ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ନେଇ ପୁଣି ଥରେ କୁମ୍ଭୀର କାନ୍ଦଣା ଆରମ୍ଭ କରିଛି ପାକିସ୍ତାନ। ଆଜି କାଶ୍ମୀରବାସୀଙ୍କ ପାଇଁ ଆତ୍ମନିର୍ଭର ଦିବସ ପାଳନ କରିଛି ପାକିସ୍ତାନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଭାରତ ଉପରେ ଅନେକ ଅଭିଯୋଗ ଲଗାଇଛନ୍ତି। ସେ କହିଛନ୍ତି ପାକିସ୍ତାନ ସର୍ବଦା ଜମ୍ମୁ-କାଶ୍ମୀର ଲୋକଙ୍କ ଆତ୍ମ ନିର୍ଣ୍ଣୟ ଅଧିକାରର ପକ୍ଷରେ ରହି ଆସିଛି। ଆମେ ଆଗକୁ ମଧ୍ୟ ରାଜନୈତିକ ଓ କୂଟନୈତିକ ଭାବେ କାଶ୍ମୀରୀଙ୍କ ସମର୍ଥନ କରି ଚାଲିବୁ।
ଶେହବାଜ ସରିଫ କହିଛନ୍ତି, ଜାନୁଆରୀ ୫ ଆଜିର ଦିନରେ ୧୯୪୯ରେ ମିଳିତ ଜାତିସଂଘ ସେହି ଐତିହାସିକ ପ୍ରସ୍ତାବକୁ ଆପଣାଇଥିଲା, ଯାହା ଜମ୍ମୁ-କାଶ୍ମୀରରେ ସ୍ଵାଧୀନତା ଓ ନିରପେକ୍ଷ ଜନମତ ସଂଗ୍ରହର ଗ୍ୟାରେଣ୍ଟି ପ୍ରଦାନ କରାଯାଇଥିଲା। ଶେହବାଜ ଏହା ଉପରେ ଜୋର ଦେଇଛନ୍ତି ଯେ, ଆତ୍ମନିର୍ଣ୍ଣୟର ଅଧିକାର ମିଳିତ ଜାତିସଂଘ ଚାର୍ଟରର ଏକ ମୁଖ୍ୟ ସିଦ୍ଧାନ୍ତ ଅଟେ। ମିଳିତ ଜାତିସଂଘ ମହାସଭା ପ୍ରତି ବର୍ଷ ଆତ୍ମନିର୍ଣ୍ଣୟର ଆଇନଗତ ଅଧିକାରର ଓକିଲାତି କରିବା ପାଇଁ ଏକ ପ୍ରସ୍ତାବ ପାରିତ କରିଥାଏ। ଏହା ଦୁର୍ଭାଗ୍ୟ ଯେ କାଶ୍ମୀରବାସୀ ସାତ ଦଶନ୍ଧି ଧରି ଏହି ଅଧିକାରକୁ ବ୍ୟବହାର କରି ପାରିଲେ ନାହିଁ।
Message of Prime Minister Muhammad Shehbaz Sharif on Right to Self-Determination Day for the People of Jammu & Kashmir pic.twitter.com/lVMbsHDLxM
— Prime Minister's Office (@PakPMO) January 5, 2025
ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ସମୟ ଆସି ଯାଇଛି ମିଳିତ ଜାତିସଂଘ ସହିତ ଅନ୍ତର୍ଜାତୀୟ ସମୁଦାୟ ନିଜର ପ୍ରତିଶ୍ରୁତି ପାଳନ କରିବା ଦିଗରେ ପଦକ୍ଷେପ ନେଉ। ଯଦ୍ଵାରା ଜମ୍ମୁ-କାଶ୍ମୀରର ଲୋକଙ୍କ ଆତ୍ମନିର୍ଣ୍ଣୟର ନିଜ ଅଧିକାରର ପ୍ରୟୋଗ କରି ପାରିବେ। ପାକିସ୍ତାନୀ ପ୍ରଧାନମନ୍ତ୍ରୀ ମାନବାଧିକାରର ଉଲ୍ଲଂଘନକୁ ତତ୍କାଳ ରୋକିବା, ରାଜନୈତିକ କଏଦୀଙ୍କୁ ମୁକ୍ତ କରିବା ଓ କାଶ୍ମୀରୀ ଲୋକଙ୍କ ମୌଳିକ ଅଧିକାର ଓ ସ୍ଵାଧୀନତା ବଜାୟ ରଖିବାକୁ ଅପିଲ୍ କରିଛନ୍ତି।
ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି, ଜମ୍ମୁ-କାଶ୍ମୀରରେ ନିଜର କବଜାକୁ ଆହୁରି ମଜବୁତ କରିବା ପାଇଁ ଭାରତ ଅନେକ ବଳିଷ୍ଠ ପଦକ୍ଷେପ ଉଠାଇଛି। ଏହାର ଆରମ୍ଭ ୨୦୧୯ ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦ ଉଚ୍ଛେଦରୁ ହୋଇଥିଲା। ଭାରତର ଉଦ୍ଦେଶ୍ୟ ବହୁସଂଖ୍ୟକ କାଶ୍ମୀରୀ ଲୋକଙ୍କୁ ସଂଖ୍ୟାଲଘୁରେ ପରିଣତ କରିବା।