରଦର୍ଶନ କରି ୫ ପଦକ ଜିତିଲେ ଓଡ଼ିଶା ଖେଳାଳି

Published By : Prameya-News7 Bureau | February 14, 2025 IST

ଭୁବନେଶ୍ୱର: ଉତ୍ତରାଖଣ୍ଡରେ ୨୦୨୫ ଜାତୀୟ କ୍ରୀଡ଼ାରେ ଓଡ଼ିଶା ଖେଳାଳିମାନେ ଦୌଡ଼କୁଦରେ ଉତ୍କୃଷ୍ଟ ପ୍ରଦର୍ଶନ କରି ୫ଟି ପଦକ ଅର୍ଜନ କରିଛନ୍ତି। ଯେଉଁଥିରେ ଚାରୋଟି ସ୍ୱର୍ଣ୍ଣ ଏବଂ ଏକ ରୌପ୍ୟ ପଦକ ରହିଛି । ଏହା ଓଡ଼ିଶାର ଜାତୀୟ କ୍ରୀଡ଼ାରେ କୌଣସି ଏକ ସଂସ୍କରଣରେ ସର୍ବୋତ୍ତମ ଦୌଡ଼କୁଦ ପ୍ରଦର୍ଶନ ।

ଅନିମେଷ କୁଜୁର ତିନୋଟି ସ୍ୱର୍ଣ୍ଣ ପଦକ ଜିତି ମେଡାଲ ତାଲିକାରେ ଅଗ୍ରଣୀ ଥିଲେ । ସେ ୧୦୦ ମିଟର ଏବଂ ୨୦୦ ମିଟର ସ୍ପ୍ରିଂଟ୍ ଡବଲ୍ ଏବଂ ୪x୧୦୦ ମିଟର ରିଲେରେ ବିଜୟୀ ହୋଇଛନ୍ତି। ତାଙ୍କ ସହ ଡି.ଏମ. ଜୟରାମ, ଲାଲୁ ଭୋଇ, ଏବଂ ଅମୟ କୁମାର ମଲ୍ଲିକ ମଧ୍ୟ ବିଜୟୀ ହୋଇଛନ୍ତି। 

ବାପି ହାଁସଦା ୪୦୦ ମିଟରରେ ୪୬.୮୨ ସେକେଣ୍ଡର ବ୍ୟକ୍ତିଗତ ସର୍ବୋତ୍ତମ ସ୍ପିଡ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ବିଜୟରେ ଖୁସି ପ୍ରକାଶ କରି ବାପି କହିଛନ୍ତି, "ଆହତ କାରଣରୁ ବ୍ରେକ୍ ନେଇ ଫେରିବା ପରେ ମୋର ପ୍ରଥମ ଜାତୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ଜିତିବା ଏବଂ ଏହା ପୁଣି ମୋର ବ୍ୟକ୍ତିଗତ ସର୍ବୋତ୍ତମ ପ୍ରଦର୍ଶନ ସହିତ ହେବା ଏକ ସ୍ୱତନ୍ତ୍ର ଅନୁଭୂତି । ମୁଁ ସୁସ୍ଥ ହେବା ସମୟରେ ଓଡ଼ିଶା ସରକାର ଏବଂ ହାଇ ପରଫର୍ମାନ୍ସ ସେଣ୍ଟରର ମୋ କୋଚ୍‌ମାନଙ୍କ ଅବିଚଳିତ ସମର୍ଥନ ପାଇଁ ମୁଁ କୃତଜ୍ଞ । ମୁଁ ଆଶା କରୁଛି ଯେ ମୁଁ ବରିଷ୍ଠ ସ୍ତରରେ ନିରନ୍ତର ଭାବରେ ଭଲ ପ୍ରଦର୍ଶନ ଜାରି ରଖିପାରିବି ଏବଂ ସୁସ୍ଥ ରହିପାରିବି ।’’

ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍ ହାଇ ପରଫର୍ମାନ୍ସ ସେଣ୍ଟରର ମୁଖ୍ୟ କୋଚ ମାର୍ଟିନ ଓୱେନ୍ସ କହିଛନ୍ତି ଯେ, "ଏହା ଆମର ଓଡ଼ିଶାର ଖେଳାଳିମାନଙ୍କ ପାଇଁ ସବୁଠାରୁ ସଫଳ ଜାତୀୟ କ୍ରୀଡ଼ା ଥିଲା ।’’

ସ୍ୱାଧୀନ ମାଝି ପୁରୁଷ ହାଇ ଜମ୍ପ ରେ ରୌପ୍ୟ ପଦକ ଜିତିଛନ୍ତି । ସ୍ୱାଧୀନ ୨.୧୧ ମିଟରର ବ୍ୟକ୍ତିଗତ ସର୍ବୋତ୍ତମ ଉଚ୍ଚତା ଅତିକ୍ରମ କରି ପୂର୍ବ ସଂସ୍କରଣରେ ଥିବା ତାଙ୍କର କାଂସ୍ୟ ପଦକକୁ ଏଥର ରୌପ୍ୟକୁ ଉନ୍ନୀତ କରିଛନ୍ତି ।

ଏହି ପ୍ରଭାବଶାଳୀ ପଦକ ଅର୍ଜନ ଓଡ଼ିଶାର ଖେଳାଳିମାନଙ୍କର ଅସାଧାରଣ ପ୍ରତିଭା ଏବଂ ନିଷ୍ଠାକୁ ପ୍ରତିଫଳିତ କରୁଛି ଯାହା ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍ ହାଇ ପରଫର୍ମାନ୍ସ ସେଣ୍ଟରରେ ଓଡ଼ିଶା ସରକାରଙ୍କ ବିଶ୍ୱସ୍ତରୀୟ ସୁବିଧା ଏବଂ ସମର୍ଥନ ଦ୍ୱାରା ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.