ଋଷିକୁଲ୍ୟା ମୁହାଁଣରେ ବିରଳ ଅଲିଭ ରିଡଲେ କଇଁଛଙ୍କ ସାମୂହିକ ଅଣ୍ଡାଦାନ

Published By : Prameya-News7 Bureau | February 17, 2025 IST

ଛତ୍ରପୁର ୧୭।୦୨ : ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବିରଳ ଅଲିଭ୍‌ ରିଡ୍‌ଲେ ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ । ପାଗର ଅନୁକୂଳ ଅବସ୍ଥା ଯୋଗୁଁ ଏବଂ ଦକ୍ଷିଣା ପବନ ବୋହିବା ଫଳରେ ଏହି ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବନ ବିଭାଗ ତରଫରୁ ସୂଚନା ଦିଆଯାଇଛି । କିଛି ଅଞ୍ଚଳକୁ ନୋ ଫିସିଂ ଜୋନ୍‌ ଭାବେ ଘୋଷଣା କରାଯାଇଛି । 

ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମପେଟା ଗାଁ ଠାରୁ ବଟେଶ୍ୱର ମନ୍ଦିର ନିକଟସ୍ଥ ସମୁଦ୍ର ବେଳାଭୂମିରେ ବିରଳ ଅଲିଭ ରିଡ୍‌ଲେ କଇଁଛମାନେ ଉପରକୁ ଉଠିଆସି ଅଣ୍ଡା ଦାନ କରୁଛନ୍ତି । ଯାହାକୁ ନେଇ ବନ ବିଭାଗ, ପର୍ଯ୍ୟଟକ, ପରିବେଶବିତ୍‌ ମହଲରେ ଖୁସିର ଲହରି ଖେଳିଯାଇଛି । ତେବେ କିଭଳି ସୁରକ୍ଷିତ ଭାବେ ଗଣ ଅଣ୍ଡାଦାନ ହୋଇପାରିବ, ସେନେଇ ବନ ବିଭାଗ ପକ୍ଷରୁ ପୂର୍ବରୁ ୫ କିମି ପର୍ଯ୍ୟନ୍ତ ସୁରକ୍ଷାବାଡ଼ ଦିଆଯାଇଛି । ବର୍ତ୍ତମାନ ଅଣ୍ଡାଦାନ ପାଇଁ ପରିବେଶ ଅନୁକୂଳ ରହିଛି । ପ୍ରତ୍ୟେକ କଇଁଛ ପ୍ରାୟ ୧୨୦ରୁ ଅଧିକ ଅଣ୍ଡାଦେବା ପରେ ବାଲିରେ ପୋତି ସମୁଦ୍ରକୁ ଫେରିଯାଇଥାନ୍ତି । ଅଣ୍ଡା ଦେବାର ୪୫ ଦିନ ପରେ ଅଣ୍ଡାରୁ ଛୁଆ ବାହାରି ସମୁଦ୍ରକୁ ଯାଇଥାନ୍ତି । 

ଅନ୍ୟପଟେ ବନ ବିଭାଗ କର୍ମଚାରୀମାନେ ସାମୁଦ୍ରିକ କଇଁଛ ସୁରକ୍ଷିତ ସମେତ ଗଣ ଅଣ୍ଡାଦାନ ଉପରେ ଦୃଷ୍ଟି ରଖିଛନ୍ତି । ୨୦୨୪ରେ ଗଣ ଅଣ୍ଡାଦାନ ହୋଇନଥିବା ବେଳେ ଚଳିତ ବର୍ଷ ଏହି ଗଣ ଅଣ୍ଡାଦାନ ହେଉଥିବାର ଦେଖିବାକୁ ମିଳିଛି । କଇଁଛଙ୍କ ଆଗମନ ଓ ଅଣ୍ଡାଦାନ ପ୍ରକ୍ରିୟା ଶେଷ ହେବା ନେଇ ନଭେମ୍ବର ୧ ରୁ ମେ ୩୧ ପର୍ଯ୍ୟନ୍ତ ଆର୍ଯ୍ୟପଲ୍ଲୀରୁ ପ୍ରୟାଗି ୨୦ କିମି ଅଞ୍ଚଳକୁ ସମୁଦ୍ରରେ ନୋ ଫିସିଂ ଜୋନ୍‌ ଭାବେ ଘୋଷଣା କରାଯାଇଛି ।

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.