ଭୁବନେଶ୍ୱର ୨୦।୦୭ : ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର । ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ବିସ୍ତୃତ ବର୍ଷା ସମ୍ଭାବନା। ଏନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଏଥିସହ ଉପକୂଳ ଓଡ଼ିଶା ମଧ୍ୟ ଭିଜବ । ଏଥିସହ ତଳିଆ ଅଞ୍ଚଳରେ ଭୂସ୍ଖଳନ ଓ ବନ୍ୟା ସ୍ଥିତି ମଧ୍ୟ ଉପୁଜିପାରେ ବୋଲି ପାଣିପାଗ ବୈଜ୍ଞାନିକ ମତ ରଖିଛନ୍ତି। ଏହି ଲଘୁଚାପ କ୍ଷେତ୍ର ଆଗାମୀ ଦୁଇଦିନ ଯାଏଁ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଓଡିଶା ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
କନ୍ଧମାଳ, କଳାହାଣ୍ଡି, ନୂଆପଡା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ସେହିପରି ୧୧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, ବଲାଙ୍ଗୀର, ବରଗଡ଼, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଲଗାଣ ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ପାଣି ଜମି ରହିବାକୁ ଥିବାରୁ ସମସ୍ୟା ଉପୁଜିପାରେ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୁସ୍ଖଳନ ହୋଇପାରେ । ଏଥିପାଇଁ ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।
wp:embed {"url":"https://www.prameyanews7.com/stuart-broad-enters-the-special-list/","type":"wp-embed","providerNameSlug":"prameya-news-7"} /wp:embed