ପୁରୀ: ପୁରୀ ରେଳଷ୍ଟେସନରେ ପୁରୁଷୋତ୍ତମ ଏକ୍ସପ୍ରେସରୁ ଦେଢ଼ ଶହ 8 mm ଗୁଳି ମିଳିବା ଘଟଣାରେ ଜାରି ରହିଛି ପୋଲିସର ତଦନ୍ତ । S2 ବଗିରେ ଯେଉଁ ସିଟ୍ ତଳୁ ଗୁଳି ମିଳିଛି ସେଇ ସିଟ୍ କାହା ନାଁରେ ରିଜର୍ଭ ହୋଇଥିଲା ଏବଂ ସେହି ବଗିରେ କେଉଁମାନେ ଥିଲେ ସେନେଇ ଯାଞ୍ଚ କରୁଛି ପୋଲିସ । ଦିଲ୍ଲୀରୁ ପୁରୀ ଆସିଲା ଟ୍ରେନ୍ । ପୁଣି ଟ୍ରେନଟି ଓ୍ବାସିଂ ପାଇଁ ଯିବା ପରେ ଯାଇଁ ସେଠାରେ କିଛି କର୍ମଚାରୀ ସଂଦିଗ୍ଧ ବ୍ୟାଗ ଦେଇ RPFକୁ ଖବର ଦେଇଥିଲେ । କିନ୍ତୁ ଏହା ଭିତରେ ନା’ RPF ନା’ GRP କାହାର କେମିତି ଏହା ଉପର ନଜର ପଡ଼ିଲାନି ତାକୁ ନେଇ ଉଠିଛି ପ୍ରଶ୍ନ ।
ପୁରୁଷୋତ୍ତମ ଏକ୍ସପ୍ରେସରୁ ଜବତ ଗୁଳି କାହାର ? ଏତେ ପରିମାଣର ଗୁଳି କିଏ, କାହିଁକି ଓ କେଉଁଠୁ ଆଣିଥିଲେ ? ଏହି ଭଳି କେତେଟା ବ୍ୟାଗରେ କେତେ ଗୁଳି ଆସିଥିଲା ? ସନ୍ଦିଗ୍ଧ ବ୍ୟକ୍ତି ଅନ୍ୟ ବ୍ୟାଗ ସବୁ ନେଇ ଯାଇ ଭୁଲ୍ ବଶତଃ ଗୋଟିଏ ବ୍ୟାଗ୍ ଛାଡ଼ି ଯାଇନି ତ ? ଦିଲ୍ଲୀରୁ ପୁରୀ ଯାଏଁ ଆସିଲା ପୁରୁଷୋତ୍ତମ ଏକ୍ସପ୍ରେସ୍। ପୁରୀ ଷ୍ଟେସନରୁ ପୁଣି ଓ୍ବାସିଂ ଲାଇନକୁ ଗଲା । ଏହା ଭିତରେ କେମିତି କେଉଁଠି ବି ଏହା ଉପରେ ପଡ଼ିଲାନି RPF କି GRPର ନଜର ? ପୁରୀ ରେଳଷ୍ଟେସନରେ ଗତକାଲି ୧୫ପ୍ୟାକେଟ୍ ଅର୍ଥାତ୍ ୧୫୦ଟି 8mm ଗୁଳି ଜବତ ଘଟଣାକୁ ନେଇ ଏମିତି ଅନେକ ପ୍ରଶ୍ନ ଉଙ୍କି ମାରିଛି । ପ୍ରଶ୍ନ ଉଠୁଛି ଟ୍ରେନ୍ ଯାତ୍ରୀ ଓ ଶ୍ରୀକ୍ଷେତ୍ରର ସୁରକ୍ଷାକୁ ନେଇ ?
