ୱାନ୍ ନେସନ୍, ୱାନ୍ ଇଲେକ୍ସନକୁ କ୍ୟାବିନେଟ୍ ଅନୁମୋଦନ ପରେ ରାଜନୀତି ତୀବ୍ର, ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଚକ୍ରାନ୍ତ କହିଲେ ବିରୋଧୀ

Published By : Prameya-News7 Bureau | September 18, 2024 IST

ନୂଆଦିଲ୍ଲୀ: ୱାନ୍ ନେସନ୍, ୱାନ୍ ଇଲେକ୍ସନ ଉପରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱଧୀନ କମିଟି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ରିପୋର୍ଟକୁ କ୍ୟାବିନେଟ୍ ମଞ୍ଜୁରି ପରେ ରାଜନୀତି ବଢିଛି । କ୍ୟାବିନେଟ୍ ଅନୁମୋଦନ ପରେ କଂଗ୍ରେସ ସମେତ ୧୫ ବିରୋଧୀ ଦଳ ଏହାର କଡ଼ା ବିରୋଧ କରିଛନ୍ତି । କଂଗ୍ରେସ ଏହାକୁ ବିଧିସମ୍ମତ ନୁହେଁ ବୋଲି କହିଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ଯୋଜନାକୁ ଜନତାଙ୍କ ଧ୍ୟାନ ହଟାଇବା ଲାଗି ଏକ ପ୍ରୟାସ ବୋଲି କହିଛନ୍ତି । ସେ କହିଛନ୍ତି, 'ଏହା ସଫଳ ହେବ ନାହିଁ...ଜନତା ଏହାକୁ ସ୍ୱୀକାର କରିବେ ନାହିଁ ।' ହରିୟାଣା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଘୋଷଣାପତ୍ର ଜାରି କରିବା ସମୟରେ ଖଡଗେ ଏହି ବୟାନ ଦେଇଛନ୍ତି ।

ଅନ୍ୟପଟେ ବିରୋଧୀ ଦଳଗୁଡ଼ିକର କହିବା ଅନୁସାରେ ଏକାସଙ୍ଗରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ କରିବା କେବଳ କାର୍ଯ୍ୟକାରୀ ଦୃଷ୍ଟିରୁ ଆହ୍ୱାନପୂର୍ଣ୍ଣ ନୁହେଁ, ବରଂ ଏହାଦ୍ୱାରା ଦେଶର ସଂଘୀୟ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଭାବ ପଡ଼ିବ । ସେମାନଙ୍କ କହିବା କଥା ଏହା ଯେ ଭିନ୍ନ ଭିନ୍ନ ରାଜ୍ୟରେ ରାଜନୈତିକ ଏବଂ ସମାଜିକ ପରିପେକ୍ଷରେ ଭିନ୍ନତା ରହିଛି ଏବଂ ଏହି ସବୁକୁ ଏକାସଙ୍ଗରେ ନିର୍ବାଚନ ଜରିଆରେ ସମ୍ଭାଳିବା କଠିନ ହେବ । ଖଡଗେ ଜୋର ଦେଇ କହିଛନ୍ତି, 'ଏହି ଯୋଜନା କେବଳ ସରକାରଙ୍କ ଦ୍ୱାରା ନିଜ ନୀତିରୁ ଜନତାଙ୍କ ଧ୍ୟାନ ହଟାଇବା ପାଇଁ ଏକ ରଣନୀତି ।' କଂଗ୍ରେସ ସହ ଅନ୍ୟ ବିରୋଧୀ ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ ଏପରି ଯୋଜନାକୁ ଲାଗୁ କରିବା ଦ୍ୱାରା ଗଣତନ୍ତ୍ରକୁ ବିପଦ ହୋଇପାରେ ଏବଂ ରାଜ୍ୟର ସ୍ୱତନ୍ତ୍ର ନିଷ୍ପତ୍ତି ନେବା କ୍ଷମତା ଉପରେ ମଧ୍ୟ ପ୍ରଭାବ ପଡ଼ିବ ।

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଉପରେ ଗଠିତ ଉଚ୍ଚ ସ୍ତରୀୟ ସମିତିର ରିପୋର୍ଟ ବୁଧବାର କେନ୍ଦ୍ର କ୍ୟାବିନେଟରେ ଉପସ୍ଥାପନ କରାଯାଇଥିଲା । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ଲୋକସଭା ନିର୍ବାଚନ ଘୋଷଣା ପୂର୍ବରୁ ହିଁ ମାର୍ଚ୍ଚରେ ରିପୋର୍ଟ ହସ୍ତାନ୍ତର କରିଥିଲେ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ସର୍ବସମ୍ମତିରେ ମଞ୍ଜୁରି ଦିଆଯାଇଥିବା ରିପୋର୍ଟକୁ ମନ୍ତ୍ରିମଣ୍ଡଳ ସାମନାରେ ରଖିବା ଆଇନ ମନ୍ତ୍ରଣାଳୟର ୧୦୦ ଦିନିଆ ଏଜେଣ୍ଡାର ଅଂଶ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.