ସାଉଦି ଆରବ ଗସ୍ତକୁ ଅଧାରେ ଛାଡ଼ି ଭାରତ ଫେରୁଛନ୍ତି PM ମୋଦୀ, ରାତ୍ରି ଭୋଜନରେ ହେଲେନି ସାମିଲ

Published By : Prameya-News7 Bureau | April 23, 2025 IST

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ପହଲଗାମରେ ଆଜି ପର୍ଯ୍ୟଟକଙ୍କ ଉପରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଘଟିଛି। ଏଥିରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ଏହି ଘଟଣା ପୂରା ଦେଶକୁ ସ୍ତବ୍ଧକରି ଦେଇଛି। ସମଗ୍ର ବିଶ୍ଵରେ ଘଟଣାକୁ ନିନ୍ଦା କରାଯାଇଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଉଦି ଆରବ ଯାତ୍ରା ରଦ୍ଦ କରି ତତ୍କାଳ ଭାରତ ଫେରିବାକୁ ନିର୍ଣ୍ଣୟ ନେଇଛନ୍ତି। 

ସଦ୍ୟତମ ସୂଚନା ଅନୁଯାୟୀ, ପହଲଗାମ ଆତଙ୍କୀ ଘଟଣା କାରଣରୁ ପ୍ରଧାନମନ୍ତ୍ରୀ ମୋଦୀ ନିଜର ସାଉଦି ଆରବ ଗସ୍ତକୁ ଅଧାରେ ବାତିଲ କରିଛନ୍ତି। ସେ ଆଜି ରାତିରେ ସାଉଦିର ରାଜଧାନୀ ଜେଦାରୁ ଭାରତ ଫେରିବେ। ଏପରିକି ପ୍ରଧାନମନ୍ତ୍ରୀ ରାତ୍ରଭୋଜନରେ ସାମିଲ ହେବେ ନାହିଁ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଜେଦ୍ଦାରେ ପହଞ୍ଚିଥିଲେ। ଏହି ଗସ୍ତରେ ସେ ଦୁଇ ଦେଶ ମଧ୍ୟରେ ମିତ୍ରତାକୁ ଆହୁରି ମଜବୁତ କରିବା ପାଇଁ ଯୁବରାଜ ମହମ୍ମଦ ବିନ ସଲମାନଙ୍କ ସହ ଆଲୋଚନା କରିଥାନ୍ତେ। 

ଏହି ଘଟଣାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଆତଙ୍କବାଦ ବିରୋଧୀ ଲଢେଇରେ ଆମେରିକା ଭାରତ ସହ ରହିଛି। ପ୍ରାଣ ହରାଇଥିବା ଲୋକଙ୍କ ଆତ୍ମା ପାଇଁ ପ୍ରାର୍ଥନା କରୁଛୁ। ହ୍ଵାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ଯେ,ଟ୍ରମ୍ପ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବେ। ଅନ୍ୟପଟେ କାଶ୍ମୀରରେ ପହଞ୍ଚି ସାରିଛନ୍ତି ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଘଟଣାର ତଦନ୍ତ ଦାୟିତ୍ଵ ଏନଆଇଏକୁ ଦିଆଯାଇଛି। ଆସନ୍ତାକାଲି ଏନଆଇଏ ଟିମ୍ ପହଲଗାମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.