ନୂଆଦିଲ୍ଲୀ ୧୩।୪: ମଣିଷକୁ ବଞ୍ଚିବା ଲାଗି ସବୁଠୁ ଜରୁରି ଦୁଇ ଓଳା ଦୁଇ ମୁଠା ଖାଦ୍ୟ, ପିନ୍ଧିବା ପାଇଁ ବସ୍ତ୍ର ଓ ମୁଣ୍ଡଉପରେ ଛପର। ତେବେ ଭାବନ୍ତୁ କୌଣସି ଦେଶରେ ଏ ସବୁ ପାଇଁ ଯଦି ସଂଘର୍ଷ କରିବାକୁ ପଡେ ତେବେ ସେହି ଦେଶରେ ଜୀବନ କେତେ କଷ୍ଟପ୍ରଦ? ଏହିପରି ଏକ ଦେଶ ହେଉଛି ପାକିସ୍ତାନ, ଏବେ ଯେଉଁଠି ଲୋକଙ୍କୁ ଦୁଇ ଓଳା ଦୁଇମୁଠା ଖାଦ୍ୟ ଯୋଗାଡ କରିବା ବି କଷ୍ଟ ହୋଇପଡୁଛି। ଫଳରେ ପାକିସ୍ତାନରେ ଲୋକଙ୍କ କଷ୍ଟ ଅଫ ଲିଭିଂ ବେଳକୁ ବେଳ ବଢିବାକୁ ଲାଗିଛି। ପାକିସ୍ତାନ ଏବେ ଏସିୟାରେ ଏକ ମହଙ୍ଗା ଦେଶରେ ପରିଣତ ହୋଇଛି।
ଏସିୟା ବିକାଶ ବ୍ୟାଙ୍କ (ଏଡିବି)ଙ୍କ ଦ୍ୱାରା ନିକଟରେ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡିଛି। ରିପୋର୍ଟରେ ପାକିସ୍ତାନରେ ଜୀବନଯାପନ ନିମନ୍ତେ ଖର୍ଚ୍ଚ ବେଶ୍ ଅଧିକ ବୋଲି କୁହାଯାଇଛି। ଏହାର ମୁଖ୍ୟ କାରଣ ହେଉଛି ଦେଶର ମୁଦ୍ରାସ୍ପିତି ବୃଦ୍ଧି । ପାକିସ୍ତାନର ମୁଦ୍ରାସ୍ପିତି ହାର ୨୫ ପ୍ରତିଶତ ଉପରେ ସ୍ଥିର ରହିଛି। ଏଣୁ ଦେଶର ମୁଦ୍ରା ବିନିମୟ ଦର ବର୍ଷକୁ ବର୍ଷ ହ୍ରାସ ହେଉଥିବା ବେଳେ ଲୋକେ ଦୈନନ୍ଦିନ ଚଳଣି ନିମନ୍ତେ ରାସନରୁ ଆରମ୍ଭ କରି ଅନ୍ୟ ଜରୁରି ସାମଗ୍ରୀ କ୍ରୟ ନିମନ୍ତେ ମୋଟା ରକମର ବ୍ୟୟ କରୁଛନ୍ତି।
ତେବେ ଏଡିବିଙ୍କ ଏହି ରିପୋର୍ଟରୁ ପାକିସ୍ତାନର ଅର୍ଥ ବ୍ୟବସ୍ଥା ବର୍ଷକୁ ବର୍ଷ ୧.୯ ପ୍ରତିଶତ ହାରରେ ବୃଦ୍ଧି ହେଉଥିବା ମଧ୍ୟ ଜଣାପଡିଛି। ଯାହା ଦେଶ ପାଇଁ ଆଶ୍ୱସ୍ତିକର ନିଶ୍ଚିତ। ପାକିସ୍ତାନୀ ସମ୍ବାଦପତ୍ର ‘ଏକ୍ସପ୍ରେସ ଟ୍ରିବ୍ୟୁନ’ ଏଡିବିଙ୍କ ରିପୋର୍ଟକୁ ଉଦାହରଣ ଦେଇ ଲେଖିଛି ଯେ ଏସିୟାନ ଡେଭଲପମେଣ୍ଟ ଆଉଟ ଲୁକ୍ରେ ପାକିସ୍ତାନ ଲାଗି ଆଗାମୀ ଆର୍ଥିକ ବର୍ଷକୁ ନେଇ ନିରାଶାଜନକ ଛବି ଉପସ୍ଥାପନ କରୁଛି। ଏହି ଅବଧିରେ ଦେଶର ମୁଦ୍ରାସ୍ପିତି ସ୍ତର ୧୫ ପ୍ରତିଶତ ଏ ଜିଡିପି ବିକାଶ ହାର ୨.୮ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଇଛି। ଯାହା ଦେଶର ଏବେକା ସ୍ଥିତିରେ ନିଶ୍ଚିତ ଭଲ ହେବ ବୋଲି ସମ୍ବାଦପତ୍ର ଆଶାପୋଷଣ କରିଛି।
ପାକିସ୍ତାନ ଏବେ ମାନ୍ଦାବସ୍ଥାକୁ ପହଞ୍ଚି ଯାଇଛି। ଦୀର୍ଘ ସମୟ ଧରି ମୂଲ୍ୟ ବୃଦ୍ଧି ପରେ ଏପରି ଅବସ୍ଥା ଉପୁଜିଛି। ବିଶ୍ୱବ୍ୟାଙ୍କ ଗତ ସପ୍ତାହରେ କହିଥିଲେ ଯେ ମୁଦ୍ରାସ୍ପିତି କାରଣରୁ ଦେଶର କୋଟିକୋଟି ଲୋକେ ଗରିବୀ ଜାଲରେ ଫଶି ପାରନ୍ତି। ପାକିସ୍ତାନର ପାଖାପାଖି ୯.୮ କୋଟି ଲୋକେ ପୂର୍ବରୁ ଦାରିଦ୍ର୍ୟତା ମଧ୍ୟରେ ଗତି କରୁଛନ୍ତି। ପାକିସ୍ତାନର ଆର୍ଥିକ ସଂକଟ ପୈଠ ସନ୍ତୁଳନ ବିଗିଡିବା ଯୋଗୁ ହୋଇଛି। ଋଣଭାର ଦେଶକୁ ଏପରି ଅବସ୍ଥାକୁ ନେଇ ଯାଇଛି।