ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସ୍ଥିତି ଜାରି ରହିଛି । ପ୍ରତିଦିନ କିଛି ନୂଆ ଏବଂ ବଡ଼ ସୂଚନା ସାମ୍ନାକୁ ଆସୁଛି । ଉଭୟ ଦେଶର ନେତା ଲଗାତାର ବୟାନ ଦେଉଛନ୍ତି । ଏହାରି ଭିତରେ ପିଓକେର ଏଲଓସି ନିକଟରେ ରହୁଥିବା ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ମହଜୁଦ କରିବାକୁ ନିର୍ଦ୍ଦେଶ ଦେଇଛି ପାକିସ୍ତାନ ପ୍ରଶାସନ ।
ପିଓକେ ପ୍ରଧାନମନ୍ତ୍ରୀ ଚୌଧୁରୀ ଅନୱାର ଉଲ୍ ହକ୍ ବିଧାନସଭାରେ କହିଛନ୍ତି ଯେ ନିୟନ୍ତ୍ରଣ ରେଖା ନିକଟରେ ଅବସ୍ଥିତ ୧୩ଟି ନିର୍ବାଚନ ମଣ୍ଡଳୀରେ ଦୁଇ ମାସ ପାଇଁ ଖାଦ୍ୟ ସାମଗ୍ରୀ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ହକ୍ କହିଛନ୍ତି ଯେ ଆଞ୍ଚଳିକ ସରକାର ୧୩ଟି ନିର୍ବାଚନ ମଣ୍ଡଳୀରେ "ଖାଦ୍ୟ, ଔଷଧ ଏବଂ ଅନ୍ୟାନ୍ୟ ସମସ୍ତ ମୌଳିକ ଆବଶ୍ୟକତା" ଯୋଗାଣ ସୁନିଶ୍ଚିତ କରିବା ପାଇଁ ୧ ବିଲିୟନ ଟଙ୍କାର ଏକ ଜରୁରୀକାଳୀନ ପାଣ୍ଠି ତିଆରି କରିଛନ୍ତି ।
ପ୍ରଧାନମନ୍ତ୍ରୀ ଚୌଧୁରୀ ଅନୱର କହିଛନ୍ତି ଯେ ନିୟନ୍ତ୍ରଣ ରେଖା ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡ଼ିକରେ ରାସ୍ତା ମରାମତି ପାଇଁ ସରକାରୀ ଏବଂ ଘରୋଇ ଯନ୍ତ୍ରପାତି ମଧ୍ୟ ନିୟୋଜିତ କରାଯାଉଛି । ସେପଟେ ପିଓକେରେ ହଜାରରୁ ଅଧିକ ମଦ୍ରାସାକୁ ଅତି କମରେ ୧୦ ଦିନ ପାଇଁ ବନ୍ଦ କରିଦିଆଯାଇଛି । ସୂତ୍ର ଅନୁସାରେ ଭାରତରୁ ପ୍ରତିଜବାବ ଭୟରେ ପିଓକେରେ ମଦ୍ରାସାଗୁଡ଼ିକୁ ବନ୍ଦ କରିଦିଆଯାଇଛି ।
ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଥିଲା । ନୂଆଦିଲ୍ଲୀ ଇସଲାମାବାଦ ବିରୁଦ୍ଧରେ ଅନେକ କଠୋର କୂଟନୈତିକ ଏବଂ ରଣନୈତିକ ପଦକ୍ଷେପ ନେଇଛି । ଏଥିରେ ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିକୁ ତୁରନ୍ତ ପ୍ରଭାବରୁ ବାତିଲ କରିବା, ଅଟାରି ବୋର୍ଡର ଚେକ୍ ପୋଷ୍ଟକୁ ବନ୍ଦ କରିବା, ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ସେବାକୁ ତୁରନ୍ତ ପ୍ରଭାବରୁ ବନ୍ଦ କରିବା ସାମିଲ ଥିଲା । ଏହାସହ ପାକିସ୍ତାନ ବିମାନ ପାଇଁ ଭାରତ ନିଜ ଆକାଶ ମାର୍ଗ ମଧ୍ୟ ବନ୍ଦ କରିଛି ।