ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କୋଚ୍ ରବି ଶାସ୍ତ୍ରୀଙ୍କ ମତରେ ଘାତକ ଦ୍ରୁତ ବୋଲିଂ ଆକ୍ରମଣ ଓ ଘରୋଇ ପରିସ୍ଥିତିରେ ଖେଳୁ ଥିବାରୁ ଆୟୋଜକ ପାକିସ୍ତାନ ଦଳ ଚଳିତ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଦମଦାର ପ୍ରଦର୍ଶନ କରିପାରେ। ଡିଫେଣ୍ଡିଂ ଚାମ୍ପିଅନ ପାକିସ୍ତାନ ନିକଟରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ଵେ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଲଗାତାର ତିନୋଟି ଦିନିକିଆ ସିରିଜ୍ ଜିତିଛି। ଫଳରେ ଦଳ ଆତ୍ମ ବିଶ୍ଵାସର ସହ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ମଇଦାନକୁ ଓହ୍ଲାଇବ। ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ନିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୧୯ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ। ଏହା ପରେ ଫେବୃଆରୀ ୨୩ରେ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ।
ଶାସ୍ତ୍ରୀ ଆଇସିସି ରିଭ୍ୟୁରେ କହିଛନ୍ତି ଯେ, ପାକିସ୍ତାନ ଏଭଳି ଏକ ଦଳ ଯିଏ ଗତ ଛଅରୁ ଆଠ ମାସରେ ସୀମିତ ଓଭର କ୍ରିକେଟ୍ରେ ଦମଦାର ପ୍ରଦର୍ଶନ କରିଛନ୍ତି। ବିଶେଷ କରି ଦକ୍ଷିଣ ଆଫ୍ରିକାରେ ଦଳର ପ୍ରଦର୍ଶନ ଦମଦାର ଥିଲା। ପାକିସ୍ତାନ ଦଳର ମହତ୍ଵପୂର୍ଣ୍ଣ ଖେଳାଳି ସାମ ଆୟୁବ ଆହତ ହେବା କାରଣରୁ ଚାମ୍ପିଅନ୍ସ ଟ୍ରଫିରୁ ଓହରି ଯାଇଛନ୍ତି। ତଥାପି ଶାସ୍ତ୍ରୀଙ୍କ ଅନୁସାରେ ଏହା ସତ୍ତ୍ଵେ ବି ପାକିସ୍ତାନରେ ଅନେକ ଭଲ ଖେଳାଳି ଅଛନ୍ତି। ଏହି ଦୃଷ୍ଟିରୁ ପାକିସ୍ତାନକୁ ସେମି ଫାଇନାଲ୍କୁ ଉନ୍ନୀତ ହେବା ଉଚିତ୍। ଏହା ପରେ ଯେ କୌଣସି ଦଳ ବି ଜିତି ପାରିବେ।
Also read: ବାରବାଟୀରେ ଫ୍ଲଡ୍ ଲାଇଟ୍ ଲିଭିବା ନେଇ ତେଜିଲା ରାଜନୀତି, ବିଜେପି-ବିଜେଡି ଦୋଷ ଲଦାଲଦି
ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଶାସ୍ତ୍ରୀଙ୍କ କଥା ଉପରେ ସହମତି ବ୍ୟକ୍ତ କରି ପାକିସ୍ତାନ ଦ୍ରୁତ ବୋଲିଂ ଆକ୍ରମଣ ଉପରେ ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି, ଏଥିରେ ଶାହୀନ ଆଫ୍ରିଦି, ନସୀମ ଶାହ, ହାରିସ ରଉଫ, ମହମ୍ମଦ ହସନେନ ସାମିଲ। ମୁଁ ରବିଙ୍କ କଥାରେ ପୂରା ସହମତ। ଆୟୁବ ଜଣେ ଦମଦାର ଖେଳାଳି ଏବଂ ତାଙ୍କ ଅନୁପସ୍ଥିତି ପୂରା କରିବା ମୁସ୍କିଲ। କିନ୍ତୁ ପାକିସ୍ତାନର ଦ୍ରୁତ ବୋଲିଂ ଆକ୍ରମଣ ବେଶ ଘାତକ ରହିଛି। ଶାହୀନ ଆଫ୍ରିଦି ଓ ନସୀମ ଶାହଙ୍କ ନେତୃତ୍ଵାଧୀନ ଦଳର ଦ୍ରୁତ ବୋଲର ନିକଟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ନିକଟରେ କୌଣସି ପ୍ରକାରର ବ୍ୟାଟିଂକ୍ରମକୁ ଅଡ଼ୁଆରେ ପକାଇବାର ସାମର୍ଥ୍ୟ ଓ ଦକ୍ଷତା ରହିଛି।