ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ମେଡିକାଲ କଲେଜରେ ଚିକିତ୍ସାରେ ଅବହେଳା। ଡାକ୍ତର ଓ ନର୍ସଙ୍କ ଖାମଖିଆଲି ଯୋଗୁ ଜଣେ ଶିଶୁର ଜୀବନ ଚାଲି ଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ମେଡିକାଲରେ ଚାପା ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଗତ ତିନିଦିନ ମଧ୍ୟରେ ରେ ଜଣକ ପରେ ଜଣେ ଶିଶୁଙ୍କ ମୃତ୍ୟୁ ଘଟୁଥିବା ଅଭିଯୋଗ ହୋଇଛି।
ଭୁଲ ଚିକିତ୍ସା ଯୋଗୁଁ ପିଲାର ଜୀବନ ଚାଲି ଯାଇଥିବା ଅଭିଯୋଗ ଆଣିଛନ୍ତି ମୃତ ଶିଶୁର ପରିବାର। ଶ୍ୱାସ ନଳୀରେ ସମସ୍ୟା ରହିଥିବା ଯୋଗୁଁ ଏକ ନିର୍ଦ୍ଧିଷ୍ଟ ପରିବାର ସପ୍ତାହ ତଳେ ନିଜ ସନ୍ତାନକୁ ନେଇ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଇଥିଲେ। ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବା ହେତୁ ଶିଶୁଟିକୁ ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ହେଲେ ଶିଶୁର ସଠିକ ଯତ୍ନ ନିଆଯାଇନଥିବା ଅଭିଯୋଗ ହୋଇଛି।
ବ୍ରହ୍ମପୁର ଏମକେସିଜିକୁ ପ୍ରତିଦିନ ଏକାଧିକ ଶିଶୁ ଚିକିତ୍ସା ନିମନ୍ତେ ଆସୁଛନ୍ତି। ହେଲେ କିଛି ଦିନ ହେଲା ମେଡିକାଲରେ ଗୋଟିଏ ପରେ ଗୋଟିଏ ଶିଶୁର ମୃତ୍ୟୁ ସମସ୍ତଙ୍କ ଚିନ୍ତା ବଢାଇଛି। ଏଭଳି ପରିସ୍ଥିତିରେ ବିଭାଗର ଅଧିକାରୀ କିନ୍ତୁ କ୍ୟାମେରା ସାମନାରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।