କିଟ୍‌ ଘଟଣାର ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି, ମନ୍ତ୍ରୀ କହିଲେ- ଯିଏ ଦୋଷୀ ତାକୁ ଛଡ଼ାଯିବନି

Published By : Prameya-News7 Bureau | February 18, 2025 IST

ଭୁବନେଶ୍ବର: କିଟ୍‌ କଲେଜରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ହଇଚଇ । ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅନ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ, ଆଉ ଏହା ପରେ ସେମାନଙ୍କ ପ୍ରତି କଲେଜ କର୍ତ୍ତୃପକ୍ଷଙ୍କ ଆଚରଣ ଘଟଣା ଏବେ ସବୁ ମହଲରେ ଚର୍ଚ୍ଚାର କାରଣ ପାଲଟିଛି। ଏମିତିକି ଘଟଣା ବିଧାନସଭାରେ ମଧ୍ୟ ପହଞ୍ଚିଲାଣି। ପୂର୍ବରୁ ଖୋଦ୍‌ ନେପାଳ ପ୍ରଧାନମନ୍ତ୍ରୀ ଘଟଣାକୁ ନେଇ ଉପଯୁକ୍ତ ତଦନ୍ତ ଦାବି କରୁଥିବାବେଳେ ପୋଲିସ ପ୍ରାଥମିକ ଭାବରେ ତଦନ୍ତ କରି ଏପର୍ଯ୍ୟନ୍ତ ୩ ନିର୍ଦ୍ଦେଶକଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଡାଇରେକ୍ଟର ଜେନେରାଲ ଶିବାନନ୍ଦ ମିଶ୍ର, ଆଡମିନିଷ୍ଟ୍ରେସନ ଡାଇରେକ୍ଟର ପ୍ରତାପ ଚମ୍ପତି, ହଷ୍ଟେଲ ଡାଇରେକ୍ଟର ସୁଧୀର ରଥ । ସେହିଭଳି ଦୁଇ ସିକ୍ୟୁରିଟି ଗାର୍ଡ ରମାକାନ୍ତ ନାୟ ଏବଂ ଯୋଗେନ୍ଦ୍ର ବେହେରା। 

ଏହାରି ମଧ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ଘଟଣାରେ ତତ୍ପରତା ପ୍ରକାଶ ପାଇଛି। କିଟ୍‌ରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ଏହି କମିଟିରେ କମିଟିରେ ଗୃହ ବିଭାଗର ଅତିରିକ୍ତ ସଚିବ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ ସଚିବ, ଉଚ୍ଚଶିକ୍ଷା ସଚିବ କମିଟିର ସଦସ୍ୟ ରହିଛନ୍ତି। ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଘଟଣାର କାରଣ ଖୋଜି ରିପୋର୍ଟ ପ୍ରଦାନ କରିବ।  ଆଉ କମିଟିର ରିପୋର୍ଟ ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। 

ମନ୍ତ୍ରୀ ଆହୁରି କହିଛନ୍ତି ‘‘ସରକାର କିଟ୍‌ ଘଟଣା ଉପରେ ନଜର ରଖିଛନ୍ତି । ଏ ଘଟଣା କିଟ୍‌ ଛାତ୍ରଛାତ୍ରୀଙ୍କ ହାନି ହେଲା ଭଳି । ଅତିଥି ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବା ଆମ କର୍ତ୍ତବ୍ୟ। ଏହି ମାମଲାରେ କିଟ୍‌ କର୍ତ୍ତୃପକ୍ଷଙ୍କଠାରୁ ଆମେ ଜବାବ ତଲବ କରିଥିଲୁ। ଜବାବ ହସ୍ତଗତ ପରେ ସରକାର ତତ୍ପର ଅଛନ୍ତି। ଘଟଣାର ଆହୁରି କାରଣ ଥିବାରୁ ସରକାର ଏକ ଉଚ୍ଚରୀୟ କମିଟି ଗଠନ କରିଛନ୍ତି । ନେପାଳ ପିଲାଙ୍କ ପାଇଁ କାହିଁକି ସାଇନ୍‌-ଏ-ଡାଏ କରାଗଲା ? କ୍ୟାମ୍ପସ ଛାଡ଼ିଥିବା ପିଲାଙ୍କୁ ଫେରାଇବାକୁ ଚେଷ୍ଟା ଚାଲିଛି। ନେପାଳ ପିଲାଙ୍କୁ କାଉନସେଲିଂ କରାଯାଉଛି। କିଟ୍‌ ଠାରୁ ପ୍ରତି ୨ ଘଣ୍ଟାରେ ରିପୋର୍ଟ ନେଉଛୁ।’’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.