ଭୁବନେଶ୍ୱର: ଦୀପାବଳିରେ ଅଘଟଣ। ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ବାଣ ବିସ୍ଫୋରଣ ୧୦ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତଙ୍କର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସେହିପରି ବାପୁଜୀ ନଗରରେ ବାଣ ନିଆଁରେ ୩ଟି ସାଇକେଲ ଷ୍ଟୋର ଜଳି ଯାଇଛି। ଘଟଣା ସ୍ଥଳରେ କଳ୍ପନା ଅଗ୍ନିଶମ ବାହିନୀ ଓ କ୍ୟାପିଟାଲ ଥାନା ପୋଲିସ। ସେହିପରି ରାୟଗଡ଼ାରେ ରାଜ୍ୟ ରାଜପଥ ନିକଟ ଜଗନ୍ନାଥ ମନ୍ଦିର ସାହିରେ ଥିବା ପାନ ଦୋକାନରେ ବାଣ ନିଆଁ ପଡିବାରୁ ଦୋକାନ ଗୃହ ଜଳିଯାଇଛି।
ଦୋକାନରେ ପାଖାପାଖି ୫୦ ହଜାର ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଥିବା ନେଇ ପ୍ରକାଶ କରିଛନ୍ତି ଦୋକାନ ମାଲିକ। ଖବର ପାଇ ଘଟଣାସ୍ଥଳରେ ରାୟଗଡା ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଥିଲେ।
ସେହିପରି ପୁରୀରେ ଅଭାବନୀୟ ଘଟଣା। ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହେବାରୁ ୩ ଜଣ ଗୁରୁତର ଆହତ ହେଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ପୁରୀ ସଦର ଥାନା ଅନ୍ତର୍ଗତ ବାଟ ଗାଁ ରାଉତ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବାଣ ଭିଡୁଥିବା ବେଳେ ଏଭଳି ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ଗୁରୁତର ଆହତ ହେଇଛନ୍ତି। ଆହତ ହେଲେ ଲିପା ରାଉତ, ଗୁଲା ରାଉତ ଓ ସଞ୍ଜୟ ଜେନା। ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ବୋଲି କହିଛନ୍ତି ସିଟି ଡିଏସପି।
ସେହିପରି ବାଣ ବିସ୍ଫୋରଣରେ ବାଙ୍ଗିରିପୋଷି ଥାନା ତାଳଟିକିରି ଗ୍ରାମର ୨୬ବର୍ଷର ଯୁବକ ପ୍ରଦୀପ ନାଏକ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୀପାବଳି ସନ୍ଧ୍ୟାରେ ବାଣ ଫୁଟାଇବା ସମୟରେ ଘଟିଛି ଦୁର୍ଘଟଣା। ବାଣଟି ହଠାତ୍ ଯୁବକର ମୁହଁ ପାଖରେରେ ଫୁଟି ଯାଇଥିଲା। ଯାହା ଫଳରେ ତାଙ୍କ ଡାହାଣ ଆଖିଟି ଗଭୀର ଭାବେ ଆଘାତ ପାଇଥିଲା। ଆଖିଟି ନଷ୍ଟ ହୋଇଥିବା ସନ୍ଦେହ କରାଯାଉଛି। ଗୁରୁତର ଯୁବକକୁ ପ୍ରଥମେ ବାଙ୍ଗିରିପୋଷି ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ବାରିପଦା ପିଆରଏମ ହସ୍ପିଟାଲକୁ ସ୍ଥାନାନ୍ତର ହୋଇ ଚିକିତ୍ସିତ ହେଉଛନ୍ତି।
ସେହିପରି ସୋରରେ ବିଭିନ୍ନ ସ୍ଥାନରେ ବାଣ ଫୁଟି ୧୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ଯାଜପୁର ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ୧୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।