ଶେଖ ହସିନାଙ୍କୁ ଗାଦିଚ୍ୟୁତ କରିବାକୁ ବିଦେଶରୁ ଚାଲିଥିଲା ଷଡ଼ଯନ୍ତ୍ର, ମାଷ୍ଟର ମାଇଣ୍ଡ ଚୀନ-ପାକିସ୍ତାନ: ଗୁଇନ୍ଦା ରିପୋର୍ଟ

Published By : Prameya-News7 Bureau | August 06, 2024 IST

ନୂଆଦିଲ୍ଲୀ: ବାଂଲାଦେଶରେ ବିଦ୍ରୋହ। ଜଳାପୋଡ଼ା, ଲୁଟପାଟ। ସ୍ଥିତି ଏମିତି ହେଲା ଯେ ଶେଷରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ି ଫେରାର ଶେଖ୍ ହସିନା। ଭାରତରେ ନେଇଛନ୍ତି ସରଣ। ଯେଉଁ ପ୍ରଧାନମନ୍ତ୍ରୀ ବାଂଲାଦେଶକୁ ଏକ ଉଚ୍ଚା ସ୍ଥାନକୁ ନେଇଥିଲେ, ବିଶ୍ୱ ଦରବାରରେ ପରିଚୟ ଦେଇଥିଲେ, ମଜଭୁତ ଅର୍ଥନୀତି ବନାଇଥିଲେ ତାଙ୍କର ଏଭଳି ଅବସ୍ଥା ହେଲା କେମିତି ? ତାଙ୍କ ବିରୋଧରେ କିଏ ଉସ୍‌କାଇଲା ଦେଶବାଶୀଙ୍କୁ ? ସଂରକ୍ଷଣକୁ ନେଇ କ’ଣ ଏତେବଡ଼ ଜନ ଆନ୍ଦୋଳନ ତେଜିପାରେ? ଯଦି ଆନ୍ଦୋଳନ ତେଜିଲା ତେବେ ସେନା କରୁଥିଲା କ’ଣ ? ଏସବୁ ନେଇ ଏବେ ପ୍ରଶ୍ନ ଉଠୁଥିବା ବେଳେ ଗୁଇନ୍ଦା ବିଭାଗ ଯେଉଁ ତଥ୍ୟ ଦେଇଛି ତାହା ଗୋଟିଏ ଦେଶର ସାର୍ବଭୌମତ୍ୱ ପାଇଁ ନିଶ୍ଚିନ୍ତ ଚିନ୍ତାଜନକ।

ଶେଖ୍ ହସିନାଙ୍କୁ ଗାଦିଚ୍ୟୁତ କରିବା ପାଇଁ ବହୁ ପୂର୍ବରୁ ହେଉଥିଲା ଭୟଙ୍କର ଷଡ଼ଯନ୍ତ୍ର। ସୁଦୁର ଲଣ୍ଡନରେ ବସି ତିଆରି ଚାଲିଥିଲା ବ୍ଲୁ ପ୍ରିଣ୍ଟ୍। ପାକିସ୍ତାନ, ଚୀନ ଓ ବାଂଲାଦେଶ ବିରୋଧୀ ଦଳର ନେତା ଆଙ୍କିଥିଲେ ପୂରା ନକ୍ସା। କିଛି ମାସ ପୂର୍ବରୁ ବିଦେଶରୁ ଥାଇ ସୋସିଆଲ୍ ମିଡିଆରେ ଶେଖ ହସିନାଙ୍କ ବିରୋଧୀରେ ଚାଲିଲା ପୋଷ୍ଟିଂ। ଟ୍ୱିଟର, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଆୱାମୀ ଲିଗ୍ ଓ ଶେଖ ହସିନା ବିରୋଧୀ ମନ୍ତବ୍ୟ ଓ ଭିଡିଓ ବି ଭାଇରାଲ କରାଗଲା। ଲୋକମନଙ୍କର ହସିନା ସରକାର ବିରୋଧୀ ହାୱା ସୃଷ୍ଟି କରାଗଲା। ଯେତେବେଳେ ଲୋକେ ତାତିଲେ ସେତେବେଳେ ନିଆଁରେ ଘିଅ ଢାଳିଲା ବାଂଲାଦେଶ ନ୍ୟାସ୍‌ନାଲ ପାର୍ଟି ବା ବିଏନ୍‌ପି। ବିଦେଶରୁ ଥାଇ ସୋସିଆଲ୍ ମିଡିଆ ମାଧ୍ୟମରେ ଆନ୍ଦୋଳନକୁ ଆହୁରି ପ୍ରୋତ୍ସାହନ ଦେବାରୁ ଆଜି ବାଂଲାଦେଶର ସ୍ଥିତି ଏମିତି।  

