ଏବେ ଚେତାପଶିଲା! ପହଲଗାମ ଗୁଳିକାଣ୍ଡକୁ ନେଇ ରାସ୍ତାକୁ ଓହ୍ଲାଇଲେ କାଶ୍ମୀରବାସୀ, ନୃଶଂସ ହତ୍ୟାକୁ ବିରୋଧ କଲେ

Published By : Prameya-News7 Bureau | April 23, 2025 IST

ଶ୍ରୀନଗର ୨୩।୪: ପହଲଗାମ ଆତଙ୍କବାଦୀ ଗୁଳିକାଣ୍ଡରେ ୨୭ଜଣଙ୍କ ମୃତ୍ୟୁ ହୋଇଛି। ନୈସର୍ଗିକ ପ୍ରାକୃତିକ ସୌନ୍ଧର୍ଯ୍ୟର ଗନ୍ତାଘର ଏବେ ପର୍ଯ୍ୟଟକଙ୍କୁ ଡରାଉଛି। ସହାୟତା ନିମନ୍ତେ ଆର୍ତ୍ତ ଚିତ୍କାର ଓ ପ୍ରିୟଜନଙ୍କ ମୃତ୍ୟୁର ଦୁଃଖ କାଶ୍ମୀର ଉପତ୍ୟାକାର ପବନରେ ଏକ ଅଜବ ନୀରବତା ଭରି ଦେଇଛି। ତେବେ ସ୍ଥାନୀୟ ଲୋକେ ଏହାକୁ ଏମିତି ରହିବାକୁ ଦେବେ ନାହିଁ ବୋଲି ନିଶ୍ଚୟ କରି ନେଇଛନ୍ତି। ଡୋଡା ଓ କାଶ୍ମୀର ଉପତ୍ୟାକାର ଅନ୍ୟ ପଡୋସୀମାନେ ଆତଙ୍କବାଦୀଙ୍କ କୃତ୍ୟକୁ ବିରୋଧ କରି ଏବେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରୁଛନ୍ତି। 

ଦେଶଦ୍ରୋହୀଙ୍କୁ ଗୁଳିକର, ଆମେ ହିନ୍ଦୁଙ୍କ ହତ୍ୟାକୁ ବରଦାସ୍ତ କରିବୁ ନାହିଁ ଲେଖା ପ୍ଲାକାର୍ଡ ଧରି କାଶ୍ମୀର ଗଳିକନ୍ଦିରେ ଲୋକେ ଏବେ ନାନା ସ୍ଲୋଗାନ ଦେଇ ବିକ୍ଷୋଭ କରୁଛନ୍ତି। ଏପରି ହିଂସା ଓ ପର୍ଯ୍ୟଟକଙ୍କୁ ହତ୍ୟା ଗତ କିଛି ବର୍ଷ ହେଲା କାଶ୍ମୀରରେ ହୋଇନଥିଲା। ଉପତ୍ୟାକାରେ ପର୍ଯ୍ୟଟନ ଶିଳ୍ପ ପୁଣି ଫଳିବା ଫୁଲିବା ଆରମ୍ଭ କରିଥିଲା। ହେଲେ ଆତଙ୍କବାଦୀଙ୍କ ଗୁଳିକାଣ୍ଡ ପୁଣି ଥରେ ଉପତ୍ୟାକାକୁ ନେଇ ଲୋକଙ୍କ ମନରେ ଆଶଙ୍କା ଓ ସନ୍ଦେହ ସୃଷ୍ଟି କରିଛି।  ଏହା ଏପରି ଏକ ଡର ଯାହା ଲୋକଙ୍କ ମନରେ ଏବେ ସବୁଦିନ ପାଇଁ ଘର କରି  ରହିଯିବ। 

କାଶ୍ମୀରର ପ୍ରଭାବଶାଳୀ ଲୋକେ ଏହି ଗୁଳିକାଣ୍ଡକୁ ‘ଅକ୍ଷମ୍ୟ, କ୍ରୁର ଏବଂ ଅମାନବୀୟ କୃତ୍ୟ’ କହି ସୋସିଆଲ ମିଡିଆରେ ନିନ୍ଦା କରିବା ଆରମ୍ଭ କରିଛନ୍ତି। ସେମାନେ ଏବେ ପଚାରୁଛନ୍ତି ‘କାଶ୍ମୀର ପୃଥିବୀରେ ସ୍ୱର୍ଗର ଏକ ଟୁକୁରା ଥିଲା,  ନୁହେଁ କି?’ ‘ଦି ରାଣ୍ଡମ ଲିଫାପା’ ପେଜ୍ ଲେଖିଛି ଯେ ଯେତେବେଳେ ସେମାନେ ଅନ୍ୟ ଲୋକଙ୍କ ଘର ଉପରେ ବୋମା ପକାଇଲେ ଆମେ ବିରୋଧ କଲୁ, ହେଲେ ପର୍ଯ୍ୟାପ୍ତ ହେଲାନି, ଏବେ ଦେଖ ଏହା ଆମକୁ କେଉଁଆଡକୁ ନେଇ ଗଲା?

