ଝୁରୁଛି ଓଲିଉଡ୍‌, ମନେପଡନ୍ତି ଷ୍ଟାର ମେକର ହର ପଟ୍ଟନାୟକ

Published By : Prameya-News7 Bureau | October 12, 2024 IST

ଭୁବନେଶ୍ୱର ୧୨।୧୦ : ନାଇଁ ନାଇଁ ମ ଆମ ଓଡିଶାରେ ଏମିତି ହୁଏନି, କିରେ ବିଷୁ ଏ ଜଙ୍ଗଲି ହରଣୀଟା କିଏ କିରେ... ଏମିତି କିଛି ଦମ୍‌ଦାର ଏବଂ ମଜାଦାର ଡାଇଲଗ୍‌ କହି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିବା ଲୋକଟି ଆଜି ଆମ ଗହଣରେ ନାହାନ୍ତି ସତ । ହେଲେ ସବୁ ଦିନ ପାଇଁ ଓଲିଉଡ୍‌ର ଇଣ୍ଡଷ୍ଟ୍ରିର କିଙ୍ଗ ମେକର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଯାଇଛନ୍ତି । ସେ ଆଉ କେହି ନୁହନ୍ତି.. ସେ ହେଉଛନ୍ତି ଅଭିନେତା, ନିର୍ଦ୍ଦେଶକ ତଥା ପ୍ରଯୋଜକ ହର ପଟ୍ଟନାୟକ । ଆଜି ତାଙ୍କ ଜନ୍ମଦିନରେ ଝୁରୁଛି ପୁରା ଓଡିଶା, ଆଉ ମନେ ପକାଉଛି ଓଲିଉଡ୍‌ ଇଣ୍ଡଷ୍ଟ୍ରି।   

୧୯୫୮ ମସିହା ଅକ୍ଟୋବର ୧୨ ତାରିଖରେ କଟକର ହର ପଟ୍ଟନାୟକଙ୍କ ଜନ୍ମ । ଛୋଟ ବେଳୁ କଳା ପ୍ରତି ତାଙ୍କର ବେଶ ଆଗ୍ରହ ଥିଲା । ଯାହାକି ତାଙ୍କୁ ପରବର୍ତ୍ତୀ ସମୟରେ ମଞ୍ଚ, ନାଟକ ପ୍ରତି ଆକୃଷ୍ଟ କରିଥିଲା । ଧୀରେ ଧୀରେ ନିଜର ମଞ୍ଚ ଏବଂ ନାଟକରେ ଅଭିନୟ କରୁ କରୁ ପାଦ ଥାପିଥିଲେ ଓଲିଉଡ୍‌ ଇଣ୍ଡଷ୍ଟ୍ରି । ଆଉ ଜୀବନ ସଂଗ୍ରାମ ଫିଲ୍ମ ଜରିଆରେ ଓଲିଉଡ୍‌ ଇଣ୍ଡଷ୍ଟ୍ରିରେ ନିଜର ଡେବ୍ୟୁ କରିଥିଲେ । ଏହାପର ଠାରୁ ଆଉ ପଛକୁ ଫେରିଲେନି । ୧୯୮୫ରେ ଆସିଥିବା ଫିଲ୍ମ ସହରୀ ବାଘ ତାଙ୍କୁ ଘରେ ଘରେ ବେଶ୍‌ ପରିଚିତ କରାଇଥିଲା । ଖାସ୍‌ କରି ହର ପଟ୍ଟନାୟକଙ୍କ ନେଗେଟିଭ୍‌ ରୋଲ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା । ଆଉ ପସନ୍ଦ ମଧ୍ୟ କରୁଥିଲେ । ଯାହାର ପରିଣତି ହେଲେ କି ପରବର୍ତ୍ତୀ ସମୟରେ ଯେକୌଣସି ବି ଫିଲ୍ମରେ ହର ପଟ୍ଟନାୟକ ଅଭିନୟ କରିଥିଲେ ।ଅଧିକାଂଶ ଫିଲ୍ମରେ ତାଙ୍କୁ ନେଗେଟିଭ୍‌ ରୋଲ୍‌ ହିଁ ମିଳୁଥିଲା । ସେ ଯୋର ଯାର ମୂଲକ ତାର ହେଉ କି ସୁନା ଚଢେଇ, ଯାହାକୁ ରଖି ଅନନ୍ତ, ଆସୁଛି ମୋ କାଳିଆ ସୁନା । ଏହାପରେ ୧୯୯୦ରେ ଆସିଥିବା ଫିଲ୍ମ ଦଇବ ଦଉଡି ତାଙ୍କ କ୍ୟାରିୟରରୁ ନୂଆ ଗତି ଦେଇଥିଲା । କାହିଁକି ନା ଏହି ଫିଲ୍ମ ଜରିଆରେ ହର ପଟ୍ଟନାୟକ ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଦେଇଥିଲେ । ଏହାପରେ ୧୯୯୧ରେ କପାଳ ଲେଖନ, ୧୯୯୩ରେ ଭାଗ୍ୟ ହାତେ ଡୋରି,  ୧୯୯୬ରେ ଯଶୋଦା, ସୁହାଗ ସିନ୍ଦୁର, ପୁଅ ମୋର ଭୋଳା ଶଙ୍କର, ୧୯୯୭ରେ ନାରି ବି ପିନ୍ଧିପାରେ ରକ୍ତ ସିନ୍ଦୁର, ଗଙ୍ଗା ଯମୁନା, ୧୯୯୯ରେ ପରଦେଶୀ ବାବୁ, କଲ୍‌କୀ ଅବତାର, ୨୦୦୩ରେ ଏ ଯୁଗର କୃଷ୍ଣ ସୁଦାମା, ୨୦୦୪ରେ ସାଥୀରେ , ବର୍ଷା ମାଇଁ ଡାଲିଂ, ଆଇ ଲଭ ୟୁ, ୨୦୦୫ ଅର୍ଜୁନ, ୨୦୦୬ରେ ଥ୍ୟାଙ୍କ୍‌ ୟୁ ଭଗବାନ, ୨୦୦୭ରେ ପାଗଳ ପ୍ରେମୀ, ୨୦୦୯ରେ ରୋମିଓ ଦି ଲଭର ବୟ, ୨୦୧୨ରେ ଓମ୍‌ ସାଇ ରାମ୍‌ର ନିର୍ଦ୍ଦେଶନା ଦେଇଥିଲେ । 