ଗୁଇନ୍ଦା ସୂଚନା ଅନୁସାରେ, ଲଣ୍ଡନରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଏସବୁ ପ୍ଲାନ୍ କରିଥିଲା। ସାଉଦି ଆରବରେ ବିଏନ୍‌ପି ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କର ପୁଅ ତାରିକ ରହମାନ ଓ ଆଇଏସଆଇ ମଧ୍ୟରେ ବୈଠକ ହୋଇଥିବା ବାଂଲାଦେଶ ଅଧିକାରୀଙ୍କ ପାଖରେ ପ୍ରମାଣ ରହିଛି। ବିଦେଶରେ ଥାଇ ଶେଖ ହସିନାଙ୍କ ବିରୋଧରେ ୫୦୦୦ରୁ ଅଧିକ ଟ୍ୱିଟ୍ କରାଯାଇଛି। ପାକିସ୍ତାନ, ଆମେରିକାରୁ ଅଧିକ ପୋଷ୍ଟ କରାଯାଇଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନୀ ସେନା ଏବଂ ଆଇଏସଆଇ ହସିନାଙ୍କ ସରକାରକୁ ଅସ୍ଥିର କରିବାକୁ ଉଦ୍ୟମ କରିଥିଲେ। ହସିନାଙ୍କ ସରକାର ପତ୍ତନ କରି ଚୀନ ଓ ପାକିସ୍ତାନ ସମର୍ଥକ ବିଏନ୍‌ପି ସରକାର ସ୍ଥାପନା କରିବାକୁ ଚେଷ୍ଟା କରିଥିଲେ। ଶେଷରେ ସେମାନଙ୍କ ଚାଲ୍‌ରେ ସଫଳ ହୋଇଛନ୍ତି। ଶେଖ ହସିନାଙ୍କୁ ବାଂଲାଦେଶ ଛାଡ଼ିବାକୁ ପଡ଼ିଛି। ଅନ୍ୟପଟେ ଖାଲିଦା ଜିଆ ଜେଲ୍‌ରୁ ମୁକୁଳିପାରନ୍ତି ବୋଲି ଜଣାପଡ଼ିଛି। 

ଗୁଇନ୍ଦା ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ସମର୍ଥିତ ବାଂଲାଦେଶର ଜମାତେ-ଇସ୍ଲାମୀର ଛାତ୍ର ଶାଖା ଇସ୍ଲାମୀ ଛାତ୍ର ଶିବିରକୁ ପାକିସ୍ତାନ ଆଇଏସଆଇ ଭିତରେ ଭିତରେ ସମର୍ଥନ କରିଥିଲା। ଏହି ଛାତ୍ର ଶାଖା ହିଁ ଦେଶ ବ୍ୟାପୀ ହସିନା ବିରୋଧୀ ଆନ୍ଦୋଳନକୁ ଜଳାଇଥିଲା। ଆଉ ଏସବୁ ପାଇଁ ଯାହା ଟଙ୍କା ଖର୍ଚ୍ଚ ହେଉଥିଲା ତାହା ଚୀନ ପାକିସ୍ତାନ ମାଧ୍ୟମରେ ଦେଉଥିଲା।

ବାଂଲାଦେଶ ଆନ୍ଦୋଳନ ସମୟରେ ସୋସିଆଲ୍ ମିଡିଆର ଆକ୍ଟିଭିଟିକୁ ଯାଞ୍ଚ କରିବା ପରେ ଜଣାପଡ଼ିଲା ଯେ ଆୱାମୀ ଲିଗ୍ ଓ ଶେଖ ହସିନା ବିରୋଧରେ ହୋଇଥିବା ସର୍ବାଧିକ ପୋଷ୍ଟ ବିଏନ୍‌ପି ଓ ତତ୍ ସମ୍ପର୍କିତ ଲୋକମାନେ କରିଥିଲେ। ଆମେରିକାରୁ ସର୍ବାଧିକ ପୋଷ୍ଟ କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.