ନୂଆଦିଲ୍ଲୀ ୨୯।୧୨: କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ସରକାରଙ୍କୁ ବଜେଟ ପରାମର୍ଶରେ ଇନ୍ଧନ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିବାକୁ ସୁପାରିଶ କରିଛି, ଯାହାଦ୍ୱାରା ଆବଶ୍ୟକତା ବୃଦ୍ଧି କରାଯାଇ ପାରେ। ଉଦ୍ୟୋଗ ସଙ୍ଗଠନ କହିଛି ଯେ ଆବଶ୍ୟକତା ବୃଦ୍ଧି କରିବା ପାଇଁ ଖାସ କରି ନିମ୍ନ ଆୟକାରୀ ସ୍ତରକୁ ଏହି ରିହାତି ଦିଆଯାଇପାରେ, କାରଣ ଇନ୍ଧନ ଦର ମୁଦ୍ରାସ୍ପିତିକୁ ବଢାଉଛି।
ସେହିପରି ବଜେଟରେ ବାର୍ଷିକ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ଆୟ ଲାଗି ସୀମାନ୍ତ ଦର କମ କରିବାକୁ ବି ବିଚାର କରିବା ନିମନ୍ତେ ସରକାରଙ୍କ ନିକଟରେ ଦାବି କରାଯାଇଛି। ସିଆଇଆଇ କହିଛି ଯେ ଏହା ଦ୍ୱାରା ଖର୍ଚ୍ଚ, ଉଚ୍ଚବିକାଶ ଓ ଉତ୍ତ ରାଜସ୍ୱ ଚକ୍ରକୁ ଗତି ଦେବାକୁ ସହାୟତା ମିଳିବ। ପରାମର୍ଶରେ ଏହା ବି କୁହାଯାଇଛି ଯେ ଲୋକଙ୍କ ନିମନ୍ତେ ଉଚ୍ଚତମ ସୀମାନ୍ତ କର ହାର ୪୨.୭୪ ପ୍ରତିଶତ ଓ କର୍ପୋରେଟଙ୍କ ନିମନ୍ତେ ୨୫.୧୭ ପ୍ରତିଶତ ମଧ୍ୟରେ ଅନେକ ଅନ୍ତର ରହୁଛି। ଫଳରେ ମୁଦ୍ରାସ୍ପିତି ନିମ୍ନ ଓ ମଧ୍ୟମ ଆୟକାରୀଙ୍କ କ୍ରୟ ଶକ୍ତିକୁ ହ୍ରାସ କରିଛି।
ସିଆଇଆଇ କହିଛି ଯେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ପେଟ୍ରୋଲ ଖୁଚୁରା ମୂଲ୍ୟର ପାଖାପାଖି ୨୧ ପ୍ରତିଶତ ଓ ଡିଜେଲ ଲାଗି ୧୮ ପ୍ରତିଶତ ରହିଛି। ଯଦିଓ ବୈଶ୍ୱିକ ସ୍ତରରେ ଅଶୋଧିତ ତୈଳ ଦରରେ ୪୦ ପ୍ରତିଶତ ହ୍ରାସ ହୋଇଛି ମେ ୨୦୨୨ରୁ ଏହି ମୂଲ୍ୟ ଆଡଜଷ୍ଟ କରାଯାଇ ନାହିଁ। ଏଣୁ ଇନ୍ଧନ ମୁଦ୍ରାସ୍ପିତି ହ୍ରାସ କରାଗଲେ ସମଗ୍ର ମୁଦ୍ରାସ୍ପିତି ହ୍ରାସ ହେବା ସହ ଖର୍ଚ୍ଚ ଯୋଗ୍ୟ ଆୟ ବଢିବାରେ ସହାୟତା ମିଳିବ। ସିଆଇଆଇ ସ୍ୱଳ୍ପଆୟକାରୀ ସମୂହଙ୍କୁ ଲକ୍ଷ୍ୟ କରି ଉପଭୋଗ ଭାଉଚର ଆରମ୍ଭ କରିବାକୁ ପରାମର୍ଶ ଦେଇଛି।
ସିଆଇଆଇ ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ କହିଛନ୍ତି ଯେ ଘରୋଇ ଉପଭୋଗ ଭାରତର ବୃଦ୍ଧି ଯାତ୍ରାରେ ଗୁରୁପୂର୍ଣ୍ଣ ଯୋଗଦାନ ରହିଛି। ହେଲେ ମୁଦ୍ରାସ୍ପିତି ଚାପ ଉପଭୋକ୍ତାଙ୍କ କ୍ରୟ ଶକ୍ତିକୁ ଅନେକାଂଶରେ କମ କରିଦେଇଛି। ସରକାରୀ ହସ୍ତକ୍ଷେପ ଦ୍ୱାରା ଖର୍ଚ ଯୋଗ୍ୟ ଆୟ ବୃଦ୍ଧି ଓ ଆର୍ଥିକ ଗତିକୁ କାୟମ ରଖିବା ଉପରେ ଧ୍ୟାନ କେନ୍ଦିତ କରିବାକୁ ପରାମର୍ଶ ଦିଆଯାଇଛି।