ନୂଆଦିଲ୍ଲୀ ୪।୧: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏବେ ସୁନା କିଣା ରଣନୀତିକୁ ଆପଣେଇଛନ୍ତି। ଏହି କ୍ରମରେ ୨୦୨୫ ବର୍ଷ ଶେଷ ସୁଦ୍ଧା ମୋଟ ୫୦ ଟନ ସୁନା କିଣିବା ପାଇଁ ଯୋଜନା କରାଯାଇଛି। ବୈଦେଶିକ ମୁଦ୍ରାଭଣ୍ଡାରକୁ ମଜଭୁତ କରିବା ସହିତ କରେନ୍ସୀ ମୂଲ୍ୟ ହ୍ରାସ ନିୟନ୍ତ୍ରଣ ସ୍ୱର୍ଣ୍ଣ କ୍ରୟ ନୀତିର ମୂଳ ଉଦ୍ଦେଶ୍ୟ। ହ୍ରାସ ପାଉଥିବା ଟଙ୍କାର ମୂଲ୍ୟକୁ ମଜଭୁତ କରିବା ପାଇଁ ଆରବିଆଇ ସୁନା କ୍ରୟ ଉପରେ ଏବେ ଗୁରୁତ୍ୱ ଦେଉଛନ୍ତି। ଏଣୁ ଗତ ଅକ୍ଟୋବର ମାସରୁ ଆରବିଆଇ ସୁନା କିଣା ବଢେଇଛନ୍ତି।
ଏଣୁ ଫରେନ ଏକ୍ସଚେଞ୍ଜ ଅଂଶ ସ୍ୱରୂପ ଗୋଲ୍ଡ ରିଜର୍ଭ ସେପ୍ଟେମ୍ବର ଶେଷ ସୁଧା ରେକର୍ଡ ହାଇ କୁ ପହଞ୍ଚିଥିଲା। ଫଳରେ ଆମେକୀୟ ଡଲାର ତୁଳନାରେ ଦୁର୍ବଳ ହୋଇପଡୁଥିବା ଟଙ୍କାକୁ ସାମାନ୍ୟ ମଜଭୁତି ମିଳିଥିଲା। ଆରବିଆଇ ଏପ୍ରିଲ-ସେପ୍ଟେମ୍ବର ୨୦୨୪ ମଧ୍ୟରେ ୩୨.୬୩ ଟନ ସୁନା କିଣିଥିଲେ। ତେବେ ଏହା ପୂର୍ବରୁ ମାର୍ଚ୍ଚରେ ଭାରତର ଗୋଲ୍ଡ ରିଜର୍ଭ ୫୨.୬୭ ବିଲିୟନ ଡଲାରରୁ ବଢି ୬୫.୭୪ ବିଲିୟନ ଡଲାରକୁ ପହଞ୍ଚି ଥିଲା। ତେବେ ଆରବିଆଇ ଏକ ରିପୋର୍ଟରେ କହିଛନ୍ତି ଯେ ଭାରତର ୩୨୪.୦୧ ମେଟ୍ରିକ ଟନ ଗୋଲ୍ଡ ବ୍ୟାଙ୍କ ଅଫ ଇଂଲଣ୍ଡ ଓ ବ୍ୟାଙ୍କ ଫର ଇଣ୍ଟରନ୍ୟାସନାଲ ସେଟେଲମେଣ୍ଟସ୍ ସେଫ କଷ୍ଟଡିରେ ରଖାଯାଇଛି।
ଭାରତ ପାଇଁ ସୁନା କେତେ ଗୁରୁତ୍ୱପୂର୍ଣ୍ଣ ତାହା ୧୯୯୧ ମସିହାର ଘଟଣାରୁ ସହଜରେ ବୁଝି ହୁଏ। ଭାରତର ଡିଫଲ୍ଟରରୁ ବର୍ତ୍ତିବା ପାଇଁ ଓ ନିଜର ସମ୍ମାନ ରକ୍ଷା କରିବାକୁ ୮୭ଟନ ସୁନା ବନ୍ଧକ ରଖିବାକୁ ବାଧ୍ୟ ହୋଇଥିଲା। ଏହା ପରେ ଭାରତକୁ ଏମାର୍ଜେନ୍ସୀରେ ବିଦେଶୀ ମୁଦ୍ରାଭଣ୍ଡାର ମିଳିପାରିଥିଲା। ଯାହା ଦ୍ୱାରା ଆମଦାନୀ ପାଇଁ ବୈଦେଶିକ ମୁଦ୍ରା ଦିଆଯାଇପାରିଥିଲା। ବର୍ଦ୍ଧିତ ଆମଦାନୀ ଓ ହ୍ରାସ ହେଉଥିବା ଟଙ୍କାର ମୂଲ୍ୟ ପାଇଁ ଖାଲି ହେଉଥିବା ବିଦେଶୀ ମୁଦ୍ରାଭଣ୍ଡାରର ସ୍ଥିତି ୧୯୯୧ର ଘଟଣା ଭାରତ ପାଇଁ ଏକ ଶିକ୍ଷା ଥିଲା। ଏହି କାରଣରୁ ଭାରତର ଗୋଲ୍ଡ ରିଜର୍ଭକୁ ଅଧିକରୁ ଅଧିକ ବଢାଇବା ପାଇଁ ଆରବିଆଇ ଗୁରୁତ୍ୱ ଦେଉଛନ୍ତି।