ଖରା କରୁଛି କଲବଲ, ହିଟ୍‌ୱେଭ ନେଇ ୮ ଜିଲ୍ଲାପାଳଙ୍କୁ SRCଙ୍କ ଚିଠି

Published By : Prameya-News7 Bureau | June 10, 2024 IST

ଭୁବନେଶ୍ବର ୧୦/୬: ମୌସୁମୀ ବାୟୁ ଆଗକୁ ବଢିବାକୁ ନାହିଁ ସ୍ଥିତି ଅନୁକୂଳ । ଆହୁରି ୩ରୁ ୪ଦିନ ପର୍ଯ୍ୟନ୍ତ କଲବଲ କରିବ ତାତି । ରାଜ୍ୟରେ ହିଟ୍‌ୱେଭ ନେଇ ୮ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି  SRC । ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ସୋନପୁର,ବଲାଙ୍ଗିର, ବୌଦ୍ଧ ଓ ନୂଆପଡ଼ାରେ ଖରାର ମୁକାବିଲା ନେଇ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର । 

ଦିନ ୧୧ଟାରୁ ୩ଟା ଯାଏ ଶ୍ରମିକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି SRC । ହାଲୁକା,ଧଳା ଓ ସୂତା ବସ୍ତ୍ର ପିନ୍ଧିବାକୁ କୁହାଯାଇଛି । ବାହାରକୁ ବାହାରିଲେ ମୁଣ୍ଡକୁ ଘୋଡାଇ ରଖିବା, ଓଦା କପଡା, ଛତା ଓ ଟୋପି ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ପ୍ରଚୁର ପାଣି,ଓଆରଏସ୍‌,ଲସି, ତୋରାଣୀ,ଆଖୁ ରସ, ଲେମ୍ବୁ ପାଣି ପିଇବାକୁ ପରାମର୍ଶ ଦିଆଯାଇଛି । ବିଶେଷ କରି ଗର୍ଭବତୀ ଓ ମେଡିକାଲରେ କାର୍ଯ୍ୟରତ କର୍ମଚାରୀଙ୍କ ପ୍ରତି ଗୁରୁତ୍ବ ଦେବାକୁ କୁହାଯାଇଛି ।

ଓଡ଼ିଶାକୁ ଏଥର ସଅଳ ମୌସୁମୀ ଛୁଇଁଥିଲେ ମଧ୍ୟ ପାଗ ଅନୁକୂଳ ନଥିବାରୁ ସକ୍ରିୟ ହୋଇପାରୁନି ମୌସୁମୀ । ଉତ୍ତର-ପଶ୍ଚିମ ଦିଗରୁ ପବନ ପ୍ରବେଶ କରୁଥିବାରୁ ଖରା ସାଙ୍ଗକୁ ଗୁଳୁଗୁଳି ହେଉଛି । ଆଗାମୀ ୫ଦିନ ଯାଏ ଉତ୍ତର ଓ ଉପକୂଳ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଲାଗି ରହିବ । ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.