ନୂଆଦିଲ୍ଲୀ,୧୧/୨୫: ୩ ଦିନିଆ ପ୍ୟାରିସ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓର୍ଲି ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନରରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି । ମଙ୍ଗଳବାର ଅର୍ଥାତ୍ ଆଜି ଏଆଇ ଶିଖର ସମ୍ମିଳନୀରେ ସାମିଲ୍ ହେବେ । ପ୍ୟାରିସ୍ ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରନଙ୍କ ଅଧ୍ୟକ୍ଷତାରେ ଏହି ସମିଟ୍ ହେବ । ଏହି ଦ୍ବିପାକ୍ଷିକ ବୈଠକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଂଗକୁ ନେଇ ଆଲୋଚନା ହେବ । ଏହାପରେ ପିଏମ୍ ମୋଦି ଫ୍ରାନ୍ସ ଗସ୍ତ କରିବେ । ଶେଷରେ ଅର୍ଥାତ୍ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଆମେରିକା ଗସ୍ତରେ ଯିବେ । ସେଠାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରି, ତାଙ୍କ ସହିତ ଆଲୋଚନା କରିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପ୍ୟାରିସରେ ପହଞ୍ଚିବା ପରେ ସେଠାରେ ପ୍ରବାସୀ ଭାରତୀୟଙ୍କୁ ଭେଟି ଥିଲେ । ପ୍ରବାସୀମାନେ ମଧ୍ୟ ପିଏମ୍ ମୋଦିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ହାତରେ ତ୍ରିରଙ୍ଗା ଧରି ‘ମୋଦି କୀ ଗ୍ୟାରେଣ୍ଟି’ ସ୍ଲୋଗାନ ଦେଇଥିଲେ । ମୋଦି.. ମୋଦି.. ନାରାରେ କମ୍ପିଥିଲା ହୋଟେଲ ପରିସର । ଏହି ସମୟରେ ଜଣେ ବରିଷ୍ଠ ଶିଖ୍ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କୁ ଖୁବ୍ ପ୍ରଶଂସା କରିଥିଲେ । ପିଏମ୍ ମୋଦି ଶିଖ୍ ଗୁରୁଙ୍କ ଜନ୍ମବାର୍ଷିକୀ ପାଳନ କରୁଥିବା ଜାଣି ଆମେ ଅତ୍ୟନ୍ତ ଖୁସି ଥିବା ମତ ବ୍ୟକ୍ତ କରିଥିଲେ ।
ତେବେ ଆଜି ପ୍ୟାରିସ୍ର ଗ୍ରାଣ୍ଡ ପ୍ୟାଲେସ୍ରେ ହେବାକୁ ଥିବା ଏଆଇ ଆକ୍ସନ ସମିଟ୍ ୨୦୨୫ରେ ସହ-ଅଧ୍ୟକ୍ଷତା କରିବେ ମୋଦି । ଏହି ସମ୍ମିଳନୀରେ ଆମେରିକାର ଉପରାଷ୍ଟ୍ରପତି ଜେ ଡି ଭାନ୍ସ ଓ ଚୀନ୍ର ଉପ ପ୍ରଧାନମନ୍ତ୍ରୀ ବି ଯୋଗଦେବେ । ମୋଦି ନିଜ ଗସ୍ତ କାଳରେ ଫ୍ରାନ୍ସର ମାର୍ସିଲେ ସହରରେ ଭାରତୀୟ ବାଣିଜ୍ୟ ଦୂତାବାସକୁ ଉଦ୍ଘାଟନ କରିବେ । ଅନ୍ତର୍ଜାତୀୟ ଥର୍ମୋନ୍ୟୁକ୍ଲିୟର ଏକ୍ସପେରିମେଣ୍ଟାଲ ରିଆକ୍ଟର ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବେ । ତତ୍ସହିତ ସେ ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପ୍ରାଣ ହରାଇଥିବା ଭାରତୀୟ ସୈନ୍ୟଙ୍କୁ ମଜାରଗ୍ୟୁଜ ଯୁଦ୍ଧ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଦେବେ । ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ପ୍ରଥମ ଥର ପାଇଁ ଫ୍ରାନ୍ସ ଯାଇଛନ୍ତି ।