ନୂଆବର୍ଷର ପ୍ରଥମ ଦିନରେ ନିବେଶକ ଖୁସି, ୩ ଲକ୍ଷ କୋଟି ଟଙ୍କା ବଢିଲା ସମ୍ପତ୍ତି

Published By : Prameya-News7 Bureau | January 01, 2025 IST

ନୂଆଦିଲ୍ଲୀ: ୨୦୨୪ର ଶେଷ ସପ୍ତାହ ସାରା ଲାଲ୍ ସଂକେତରେ ରହିଥିବା ଭାରତୀୟ ସେୟାର ବଜାର ନୂଆବର୍ଷରେ ସବୁଜ ସଂକେତରେ ବନ୍ଦ ହୋଇଛି । ଜାନୁଆରୀ ୧ରେ ସେନସେକ୍ସ ୩୬୮ ଅଙ୍କ ବଢି ବନ୍ଦ ହୋଇଛି । ସେହିଭଳି ନିଫ୍ଟି ୨୩,୭୫୦ ପଏଣ୍ଟ ନିକଟରେ ପହଞ୍ଚି ବନ୍ଦ ହୋଇଛି । ଆଜିର ଏହି ବୃଦ୍ଧି ଯୋଗୁଁ ସେୟାର ବଜାର ନିବେଶକଙ୍କ ସମ୍ପତ୍ତି ପ୍ରାୟ ୩ ଲକ୍ଷ କୋଟି ଟଙ୍କା ବଢିଛି । ବଜାରରେ ଆଜି ସବୁ ସେକ୍ଟରରେ ବୃଦ୍ଧି ଦେଖିବାକୁ ମିଳିଥିଲା । ସ୍ମଲ୍‌କ୍ୟାପ୍ ଇଣ୍ଡେକ୍ସରେ ୧.୦୩ ପ୍ରତିଶତ ବୃଦ୍ଧି ଘଟିଛି । ରିୟଲ୍ଟି ଏବଂ ମେଟାଲକୁ ଛାଡ଼ି ବିଏସ୍‌ଇର ଅନ୍ୟ ସମସ୍ତ ସେକ୍ଟୋରାଲ ଇଣ୍ଡେକ୍ସ ଆଜି ସବୁଜ ସଂକେତରେ ବନ୍ଦ ହୋଇଛି ।

କାରବାର ଶେଷରେ ବିଏସ୍‌ଇ ୩୦ ସେୟାର ବିଶିଷ୍ଟ ସେନସେକ୍ସ ୩୬୮.୪୦ ଅଙ୍କ ବା ୦.୪୭ ପ୍ରତିଶତ ବଢି ୭୮,୫୦୭.୪୧ ଅଙ୍କରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍‌ଏସ୍ଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୯୮.୧୦ ଅଙ୍କ ବା ୦.୪୧ ପ୍ରତିଶତ ବଢି ୨୩,୭୪୨.୯୦ ସ୍ତରରେ ବନ୍ଦ ହୋଇଛି ।

ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକ ମୋଟ ମାର୍କେଟ୍ କ୍ୟାପ୍ ଆଜି ବଢି ୪୪୪.୪୩ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଅର୍ଥାତ୍ ସୋମବାର ଡିସେମ୍ୱର ୩୧ରେ ଏହା ୪୪୧.୩୫ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ବଢି ୩.୦୮ ଲକ୍ଷ କୋଟି ଟଙ୍କା ବଢିଛି । ସରଳ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ଆଜି ପ୍ରାୟ ୩.୦୮ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି । 

ବିଏସଇ ସେନସେକ୍ସର ୩୦ ସେୟାର ମଧ୍ୟରୁ ୨୨ ସେୟାର ସବୁଜ ସଂକେତରେ ଅର୍ଥାତ୍ ବୃଦ୍ଧି ସହ ବନ୍ଦ ହୋଇଛି । ଏଥିରେ ମାରୁତି ସୁଜୁକିର ସେୟାର ସବୁଠୁ ଅଧିକ ୩.୨୬ ପ୍ରତିଶତ ବଢିଛି । ଏହାପରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ବଜାଜ ଫାଇନାନ୍ସ, ଏଲ୍ ଆଣ୍ଡ ଟି ଏବଂ ଟାଟା ମୋଟର୍ସର ସେୟାର ୧.୧୫ ପ୍ରତିଶତରୁ ୨.୪୫ ପ୍ରତିଶତ ମଧ୍ୟରେ ବୃଦ୍ଧି ପାଇଛି । ଅନ୍ୟପଟେ ଟାଟା ଷ୍ଟିଲ୍‌ର ସେୟାରରେ ସବୁଠୁ ଅଧିକ ୦.୯୮ ପ୍ରତିଶତ ହ୍ରାସ ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.