ପୁରୀ ୨୪।୧୧ : ସୋମବାର ମାର୍ଗଶୀର କୃଷ୍ଣ ଦଶମୀ ତିଥି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି। ଏଥିପାଇଁ ଶ୍ରୀମନ୍ଦିରରେ ଚାରି ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୫ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
ଶ୍ରୀଜୀଉମାନଙ୍କ ଠାରେ ଦୈନଦିନ ଲାଗି ହେଉଥିବା ଚନ୍ଦନର ସୁରକ୍ଷା ନିମନ୍ତେ ମହାପ୍ରଭୁର ପଇତା ଲାଗି ନୀତି କରାଯାଏ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପାଟରା ସେବକଙ୍କୁ ପଇତା ବୋଳିବା ପାଇଁ ତିନି ରଙ୍ଗର ବାସୁଙ୍ଗାପାଟ ଯୋଗାଇଦିଆଯାଏ । ପାଟରା ସେବକ ଉକ୍ତ ବାସୁଙ୍ଗା ପାଟ ନେଇ ଶ୍ରୀଲକ୍ଷ୍ମୀ ମନ୍ଦିର ଜଗମୋହନରେ ବସି ପାଟ ପଇତା ବୋଳିଥାନ୍ତି । ପରେ ସେହି ବାସୁଙ୍ଗା ପାଟରେ ପଇତା ଲାଗି କରାଯାଇଥାଏ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଦ୍ୱିତୀୟ ଭୋଗ ମଣ୍ଡପ ବଢିବା ପରେ ସନ୍ଧ୍ୟା ୫ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ପଇତା ଲାଗି ନୀତି ପରେ ଠାକୁରଙ୍କୁ ମହାସ୍ନାନ କରାଯାଇ ପୁନର୍ବାର ଦର୍ଶନ ବ୍ୟବସ୍ଥା ଚାଲୁ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।