ଗତକାଲି ପୁରୁଷୋତ୍ତମ ଏକ୍ସପ୍ରେସର S2 ବଗିର ଏକ ସିଟ୍ ତଳେ ରଖାଯାଇଥିବା କଳାବ୍ୟାଗ୍ ଭିତରୁ ବାହାରିଛି SA 0.315 କ୍ୟାଟ୍ରିଜ୍, 8mm ଗୁଳି ଓ ସଫ୍ଟ ନୋଜ୍ ବୁଲେଟ୍ । ପ୍ରାୟ ଦେଢ଼ଶହ ଅଫୁଟା ଗୁଳି ଜବତ ପରେ ଏହି ଗୁଳିକୁ କିଏ, କେଉଁଠୁ ଓ କାହିଁକି ଆଣି ଟ୍ରେନରେ ଛାଡ଼ି ଚାଲିଯାଇଛନ୍ତି ତାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ପୁରୀ ଷ୍ଟେସନରେ ଟ୍ରେନ୍ ବଗି ଭିତରୁ ଏତେ ଗୁଡ଼ାଏ ଗୁଳି ମିଳିବା ପ୍ରଥମ ଘଟଣା। କୌଣସି ସାମରିକ ବାହିନୀର ଯବାନ ଏହି ଗୁଳି ଆଣିଥିଲେ କି ? ଆଉ ଭୁଲ୍ ବଶତଃ ଏହାକୁ ଛାଡ଼ି ଚାଲିଯାଇଛନ୍ତି କି ? କୌଣସି ଅପରାଧୀ ଏହି ଗୁଳିକୁ ବିକ୍ରି କରିବା ପାଇଁ ଆଣିଥିଲେ କି ? ଚୋରା ବନ୍ଧୁକ ଚାଲାଣ ଭଳି ଚୋରା ଗୁଳି ଚାଲାଣ ହେଉଥିଲା କି ? ପୁରୀରେ ଅପରାଧିକ କାର୍ଯ୍ୟକଳାପ ଘଟାଇବା ଉଦ୍ଦେଶ୍ୟରେ କେହି ଏତେ ପରିମାଣର ଗୁଳି ଆଣିଥିଲେ କି ? ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ଏବେ GRP ଓ ଲୋକାଲ୍ ପୋଲିସ । ଦିଲ୍ଲୀ ଠାରୁ ପୁରୀ ପର୍ଯ୍ୟନ୍ତ ସମସ୍ତ ଷ୍ଟେସନର ସିସିଟିଭି ଯାଂଚ ସହ ପୁରୁଷୋତ୍ତମ ଏକ୍ସପ୍ରେସ S2 ବଗିରେ କେଉଁମାନେ ଥିଲେ ପୋଲିସ ତା’ର ରେକର୍ଡ଼ ଯାଞ୍ଚ କରୁଛି ।
ପର୍ଯ୍ୟଟନ ତଥା ଆଧ୍ୟାତ୍ମିକ କ୍ଷେତ୍ର ପୁରୀକୁ ପ୍ରତିଦିନ ଦେଶ ବିଦେଶରୁ ଅନେକ ଲୋକ ଆସୁଛନ୍ତି । ଏଭଳି ପରିସ୍ଥିତିରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ନେଇ ମଧ୍ୟ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କଥା କୁହାଯାଉଛି । ଏସବୁ ଭିତରେ ଟ୍ରେନ୍ ବଗିରୁ ଗୁଳି ମିଳିବା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । ଏଭଳି ଗମ୍ଭୀର ବିଷୟକୁ ନେଇ ସେମାନେ ଚିନ୍ତା ପ୍ରକଟ କରିଛନ୍ତି । ପୁରୁଷୋତ୍ତମ ଏକ୍ସପ୍ରେସରୁ ଗୁଳି ମିଳିବା ଘଟଣାର ଆଗକୁ NIA ଯାଞ୍ଚ କରିବ କି ? କାରଣ ଏଭଳି ଏକ ସାଂଘାତିକ ଘଟଣା ପଛରେ କାହାର ହାତ ରହିଛି, କେଉଁମାନେ ଏହା ପଛରେ ଅଛନ୍ତି, ତା’ର ପର୍ଦ୍ଦାଫାସ ହେବା ଜରୁରୀ ହୋଇପଡ଼ିଛି ।