‘ମୌସୁମୀ’ର ଖୋଜଖବର ନାହିଁ, ହନ୍ତସନ୍ତ କରୁଛି ଭୀଷଣ ଖରା ସାଙ୍ଗକୁ ଗୁଳୁଗୁଳି

Published By : Prameya-News7 Bureau | June 17, 2024 IST

ଭୁବନେଶ୍ୱର ୧୭।୦୬: ୮ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ଘୋଷଣା କରିଥିଲା ପାଣିପାଗ ବିଭାଗ । ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳକୁ ପ୍ରବେଶ କରିଥିଲା । କିନ୍ତୁ ସେବେଠାରୁ ମୌସୁମୀ ନା ଆଗକୁ ବଢୁଛି, ନା ଏହା ପ୍ରଭାବରେ ବର୍ଷା ହେଉଛି । ଯେଉଁଠି ଥିଲା ସେଇଠି ଅଟକିଛି । ୨୪ ତାରିଖ ସୁଦ୍ଧା ମୌସୁମୀ ପୂରା ଓଡ଼ିଶାକୁ ଛୁଇଁବ। ଏହା ପ୍ରଭାବରେ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି । 

ରବିବାର ରାଜ୍ୟର ଅଧିକାଂଶ ସ୍ଥାନରେ ଗୁଳୁଗୁଳି ହୋଇଛି । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ଭୀଷଣ ଗୁଳୁଗୁଳି ଅନୁଭୂତ ହୋଇଛି। ନୂଆପଡ଼ାରେ ସର୍ବାଧିକ ତାପମାତ୍ରା ୪୩ଡିଗ୍ରୀ ଛୁଇଁଛି । ବୌଦ୍ଧରେ ୪୨, ପାରଳାଖେମୁଣ୍ଡି   ଓ ନୟାଗଡ଼ରେ ତାତି ୪୦.୭ ଡିଗ୍ରୀ ରେକର୍ଡ ହୋଇଛି । ଅଧିକାଂଶ ସ୍ଥାନରେ ତାତି ୪୦ ଡିଗ୍ରୀ  ତଳେ ଥିଲେ ବି ଗୁଳୁଗୁଳି ଅନୁଭୂତ ହୋଇଛି । 

ତେବେ ଆସନ୍ତା ସପ୍ତାହ ଯାଏ ପୂରା ଓଡ଼ିଶାକୁ ମୌସୁମୀ ଅଗ୍ରସର ହେବାର କ୍ୱଚିତ୍‌ ସମ୍ଭାବନା ଅଛି । ପୂରା ରାଜ୍ୟରେ ମୌସୁମୀ ଛୁଇଁବା ବେଳକୁ ୨୪ ତାରିଖ ହୋଇଯିବ । ଏହାପୂର୍ବରୁ ଭଲ ବର୍ଷା   ହେବ । ୧୯ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ୨୦ ତାରିଖ ସୁଦ୍ଧା ଭୁବନେଶ୍ୱର ସହିତ ଅନେକ ସ୍ଥାନରେ ମୌସୁମୀ ପହଞ୍ଚିଯିବ ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ,  ୧୭ରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା  ହୋଇପାରେ । କିନ୍ତୁ ଉପକୂଳ ଓଡ଼ିଶାରେ ଗୁଳୁଗୁଳି  ଜାରି ରହିବ। ୧୮ରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବ । ଉପକୂଳରେ ଗୁଳୁଗୁଳି ଜାରି  ରହିବ । ୨୯ରେ ସୁନ୍ଦରଗଡ,ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ରେ ଭାରୀ  ବର୍ଷା ହେବ । ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ  ଓଡ଼ିଶାରେ ୩୦ରୁ ୪୦କିମି ବେଗରେ ପବନ  ସହିତ ବର୍ଷା ହୋଇପାରେ ବୋଲି ଆକଳନ  କରାଯାଇଛି । ଜୁନ୍‌ ମାସରେ ନିଅଣ୍ଟିଆ ବର୍ଷା ହେବ  ବୋଲି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବରୁ  ଆକଳନ କରିଥିଲେ ।


  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.