ଭୁବନେଶ୍ୱର: ଆଗାମୀ ୩ ବର୍ଷ ପାଇଁ ଜାତୀୟ ଖୋ ଖୋ ଟିମ୍କୁ ପ୍ରାୟୋଜିତ କରିବେ ରାଜ୍ୟ ସରକାର। ପୂର୍ବରୁ ଜାତୀୟ ହକି ଖେଳକୁ ଓଡ଼ିଶା ସ୍ପନସର୍ କରିଥିବାବେଳେ, ଏବେ ଖୋ ଖୋ ଖେଳକୁ ମଧ୍ୟ ପ୍ରୋତ୍ସାହନ ଦେବାକୁ ଆଗେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ରାଜ୍ୟ ସରକାର ‘ଖୋ ଖୋ’ ଖେଳର ଜାତୀୟ ଟିମକୁ ଆଗାମୀ ୩ ବର୍ଷ ପାଇଁ ସ୍ପନସର କରିବେ । ଏହି ସ୍ପନସରସିପର ଅବଧି ୨୦୨୫ ଜାନୁଆରୀରୁ ୨୦୨୭ ଡିସେମ୍ବର ପର୍ଯ୍ୟନ୍ତ ରହିବ। ଏଥିପାଇଁ ବର୍ଷକୁ ୫ କୋଟି ଟଙ୍କା ଲେଖାଏଁ ସମୁଦାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ।
ଓଡ଼ିଶା ଖଣି ନିଗମ ପକ୍ଷରୁ ଏହି ଅର୍ଥ ପ୍ରଦାନ କରାଯିବ। ଏହାଦ୍ୱାରା ଭାରତୀୟ ଖୋ ଖୋ ଖେଳାଳି ପ୍ରୋତ୍ସାହନ ପାଇବା ସହିତ ଓଡ଼ିଶା ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ଖେଳରେ ବ୍ରାଣ୍ଡିଂ ଜରିଆରେ ବିଶ୍ୱସ୍ତରରେ ରାଜ୍ୟର ଛବିକୁ ଉଜ୍ଜଳ କରିପାରିବ ।
ସୂଚନାଥାଉକି, ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଖୋ ଖୋ ବିଶ୍ବକପ୍। ବିଶ୍ୱକପର ପ୍ରଥମ ସଂସ୍କରଣ ୨୦୨୫ ଭାରତରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଆୟୋଜକ ରହିଛି ନୂଆଦିଲ୍ଲୀ। ଜାନୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ନିର୍ଦ୍ଧାରିତ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବକପ୍ର ଉଦ୍ଘାଟନ କରିପାରନ୍ତି। ବିଶ୍ବକପ୍ରେ ୧୬ଟି ପୁରୁଷ ଓ ମହିଳା ଦଳ ଅଂଶଗ୍ରହଣ କରିବେ ।
ମାଟିରୁ ଏହି ଖେଳର ଆରମ୍ଭ ହୋଇଥିବା ବେଳେ ଆଜି ସାରା ବିଶ୍ୱର ୫୪ଟି ଦେଶକୁ ପହଞ୍ଚିପାରିଛି । ୨୦୩୨ ବେଳକୁ ଖୋ ଖୋ’କୁ ଅଲିମ୍ପିକ୍ସ କ୍ରୀଡ଼ା ଭାବେ ସ୍ୱୀକୃତି ପ୍ରଦାନ କରିବା ନେଇ ଲକ୍ଷ୍ୟ ରହିଛି। ଆଉ ଏହି ଲକ୍ଷ୍ୟକୁ ବଜାୟ ରଖିବା ସହ ଖୋ ବିଶ୍ୱକପର ପ୍ରଥମ ସଂସ୍କରଣ ଭାରତ ଆୟୋଜନ କରିବା ନେଇ ଭାରତୀୟ ଖୋ ଖୋ ଫେଡେରେସନ (କେକେଏଫଆଇ) ପକ୍ଷରୁ ଘୋଷଣା ମଧ୍ୟ ହୋଇଥିଲା ।