ଏବେ ପହଲଗାମରେ ଯେଉଁ ଘଟଣା ଘଟିଛି ଏହାକୁ କେହି ଉଚିତ ବୋଲି କହି ପାରିବେନି। ବନ୍ଧୁକଧାରୀମାନେ ଲୋକଙ୍କ ମନରେ ଏତେ ଘୃଣା ଭରି ଦେଇଛନ୍ତି ଯେ ସେମାନେ ଏବେ କାହାର ଦୟାର ପାତ୍ର ବି ନୁହନ୍ତି। ଅନ୍ୟ ଜଣେ ଫଟୋଗ୍ରାଫର ଯିଏ ତାଙ୍କ ଫଲୋଅର୍ସଙ୍କୁ ‘କାଶ୍ମୀର ଥ୍ରୁ ମାଇଁ ଲେନ୍ସ’ରେ ଲୋକଙ୍କୁ ଅସଲି କାଶ୍ମୀର ଦେଖାନ୍ତି ଲେଖିଛନ୍ତି ‘ମୁଁ ଭାରି ମନରେ ଲେଖୁଛି ମୁଁ ଯେଉଁଠି ଜନ୍ମ ହୋଇଛି ସାରା ଦୁନିଆ ତାକୁ ସ୍ୱର୍ଗ ବୋଲି କୁହେ। ହେଲେ ଆଜି ମୋର ସ୍ୱର୍ଗ ଆହତ ହୋଇଛି। ଆମେ ଯେଉଁ ଶାନ୍ତି ପାଇଁ ପ୍ରାର୍ଥନା କରୁଥିଲୁ ତାହା ଅକାରଣ ହିଂସାରେ ଛିନଛତ୍ର ହୋଇଯାଇଛି। ଏଥର ସେହି ନିର୍ଦ୍ଦୋଷ ପର୍ଯ୍ୟଟକଙ୍କ ବିରୋଧରେ ହିଂସା ହୋଇଛି ଯେଉଁମାନେ ଘୃଣାରେ ନୁହେଁ ଭଲପାଇବା, ଜିଜ୍ଞାସା ଓ ଆଶ୍ଚର୍ଯ୍ୟରେ କାଶ୍ମୀର ଆସିଥିଲେ’। 

ସେ ଲେଖିଛନ୍ତି ‘ଯେଉଁ ଲୋକଙ୍କ କ୍ଷତି ହେଲା, ସେମାନଙ୍କ ପରିବାର ଓ ଅନ୍ୟ ସମସ୍ତଙ୍କୁ ଯେଉଁମାନେ ଏବେ ମୋ ମାତୃଭୂମିରେ ପାଦ ରଖିବାକୁ ଡରୁଛନ୍ତି ସେମାନଙ୍କୁ ମୁଁ ଅତ୍ୟାନ୍ତ କ୍ଷୋଭର ସହ କହୁଛି ଏଥି ପାଇଁ ମୁଁ ଦୁଃଖିତ। ମୋର ଏହି ଦୁଃଖ ଗଭୀର ଓ ଅସହନୀୟ’। ସେ କହିଛନ୍ତି ଏହି ଆକ୍ରମଣ ଆମେ କରାଇ ନାହୁଁ, ଆମେ ଅତ୍ୟନ୍ତ ଅତିଥି ପ୍ରିୟ ଏବେ ଆମେ ଶୋକ ପାଳନ କରୁଛୁ। ଯିଏ ବି ଆପଣଙ୍କ ବିରୋଧରେ ହାତ ଉଠାଇଛି ସେ କାଶ୍ମୀରର ଆତ୍ମା ପ୍ରତି ଆଘାତ କରିଛି। ଆମେ ବି ଆପଣଙ୍କ ସହ ଏବେ କାନ୍ଦୁଛୁ । ଆମେ ଶାନ୍ତି ପାଇଁ, ଭଲ ପାଇବା ପାଇଁ ଓ ଆପଣ ଆମପାଖକୁ ଆସିବା ପାଇଁ ସବୁଦିନେ ଲଢୁଥିବୁ। ଏହା ଏପରି ଜଣେ କାଶ୍ମୀର ବାସୀର ନୋଟ୍ ଯିଏ ଶାନ୍ତିରେ ବିଶ୍ୱାସ କରନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.