୨୦୩୬ ପର୍ଯ୍ୟନ୍ତ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା

Published By : Prameya-News7 Bureau | June 21, 2024 IST

ଭୁବନେଶ୍ବର ୨୧।୬: ମୁଖ୍ୟମନ୍ତ୍ରୀଙ୍କ ସହ ହକି ଇଣ୍ଡିଆର କର୍ମକର୍ତ୍ତାଙ୍କ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା । ଭାରତୀୟ ହକିର ସ୍ପନସରସିପ୍‌କୁ ଆଉ ୩ ବର୍ଷ ବୃଦ୍ଧି କରାଯିବ । ଶୁକ୍ରବାର ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ମହାସଚିବ ଭୋଳାନାଥ ସିଂ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି ।

ଆଲୋଚନା ପ୍ରସଙ୍ଗରେ ସେମାନେ କହିଥିଲେ ଯେ, ହକି ପାଇଁ ଓଡ଼ିଶାକୁ ବିଶ୍ଵରେ ଗୋଟିଏ ଅଲଗା ପରିଚୟ ମିଳିଛି । ଭାରତୀୟ ହକି ଦଳର ବିକାଶରେ ଓଡ଼ିଶାର ପ୍ରଶଂସନୀୟ ଅବଦାନ ରହିଛି ବୋଲି ସେମାନେ କହିଥିଲେ। ଭବିଷ୍ୟତରେ ଓଡ଼ିଶା ସରକାରଙ୍କ ସହ ମିଶି ହକିକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ପାଇଁ ମିଳିମିଶି କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୩୬ ମସିହାରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଛି, ସେଥିପାଇଁ ଓଡ଼ିଶା ସରକାରଙ୍କ ହକି ଇଣ୍ଡିଆକୁ ସ୍ପନସରସିପ୍ ଅବଧି ସମୟକୁ ୨୦୩୩ରୁ ଆଉ ୩ ବର୍ଷ ପାଇଁ ବୃଦ୍ଧି କରାଯିବ ଏବଂ ହକିର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ।

ସୂଚନାଯୋଗ୍ୟ ଯେ, ଓଡ଼ିଶା ସରକାର ୨୦୧୮ ମସିହାରୁ ଭାରତୀୟ ହକି ଦଳର ସ୍ପନସରସିପ୍ ଦାୟିତ୍ଵ ନେଇଛନ୍ତି । ୨୦୨୩ରୁ ୧୦ବର୍ଷ ପାଇଁ ସ୍ପନସରସିପ୍ କରିବା ପାଇଁ ପୂର୍ବ ସରକାର ଘୋଷଣା କରିଥିଲେ।

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ହକି ପ୍ରତି ଓଡ଼ିଶାବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କହିଥିଲେ । ମୁଖ୍ୟଶାସନ ସଚିବ ପି. କେ. ଜେନା, କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

You Can Read :

ଲୋକଙ୍କ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସରକାର : ଏଣିକି ପ୍ରତିଦିନ ୨ ଘଣ୍ଟା ପାଇଁ ହେବ ଲୋକଙ୍କ ଅଭିଯୋଗ ଶୁଣାଣି

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.