ସାଉଦୀରୁ ଫେରିବା ରାସ୍ତାରେ ପାକିସ୍ତାନ ଏରୋସ୍ପେସକୁ ଗଲାନି ପ୍ରଧାନମନ୍ତ୍ରୀଙ୍କ ବିମାନ, ଆସିଲା ଏହି ରୁଟରେ

Published By : Prameya-News7 Bureau | April 23, 2025 IST

ନୂଆଦିଲ୍ଲୀ ୨୩।୪: ଜମ୍ମୁ-କାଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସାଉଦୀ ଆରବ ଗସ୍ତ ସମାପ୍ତ କରି ଭାରତ ଫେରିଆସିଛନ୍ତି। ତେବେ ଭାରତ ଫେରିବା ରାସ୍ତାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ପାକିସ୍ତାନୀ ବାୟୁସୀମାକୁ ଯାଇ ନାହିଁ। ସୂତ୍ର ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ବିମାନ ରିୟାଦରୁ ଫେରିବା ବେଳେ ପାକିସ୍ତାନ ବାୟୁସୀମାକୁ ଟାଳି ଏକ ବିକଳ୍ପ ମାର୍ଗରେ ଦିଲ୍ଲୀ ପହଞ୍ଚିଛି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦୀ ପହଞ୍ଚିବାର କିଛି ସମୟ ପରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଖବର ଆସିଥିଲା। ଅଧିକାରୀଙ୍କ ଅନୁସାରେ ଆତଙ୍କବାଦୀ ମଙ୍ଗଳବାର ଦକ୍ଷିଣ କାଶ୍ମୀରର ମୁଖ୍ୟ ପର୍ଯ୍ୟଟନସ୍ଥଳ ପହଲଗାମରେ ଆକ୍ରମଣ କରିଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ମଧ୍ୟରେ ୨ ଜଣ ବିଦେଶୀ ମଧ୍ୟ ଅଛନ୍ତି। ଏଥିରୁ ଜଣେ ୟୁଏଇର ହୋଇଥିବା ବେଳେ ଅନ୍ୟ ଜଣକ ନେପାଳର। ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଗସ୍ତକୁ ଅଧାରେ ସମାପ୍ତ କରି ଭାରତ ଫେରିବାକୁ ନିଷ୍ପତ୍ତି ନେଇଥିଲେ। 

ଦିଲ୍ଲୀରୁ ଜେଦ୍ଦା (ସାଉଦୀ ଆରବ) ଯିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ବିମାନ ପାକିସ୍ତାନ ବାୟୁସୀମା ଦେଇ ଯାଇଥିଲା। ତେବେ ଫେରିବା ରାସ୍ତାରେ ମାର୍ଗକୁ ବଦଳା ଯାଇଛି। ଫେରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ଆରବ ସାଗର ଉପର ରାସ୍ତାକୁ ଉପଯୋଗ କରିଥିଲା। ଏହି ରୁଟ ପାକିସ୍ତାନ ବାୟୁସୀମାରୁ ସୁରକ୍ଷିତ ଦୂରରେ ଓମାନ, ୟୁଏଇ ଭଳି ମିତ୍ର ଦେଶଙ୍କ ବାୟୁକ୍ଷେତ୍ର ଦେଇ ଭାରତ ଫେରିଛି। 

ଅନ୍ତର୍ଜାତୀୟ ବେସାମରିକ ଉଡାଣ ସଙ୍ଗଠନ (ଆଇସିଏଓ) ନିୟମ ଅନୁସାରେ ଦେଶମାନେ ସ୍ୱଭାବିକ ପରିସ୍ଥିତିରେ ଅନ୍ୟ ଦେଶଙ୍କ ବିମାନଙ୍କୁ ଖାସ କରି ବେସାମରିବ ଓ ସରକାରୀ ଉଡାଣ ଲାଗି ନିଜ ବାୟୁସୀମାରେ ଯିବା ଲାଗି ଅନୁମତି ଦେବା ଉଚିତ। ଭାରତ ଓ ପାକିସ୍ତାନ ଉଭୟ ଆଇସିଏଓର ସଦସ୍ୟ। ଏଣୁ ସ୍ୱଭାବିକ ପରିସ୍ଥିତିରେ ପାକିସ୍ତାନ ଭାରତର ବିଶେଷ ସରକାରୀ ବିମାନ (ଯେପରି ପ୍ରଧାନମନ୍ତ୍ରୀଙ୍କ ବିମାନ)କୁ ଯାତ୍ରା ଅନୁମତି ଦେଇଥାଏ। 

ଭାରତ ଓ ପାକିସ୍ତାନର ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ସତ୍ତ୍ୱେ ଦୁଇ ଦେଶ ପ୍ରାୟତଃ ଉଭୟ ସରକାରୀ ବିମାନଙ୍କୁ ନିଜ ବାୟୁସୀମା ବ୍ୟବହାର କରିବାକୁ ଦେଇଥାନ୍ତି। ଏହା କୁଟନୈତିକ ପ୍ରୋଟକଲର ଅଂଶବିଶେଷ ପହଲଗାମ ଆକ୍ରମଣ ଦୃଷ୍ଟିରୁ ଭାରତ ଉଭୟ ସୁରକ୍ଷା ଓ କୁଟନୈତିକ କାରଣରୁ ପାକିସ୍ତାନୀ ବାୟୁସୀମାକୁ ଟାଳିବାକୁ ନିଷ୍ପତ୍ତି ନେଇଛି। ତେବେ ଏହି ଦାବିର ଏ ପର୍ଯ୍ୟନ୍ତ ଅଧିକାରୀକ ପୁଷ୍ଟି ହୋଇ ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.