ଭୁବନେଶ୍ୱର ୨୫।୦୬ : ରାଜ୍ୟରେ ସୋମବାର ସୁଦ୍ଧା ୪୧% ନିଅଣ୍ଟିଆ ବର୍ଷା ହୋଇଛି । ଆଗକୁ ବି ନିଅଣ୍ଟିଆ ସ୍ଥିତିରେ ସୁଧାର ଆସିବା ସମ୍ଭାବନା କମ୍ । ମାସ ଶେଷ ବେଳକୁ ଉପକୂଳରେ ନିଅଣ୍ଟିଆ ବର୍ଷା ପରିମାଣ ବଢ଼ିବ । ଜୁଲାଇ ୧୫ ଯାଏ ରାଜ୍ୟରେ ବର୍ଷା ନିଅଣ୍ଟିଆ ରହିବ। ଏଥିପାଇଁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇପାରେ । ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଚାଷୀମାନେ ଏଥିପାଇଁ ଉଚିତ ଅବଧିର କିସମ ବୁଣିବାକୁ ପରାମର୍ଶ ଦେଇଛନ୍ତି ।
ରାଜ୍ୟରେ ସ୍ୱାଭାବିକ ଭାବେ ଜୁଲାଇ ୧୫ରୁ ଅଗଷ୍ଟ ୧୫ ତାରିଖ ଭିତରେ ରୁଆ, ବେଉଷଣ କାମ ହୁଏ । ଜୁନ୍ ୧୫ରୁ ୨୦ ତାରିଖ ଭିତରେ ଜମିରେ ବିହନ ବୁଣା ହେବା ସହ ତଳି ପଡ଼େ । ଏବେ ଉପକୂଳରେ ନିଅଣ୍ଟିଆ ବର୍ଷା ସ୍ଥିତି ଥିବାରୁ ଜୁଲାଇ ୧୫ ସୁଦ୍ଧା ତଳି ପକାଇ ହେବନି କି ରୁଆ ହୋଇପାରିବନି । ପୁଣି ଏବେ ବାଷ୍ପୀକରଣ ବହୁତ ଅଧିକ ହେଉଥବାରୁ ଜମି ବତର ବା ଓଦା ରହିବନି ।
ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରି କହିଛନ୍ତି, ଆଗକୁ ଲଘୁଚାପର ପ୍ରଭାବ ନାହିଁ । ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହେଉନି । ୨୭ ତାରିଖରେ ହେବାକୁ ଥିବା ଘୂର୍ଣ୍ଣିବଳୟ ଘନୀଭୂତ ହେବନି ଓ ଦୁର୍ବଳ ହୋଇଯିବ । ଏଣୁ ଆସନ୍ତା ଜୁଲାଇ ୧୫ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ସ୍ଥିତି ଲାଗି ରହିବ । ଏଥିପାଇଁ ଢ଼ିପ ଜମିରେ ଅଣଧାନ ବା ମଧ୍ୟମ କିସମର ଧାନ ଚାଷ ପାଇଁ ସେ ପରାମର୍ଶ ଦେଇଛନ୍ତି । ଏଥର ମୌସୁମୀ ବିଳମ୍ବରେ ପ୍ରତ୍ୟାହାର ହେବ । ଅକ୍ଟୋବର ମାସରେ ଭଲ ବର୍ଷା ହେବାର ସମ୍ଭାବନା ଅଛି। ଏଣୁ ଖାଲୁଆ ଜମିରେ ୧୫୦ରୁ ୧୬୦ ଦିନିଆ ଅବଧିର ବିହନ ବୁଣିବାକୁ ସେ ପରାମର୍ଶ ଦେଇଛନ୍ତି । ପଶ୍ଚିମ ଓଡ଼ିଶାରେ ଢ଼ିପ ଜମି ଅଧିକ । ଏଠାରେ ୧୦୦ରୁ ୧୧୦ ଦିନିଆ ଅବଧିର ଧାନ ବା ଅଣଧାନ ବୁଣିବାକୁ କୁହାଯାଇଛି । ରୁଆ, ବେଉଷଣ ସମୟରେ ଯେଭଳି ସାର ସମସ୍ୟା ନହେବ ସେଥିପାଇଁ ସରକାର ଆଗୁଆ ପ୍ରସ୍ତୁତି କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ୨୪ ତାରିଖ ସୁଦ୍ଧା ରାଜ୍ୟରେ ୯୧.୮ମିମି ବର୍ଷା ହୋଇଛି । ପରିମାଣ ୪୧% ନିଅଣ୍ଟିଆ ରହିଛି । ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ, ଢେଙ୍କାନାଳ, ଜଗତସିଂହପୁର ଓ ସମ୍ବଲପୁରରେ ସ୍ୱାଭାବିକ ପରିମାଣର ବର୍ଷା ହୋଇଛି। ମୟୂରଭଞ୍ଜ, ବାଲେଶ୍ୱର, ବଲାଙ୍ଗୀର ଓ ପୁରୀ ଜିଲ୍ଲାରେ ଅଧିକ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି। ବାକି ସବୁ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ଅଛି । ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ଗଞ୍ଜାମରେ ନିଅଣ୍ଟିଆ ବର୍ଷା ଯୋଗୁ ବୁଣାବୁଣି କରିହେବନି । ମାସ ଶେଷ ବେଳକୁ ଏ ସବୁ ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ଆହୁରି ବଢ଼ିବ ।
ସେହିଭଳି ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ଗଜପତି, ଆଭ୍ୟନ୍ତରୀଣ ଗଞ୍ଜାମ,କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ ଓ କନ୍ଧମାଳରେ ଏବେ ବୁଣାବୁଣି କରି ହେବ । ଏ ସବୁ ଜିଲ୍ଲାରେ ବିହନ ବୁଣିଲେ ଗଜା ମରୁଡ଼ି ହେବାର ଆଶଙ୍କା ନାହିଁ ।
ଆସନ୍ତା ୨୭ତାରିଖରେ ଓଡ଼ିଶା ଉପକୂଳରେ ହେବାକୁ ଥିବା ଘୂର୍ଣ୍ଣିବଳୟ ଘନୀଭୂତ ହେବନି । ୨୪ ଘଣ୍ଟା ପରେ ଏହା ଦୁର୍ବଳ ହୋଇଯିବ । ଏହାର କୌଣସି ପ୍ରଭାବ ନ ରହିବାରୁ ବର୍ଷା କରାଇବନି । ଆସନ୍ତା ୩ ଦିନ ଭିତରେ ଉପକୂଳରେ ମାତ୍ର ୧୦ ମିମି ବର୍ଷା ସମ୍ଭାବନା ଅଛି । ଏହି ୩ ଦିନରେ ଆଭ୍ୟନ୍ତରୀଣରେ ୩୦ମିମି ବର୍ଷା ହୋଇପାରେ । ମାସ ଶେଷ ବେଳକୁ ବର୍ଷା ପରିମାଣ ବଢ଼ିବ । ମୟୂରଭଞ୍ଜ, ସୁନ୍ଦରଗଡ଼, କନ୍ଧମାଳ, ପଶ୍ଚିମ ଓଡ଼ିଶା ଓ ପଶ୍ଚିମ ଆଭ୍ୟନ୍ତରୀଣରେ ବର୍ଷା ହେବ । ଏ ସବୁ ସ୍ଥାନରେ ଯେଉଁଠି ମାଟି ଓଦା ଅଛି ସେଠାରେ ତଳି ପକାଇ ପାରିବେ । ମାଟି ବତର ନ ଥିଲେ ତଳି ପକାଇ ହେବନି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।