୨୬ ଯାଏଁ କଲବଲ କରିବ ତାତି, ୪୬ ଡିଗ୍ରୀ ବଢିପାରେ ପାରଦ

Published By : Prameya-News7 Bureau | April 24, 2025 IST

ଭୁବନେଶ୍ୱର ୨୪।୦୪ : ଆସନ୍ତା ୨୬ ତାରିଖ ଯାଏ ଆକାଶରୁ ଅଗ୍ନିବର୍ଷା ଜାରି ରହିବ । ଡହଡହ ଖରା ଓ ପ୍ରଚଣ୍ଡ  ତାତି ସମସ୍ତଙ୍କୁ କଲବଲ କରିବ । ଗୁରୁବାର ସାଂଘାତିକ ରୂପ ନେଇପାରେ ଗ୍ରୀଷ୍ମ ପ୍ରକୋପ । ଝାରସୁଗୁଡ଼ାରେ ତାତି ପୁଣି ୪୬ ଡିଗ୍ରୀ ଛୁଇଁପାରେ । ଭୀଷଣ ଗ୍ରୀଷ୍ମ ପ୍ରବାହରେ ଛଟପଟ ହୋଇପାରନ୍ତି ଝାରସୁଗୁଡ଼ାବାସୀ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୪୪ ଡିଗ୍ରୀ ପାଖାପାଖି ରହିବା ଆଶଙ୍କା ଅଛି । ଉପକୂଳ ଓ ଦକ୍ଷିଣ  ଓଡ଼ିଶାର ବିଭିନ୍ନ ସ୍ଥାନରେ ଭୀଷଣ ଗୁଳୁଗୁଳି ନୟାନ୍ତ କରିପାରେ । 

ପାଣିପାଗ ବିଭାଗ ଏଭଳି ସତର୍କ କରାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଗୁରୁବାର ଝାରସୁଗୁଡ଼ାରେ ଅତି ଭୀଷଣ ଗ୍ରୀଷ୍ମପ୍ରବାହ ଆଶଙ୍କା ରହିଛି । ବୁଧବାର ୪୫.୪ ଡିଗ୍ରୀ ତାତି ଥିଲା ଝାରସୁଗୁଡ଼ାରେ । ବୁଧବାର ଏଠି ୪୬ ଟପିଥିଲା ପାରଦ । ଗତ କିଛିଦିନ ହେବ ଝାରସୁଗୁଡ଼ା ଯେମିତି ତତଲା ପିଣ୍ଡ ପାଲଟିଯାଇଛି ଦେଶରେ ।   

ଗୁରୁବାର ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ବରଗଡ଼ରେ ଗ୍ରୀଷ୍ମପ୍ରବାହ ଆଶଙ୍କା ଅଛି। ସମ୍ବଲପୁର, ସୁନ୍ଦରଗଡ଼ ଓ ବଲାଙ୍ଗୀରରେ ରାତିବେଳା ବି  ଗରମରୁ ନିସ୍ତାର ମିଳିବା ଆଶା କମ୍‌। ସେହିପରି କଳାହାଣ୍ଡି, ନୂଆପଡ଼ା, ଦେବଗଡ଼ ଓ ଅନୁଗୁଳରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ। ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଗରମ ଓ ଗୁଳଗୁଳି ଲୋକଙ୍କୁ ନାକେଦମ କରିପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର ଓ  ଢେଙ୍କାନାଳରେ ଏଭଳି ସ୍ଥିତି ରହିବ ବୋଲି ସତର୍କ କରାଯାଇଛି ।   

ଆସନ୍ତା ୨୫ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା,  ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି, ଅନୁଗୁଳ ଓ ଦେବଗଡ଼ରେ  ଗ୍ରୀଷ୍ମପ୍ରବାହ ସ୍ଥିତି ଆଶଙ୍କା ଅଛି । ଉପକୂଳ ଓଡ଼ିଶା ସମେତ ଗଞ୍ଜାମ, ଗଜପତି, କେନ୍ଦୁଝର ଓ ଢେଙ୍କାନାଳରେ ଭୀଷଣ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ ।  

୨୬ ତାରିଖରେ ବରଗଡ଼, ସମ୍ବଲପୁର, ସୋନପୁର,  ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡ଼ାରେ ପ୍ରଚଣ୍ଡ ତାତି  ରହିବ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଓ ଗୁଳୁଗୁଳି ନେଇ ପାଣିପାଗ ବିଭାଗ ଆକଳନ କରିଛି । ୨୭ ତାରିଖରୁ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ଅଛି । ଆଭ୍ୟନ୍ତରୀଣ ଓଡ଼ିଶା  ଓ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମଧରଣ ବର୍ଷା ହୋଇପାରେ। ମୟୂରଭଞ୍ଜ ଓ କେନ୍ଦୁଝର ସମେତ ଉପକୂଳ  ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ସମ୍ଭାବନା ଅଛି । ୨୭ରୁ ବର୍ଷା ହେଲେ ହିଁ ତାତିରୁ ତ୍ରାହି ମିଳିବ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.