ଆସିପାରୁନି ପଶ୍ଚିମବଙ୍ଗରୁ ଆଳୁ, ମାର୍କେଟରେ ଆଳୁ ଦର ଆକାଶ ଛୁଆଁ

Published By : Prameya-News7 Bureau | August 09, 2024 IST

ଭୁବନେଶ୍ୱର ୦୯/୦୮: ଆଳୁ ମାଡ଼ରୁ ଖାଉଟିଙ୍କୁ ନିସ୍ତାର ନାହିଁ । ଟ୍ୱିନସିଟିରେ ଆଳୁ କିଲୋ ପିଛା ୬୦ ଛୁଇଁଛି । ୪ ଦିନ ହେବ ଗାଡ଼ି ଆସୁନଥିବା ଓ ଉତ୍ତରପ୍ରଦେଶ ଆଳୁ ପ୍ରତି ଗ୍ରାହକ ମୁହଁ ମୋଡ଼ିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଆଳୁ ଅଭାବ ପଡ଼ୁଥିବାରୁ ବେପାରୀମାନେ ମନଇଚ୍ଛା ଦର ବଢ଼ାଇ ଚାଲିଛନ୍ତି । ଫଳରେ ଖାଉଟିଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । 

ଦରରେ ଲଗାମ ଲାଗୁନଥିବାରୁ ଚିନ୍ତା ଦେଖାଦେଇଛି । ଆଳୁ ସଙ୍କଟକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପୂର୍ବର ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ୨୪ବର୍ଷର ଶାସନ କାଳରେ ରାଜ୍ୟରେ ଆଳୁ ଉତ୍ପାଦନ ବଢ଼ାଇବା ପାଇଁ କୌଣସି ଯୋଜନା କଲେନି । ରାଜ୍ୟ ଆଳୁ ଚାଷରେ ପଛରେ ପଡ଼ିଛି, ଏଠି ବାର୍ଷିକ ଉତ୍ପାଦନ ମାତ୍ର ୩ଲକ୍ଷ କୁଇଣ୍ଟାଲ । 

ଏଭଳି ସ୍ଥିତିରେ ଆମେ ପଡୋଶୀ ରାଜ୍ୟ ଉପରେ ଭରସା କରୁଛୁ । ପଶ୍ଚିମବଙ୍ଗ ଆଳୁ କ’ଣ ପାଇଁ ଦେଉନି ତାହା ସ୍ପଷ୍ଟ ହେଉନି । ତଥାପି ଆମେ ଆଲୋଚନା ଜାରି ରଖିଛୁ । ଆଜି କିଛି ଗାଡ଼ି ଆସିଛି । ଶୁକ୍ରବାର ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରୁ ଆହୁରି ଗାଡ଼ି ଆସିବ । ଏହାପରେ ଦର କମିବାର ସମ୍ଭାବନା ରହିଛି । ବୁଧବାର ପର୍ଯ୍ୟନ୍ତ ରାଜଧାନୀ ବଜାରରେ ଆଳୁ କେଜି ପିଛା ୫୦ ଟଙ୍କା ରହିଥିବା ବେଳେ ଆଜି ୧୦ଟଙ୍କା ବଢ଼ିଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.