ଭୁବନେଶ୍ବର ୨୮/୬: IPS ଆଶିଷ ସିଂଙ୍କୁ ନେଇ ମୁହଁ ଖୋଲିଛନ୍ତି ଡିଜିପି ଅରୁଣ ଷଡଙ୍ଗୀ । ମିଡିଆରେ ପ୍ରତିକ୍ରିୟା ରଖି କହିଛନ୍ତି ଜୁନ୍ ୩ ତାରିଖରୁ ଆଶିଷ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏମିତିକି ଗତ ୧୭ ତାରିଖରେ ପୋଲିସ ଡିଜି କ୍ୟାମ୍ପ ଅଫିସରେ ଚାଲିଥିବା ଆଇନ ସଂଶୋଧନ ବୈଠକରେ ମଧ୍ୟ ଯୋଗ ଦେଇଥିଲେ । ସେ ତାଙ୍କର ଡ୍ୟୁଟି ଯୋଗଦାନ ରିପୋର୍ଟ siw (Special Intelligence Wing)ରେ ଦେଇଛନ୍ତି । ସମନ୍ବୟ ଅଭାବରୁ ଚିଠିଟି ହୁଏତ ଗୃହ ବିଭାଗକୁ ଯାଇପାରିନି । ଏବେ ଗୃହ ବିଭାଗକୁ ଏ ସଂପର୍କରେ ଅବଗତ କରାଯାଇଛି ।
ଆଇପିଏସ ଆଶିଷ ସିଂଙ୍କୁ ନେଇ ବିବାଦ ଦେଖାଦେଇଥିଲା । ତାଙ୍କ ଉପସ୍ଥିତିକୁ ନେଇ ଗୃହ ବିଭାଗ ଚିଠି କରିବା ପରେ ଆଜି ସ୍ପଷ୍ଟୀକରଣ ରଖିଛନ୍ତି ପୋଲିସ ଡିଜି ଅରୁଣ ଷଡଙ୍ଗୀ । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରଠୁ ବିବାଦ ଘେରକୁ ଚାଲିଆସିଥିଲେ ଆଶିଷ ସିଂ । ସେ ସିଧାସଳଖ ଶାସକ ଦଳ ପାଇଁ କାମ କରୁଥିବା ଅଭିଯୋଗ ପରେ ମାମଲା ପହଞ୍ଚିଥିଲା ନିର୍ବାଚନ କମିଶନଙ୍କ ପାଖରେ । ଏହାପରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ତାଙ୍କୁ କେନ୍ଦ୍ରାଞ୍ଚଳ ଆଇଜି ପଦ ସହ ନିର୍ବାଚନ ସମ୍ବନ୍ଧୀୟ ଦାୟିତ୍ବରୁ ହଟାଯାଇଥିଲା । ଏହା ପରେ ଆଶିଷ ସିଂ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିଲେ ।
ତେବେ ମେ’ ୪ ତାରିଖରୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଆଶିଷ ମାସେ ଛୁଟିରେ ଯାଇଥିଲେ । ଛୁଟିରେ ରହି ସେ ବିଜେଡି ପାଇଁ କାମ କରୁଥିବାର ଅଭିଯୋଗ ପୁଣି କମିସନଙ୍କ ନିକଟରେ ପହଞ୍ଚିଥିଲା । ପରେ କମିସନଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱର ଏମ୍ସରେ ଏକ ୬ ଜଣିଆ ଡାକ୍ତରୀ ଦଳ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ସେ ପୁରା ଫିଟ୍ ଥିବା ରିପୋର୍ଟ ଦେଇଥିଲେ । କମିସନ ଏହି ରିପୋର୍ଟକୁ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଇବା ସହ ଶ୍ରୀ ସିଂଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍ କରିଥିଲେ । କିନ୍ତୁ ଏହା ସତ୍ତ୍ବେ ଆଶିଷ ସିଂଙ୍କ ବିରୋଧରେ କୌଣସି ଆକ୍ସନ ନିଆଯାଇନି ।