ନୂଆଦିଲ୍ଲୀ: ହରିୟାଣାର ନୁହ ଜିଲ୍ଲାରେ ପୁଣି ହିଂସା ଘଟିଛି। ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ଼ ଓ ହିଂସାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହି ପୁରା ଘଟଣା ହରିୟାଣାର ନୁହ ଜିଲ୍ଲା ଅନ୍ତର୍ଗତ ପୁନ୍ନା ପୋଲିସ ଷ୍ଟେସନ ଅଞ୍ଚଳର ଲାହରୱାଡି ଗ୍ରାମରେ ଘଟିଛି। ଜଣେ ୨୪ ବର୍ଷୀୟା ଯୁବତୀଙ୍କୁ ଜୀଅନ୍ତା ଜାଳି ଦିଆଯାଇଛି । ୮ ମାସ ତଳେ ଘଟିଥିବା ଏକ ହତ୍ୟାକାଣ୍ଡରେ ଗିରଫଦାରୀକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ସୂଚନା ଦେଇଛି ପୋଲିସ।
ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯୁବତୀଙ୍କ ପରିବାର ସଦସ୍ୟ ଅଭିଯୁକ୍ତଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଣାନା ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ଧରିବାକୁ ଜୋରଦାର ପ୍ରୟାସ ଚଳାଇଛି। ବର୍ତ୍ତମାନ ପୋଲିସ ପ୍ରମାଣ ସଂଗ୍ରହ କରି ମାମଲାର ତଦନ୍ତ ଆରମ୍ଭ କରିଛି। ହିଂସା ଏବଂ ଅଗ୍ନିକାଣ୍ଡ ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ମୃତ ମହିଳାଙ୍କ ଭାଇଙ୍କ କହିବାନୁସାରେ, ଅଭିଯୁକ୍ତ ତାଙ୍କ ଭଉଣୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଯେଉଁଥିରେ ତାଙ୍କ ଭଉଣୀ ସଂପୂର୍ଣ୍ଣ ଜଳି ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ଦିବ୍ୟାଙ୍ଗ ଥିଲେ । ସେ ଛାଡପତ୍ର ପାଇବା ପରେ ଦୀର୍ଘ ଦିନ ଧରି ତାଙ୍କ ପିତାଙ୍କ ଘରେ ରହୁଥିଲେ। ତାଙ୍କର ମୃତ୍ୟୁ ପରେ ଗାଁରେ ଉତ୍ତେଜନା ଦେଖାଦେଇଛି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଯେତେବେଳେ ପୁରୁଣା ମାମଲାର ଅଭିଯୁକ୍ତ (ରିଜୱାନ୍ ହତ୍ୟା ମାମଲା) ଶୁକ୍ରବାର ପୋଲିସ ଉପସ୍ଥିତିରେ ଲାହରୱାଡି ଗ୍ରାମରେ ସେମାନଙ୍କ ଘରକୁ ଆସିଥିଲେ, ପୀଡ଼ିତାଙ୍କ ପରିବାର ଏହାକୁ ବିରୋଧ କରିଥିଲେ। ପୁରୁଣା ମାମଲାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ ନକରିବା ପ୍ରସଙ୍ଗରେ ଉଭୟ ପକ୍ଷ ମଧ୍ୟରେ ବିବାଦ ଲାଗି ରହିଥିଲା ।