ଛତ୍ରପୁର: ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ୪ ଶଯ୍ୟା ବିଶିଷ୍ଟ ନିଃଶୁଳ୍କ ଡାୟାଲିସିସ୍ ସେବାର ଶୁଭ ଉଦଘାଟନ ହୋଇଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗୀୟ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ ।
ଏହି ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ଛତ୍ରପୁର ନିର୍ବାଚନ ମଣ୍ଡଳୀ ସମେତ ଖଲ୍ଲିକୋଟ ବ୍ଲକ୍ ଓ ପଡ଼ୋଶୀ ଜିଲ୍ଲା ପୁରୀର କୃଷ୍ଣପ୍ରସାଦ ବ୍ଲକର ଜନସାଧାରଣମାନେ ବେଶ୍ ଉପକୃତ ହେବେ।ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଅଞ୍ଚଳର ଲୋକମାନଙ୍କୁ ଆଉ ଦୂର ସ୍ଥାନକୁ ଯିବାକୁ ପଡ଼ିବ ନାହିଁ । ଗଞ୍ଜାମ ଜିଲାରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ହେଉଛି ମୋହନ ସରକାରଙ୍କ ପ୍ରାଥମିକତା, ସାରା ରାଜ୍ୟରେ ଡାକ୍ତର ସମେତ ନର୍ସର ଅଭାବ ରହିଛି ତାହା ଆଗାମୀ ଦିନରେ ପୂରଣ ହେବ ବୋଲି କହିଥିଲେ ।
ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଓଡ଼ିଶା ସରକାର ଏବଂ ଏସ୍କାଗ ସଞ୍ଜିବନୀର ମିଳିତ ପ୍ରୟାସରେ ଏହି ସେବା ମେଡିକାଲରେ ମିଳିବ। ସପ୍ତାହକୁ ରବିବାର ବ୍ୟତୀତ ୬ ଦିନ ଏହି ସେବା ଯୋଗାଇ ଦିଆଯିବ ବୋଲି ଦାୟିତ୍ୱ ନେଇଥିବା ଏସ୍କାଗ ସଞ୍ଜିବନୀ ପକ୍ଷରୁ କୁହାଯାଇଛି। ଓଡ଼ିଶାର ୩୨ଟି ସରକାରୀ ମେଡିକାଲରେ ଏହି ସେବା ଯୋଗଇ ଦିଆଯାଉଛି ବୋଲି ଏସ୍କାଗ ସଞ୍ଜିବନୀ ପକ୍ଷରୁ ସୂଚନା ମିଳିଛି। ଜଣେ ଡାକ୍ତର, ଦୁଇ ଟେକ୍ନସିଆନ, ଜଣେ ଆଟେଣ୍ଡାଣ୍ଟ ଓ ଜଣେ ଗ୍ରୁପ ଡି କର୍ମଚାରୀ ନିୟୋଜିତ ହୋଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଡ.ପ୍ରଦୀପ ପାଣିଗ୍ରାହୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ କୁମାର ପଣ୍ଡା, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି.ପାପା ରାଓ, ଛତ୍ରପୁର ବ୍ଲକ ଉପାଧକ୍ଷା ଏସ୍.ସାରଦା ରେଡ୍ଡୀ, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ପ୍ରଫୁଲ ଚନ୍ଦ୍ର ଗୈାଡ, ମୁନିସି ପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡାକ୍ତର ସ୍ୱାଧୀନ ରଥ, ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀଙ୍କ ସମେତ ସମସ୍ତ ଡାକ୍ତର, ନର୍ସ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।