ତେବେ ଜଣେ ଅଭିନେତା ଏବଂ ନିର୍ଦ୍ଦେଶକ ବ୍ୟତୀତ ହର ପଟ୍ଟନାୟକ ଓଲିଉଡ୍‌ ଇଣ୍ଡଷ୍ଟ୍ରିର ଷ୍ଟାର ମେକର୍‌ ଭାବେ ବେଶ୍‌ ଜଣାଶୁଣା ଥିଲେ । ଖାସ୍‌ କରି ନୂଆ ନୂଆ ହିରୋଙ୍କୁ ଫିଲ୍ମରେ ଚାନ୍ସ ଦେବା ନେଇ ହର ପଟ୍ଟନାୟକଙ୍କ ବେଶ୍‌ ଜଣାଶୁଣା ଥିଲେ । ସେ ୨୦୦୪ରେ ଆଇ ଲଭ୍‌ ୟୁ ଫିଲ୍ମ ଜରିଆରେ ଅନୁଭବ ପଟ୍ଟନାୟକଙ୍କୁ ଚାନ୍ସ ଦେବା ହେଉ କି ୨୦୦୭ରେ ଆସିଥିବା ପାଗଳ ପ୍ରେମୀରେ ସବ୍ୟସାଚୀଙ୍କ ହିରୋ କରିବା । ଏହାବ୍ୟତୀତ ୨୦୦୯ରେ ଆସିଥିବା ରୋମିଓ ଦ ଲଭର ବୟରେ ବାବୁଶାନ୍‌ଙ୍କୁ ହିରୋ ଭାବେ ଓଲିଉଡ୍‌ରେ ଏଣ୍ଟ୍ରି କରାଇବା । ଯାହାକି ପରବର୍ତ୍ତୀ ସମୟରେ ଏହି ସବୁ ହିରୋ ମାନେ ହିଁ ଓଲିଉଡ୍‌ରେ ଜଣେ ଜଣେ ମେଗାଷ୍ଟାର ଭାବେ ପରିଚିତ ହୋଇଥିଲେ । ଶେଷରେ ୨୦୧୫ ମସିହା ଜାନୁଆରୀ ୧୫ରେ ମାତ୍ର ୫୬ ବର୍ଷରେ ହର ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା । ଯାହାକି ଓଲିଉଡ୍‌ ଇଣ୍ଡଷ୍ଟ୍ରି ପାଇଁ ଏକ ବଡ଼ କ୍ଷତି ବୋଲି ସମୀକ୍ଷକମାନେ କୁହନ୍ତି । ଆଜି ଆମ ଗହଣରେ ନାହାନ୍ତି ସତ… ହେଲେ ତାଙ୍କ ଅଭିନିତୀ ଫିଲ୍ମ ଏବଂ ନିର୍ଦ୍ଦେଶନାକୁ ଏବେ ବି ଦର୍ଶକ ଝୁରୁଛନ୍ତି … 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.