ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କୀ ହମଲା ପରେ କେନ୍ଦ୍ର ସରକାର ପାକିସ୍ତାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପାକିସ୍ତାନକୁ ପାନେ ଦେବା ପାଇଁ ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ବାସଭବନରେ ଅନୁଷ୍ଠିତ ସୁରକ୍ଷା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ କରାଯିବା ଭାରତ ନିଷ୍ପତ୍ତିରେ ପାକିସ୍ତାନ ଆଗାମୀ ଦିନରେ ପାଣି ବୁନ୍ଦେ ପାଇଁ ଡହଳ ବିକଳ ହେବ।
କଣ ସିନ୍ଧୁ ଜଳ ଚୁକ୍ତିନାମା ?
ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରବାହିତ ସିନ୍ଧୁ ନଦୀ ଓ ଏହାର ଶାଖା ନଦୀରେ ଜଳ ବଣ୍ଟନ ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୦ ମସିହା ସେପ୍ଟେମ୍ବର ୧୯ ତାରିଖରେ ଏକ ଚୁକ୍ତିନାମା ହୋଇଥିଲା। ଏହାକୁ ସିନ୍ଧୁ ଜଳ ଚୁକ୍ତିନାମା କୁହାଯାଏ। ଏହି ଚୁକ୍ତିନାମା ବିଶ୍ଵ ବ୍ୟାଙ୍କର ମଧ୍ୟସ୍ଥତାରେ ହୋଇଥିଲା। ଏହାର ଉଦ୍ଦେଶ୍ୟ ସିନ୍ଧୁ ନଦୀ ଓ ଏହାର ଶାଖା ନଦୀର ଜଳ ଦୁଇ ଦେଶ ମଧ୍ୟରେ ସୁଷମ ବଣ୍ଟନ ହୋଇପାରିବ।
୧୯୬୦ ସେପ୍ଟେମ୍ବର ୧୯ରେ କରାଚିରେ ତତ୍କାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଆୟୁବ ଖାନ ଏହି ଚୁକ୍ତିନାମାରେ ସ୍ଵାକ୍ଷର କରିଥିଲେ। ସିନ୍ଧୁ ନଦୀ ପ୍ରଣାଳୀରେ ଛଅ ନଦୀ ରହିଛି। ଏଥିରେ ସିନ୍ଧୁ, ସତଲେଜ, ଝେଲମ, ଚେନାବ, ରବି ଓ ବ୍ୟାସ୍ ନଦୀ ସାମିଲ। ଏହି ରାଜିନାମା ଅନୁସାରେ ଭାରତ ସିନ୍ଧୁ ନଦୀ ପ୍ରଣାଳୀର ମାତ୍ର ୨୦ ପ୍ରତିଶତ ପାଣି ବ୍ୟବହାର କରି ପାରିବ। ବାକି ୮୦ ପ୍ରତିଶତ ପାଣି ପାକିସ୍ତାନକୁ ପ୍ରବାହିତ ହୁଏ। ସିନ୍ଧୁ ନଦୀକୁ ପାକିସ୍ତାନର ଜୀବନ ରେଖା କୁହାଯାଏ।
ଚୁକ୍ତି ବାତିଲରେ କଣ ପଡ଼ିବ ପ୍ରଭାବ ?
- ପାକିସ୍ତାନର ୮୦ ପ୍ରତିଶତ ଚାଷ ଉପଯୋଗୀ ଜମି ସିନ୍ଧୁ ନଦୀ ପ୍ରଣାଳୀର ପାଣି ଉପରେ ନିର୍ଭର କରେ।
- ଏହି ପାଣିର ୯୩ ପ୍ରତିଶତ ଅଂଶ ଜଳସେଚନ ପାଇଁ ବ୍ୟବହାର କରାଯାଏ। ଏହା ବିନା ଚାଷ ଅସମ୍ଭବ।
- ଏଥିରେ ୨୩୭ ମିଲିୟନରୁ ଅଧିକ ଲୋକଙ୍କ ଭରଣ ପୋଷଣ ହୋଇଥାଏ। ଏଥିରେ ପାକିସ୍ତାନ ସିନ୍ଧୁ ଉପତ୍ୟକାରେ ବସବାସ କରୁଥିବା ୬୧ ପ୍ରତିଶତ ଜନସଂଖ୍ୟା ସାମିଲ।
- ସିନ୍ଧୁ ଓ ଏହାର ଶାଖା ନଦୀରୁ ପାକିସ୍ତାନର ପ୍ରମୁଖ ସହର କରାଚି, ଲାହୋର, ମୁଲତାନ ନିର୍ଭରଶୀଳ।
- ପାକିସ୍ତାନର ତରବେଲା ଓ ମଙ୍ଗଲା ପରି ପ୍ରୋଜେକ୍ଟ ନଦୀ ଉପରେ ନିର୍ଭର।
- ସିନ୍ଧୁ ଜଳ ରାଜିନାମା ସ୍ଥଗିତ ହେଲେ ପାକିସ୍ତାନରେ ଖାଦ୍ୟ ଉତ୍ପାଦନ ଅହେତୁକ ହ୍ରାସ ଘଟିବ। ଏଥିରେ ଲକ୍ଷାଧିକ ଲୋକଙ୍କ ଖାଦ୍ୟ ସୁରକ୍ଷା ପ୍ରତି ବିପଦ ଦେଖାଯିବ।
- ପାକିସ୍ତାନର ସହରାଞ୍ଚଳରେ ଜଳ ଯୋଗାଣ ଠପ୍ ହୋଇଯିବ। ଏମିତି ହେଲେ ପ୍ରଭାବିତ ଅଞ୍ଚଳରେ ଅଶାନ୍ତି ସୃଷ୍ଟି ହେବ।
- ବିଜୁଳି ଉତ୍ପାଦନ ଠପ୍ ହୋଇଯିବ। ଏଥିରେ ଉଦ୍ୟୋଗ ଓ ସହରାଞ୍ଚଳରେ ଅନ୍ଧାର ଛାଇଯିବ।