ଇସ୍ଲାମାବାଦ ୨୩।୪: ଜମ୍ମୁ-କାଶ୍ମୀର ପହଲଗାମରେ ହୋଇଥିବା ଆତଙ୍କବାଦୀ ଗୁଳିକାଣ୍ଡ ପରେ ପାକିସ୍ତାନରେ ଏବେ ଭୟର ବାତାବରଣ ଖେଳି ଯାଇଛି। ପାକିସ୍ତାନୀମାନଙ୍କୁ ଏବେ ଭାରତର ଆକ୍ସନ ଡରାଉଛି। ପାକିସ୍ତାନର ପୂର୍ବତନ ହାଇକମିଶନ ଅବଦୁଲ ବାସିତ କହିଛନ୍ତି ଯେ ଆଗାମୀ ୧୦ ଦିନରେ ଭାରତ କୌଣସି ପଡ଼ ପଦକ୍ଷେପ ନେଇପାରେ। ଏଥିରେ ପାକିସ୍ତାନୀ ସାଂସଦ ସେରୀ ରହେମାନ କହିଛନ୍ତି ଯେ ଏବେ ଆମକୁ ୟୁଏନଏସସି ଯିବା ଅତ୍ୟନ୍ତ ଜରୁରି।
ଗତ ଦିନରେ ପହଲଗାମରେ ଆତଙ୍କବାଦୀ ୨୬ ଜଣ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଗୁଳି କାଣ୍ଡରେ ଅନ୍ୟ ୧୭ ଜଣ ଆହତ ହୋଇଛନ୍ତି। ଆତଙ୍କବାଦୀ ଲୋକଙ୍କ ଧର୍ମ ପଚାରିବା ପରେ ସେମାନଙ୍କୁ ଗୁଳି କରିଥିଲେ। ଏହି ଆତଙ୍କବାଦ ଆକ୍ରମଣ ପାଇଁ ଲସ୍କର-ଏ-ତୌୟବାର ମୁଖା ସଙ୍ଗଠନ ଟିଆରଏଫ ନିଜକୁ ଦାୟି କରିଛି। ଏଥି ପାଇଁ ଭାରତ ପାକିସ୍ତାନକୁ କଡା ଜବାବ ଦେଇ ସିନ୍ଧୁ ଜଳ ସନ୍ଧି ଉପରେ ରୋକ ସହିତ ୫ଟି ବଡ଼ ନିଷ୍ପତ୍ତି ନେଇଛି।
ଏ ନେଇ ପାକିସ୍ତାନର ପୂର୍ବତନ ହାଇକମିଶନ ଅବଦୁଲ ବାସିତ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ ‘ମୋର ପୂର୍ଣ୍ଣ ବିଶ୍ୱାସ ଯେ ପାକିସ୍ତାନ ବିରୋଧରେ ଭାରତର ଯେ କୌଣସି ପ୍ରକାର ଆକ୍ରମଣ ବିଫଳ କରିବା ପାଇଁ ଇସ୍ଲାମାବାଦ ସବୁ ପ୍ରକାର ପଦକ୍ଷେପ ନେଉଛି। ମୁଁ ନିଃଶନ୍ଦେହରେ କହିପାରେ ଯେଏଥର ପ୍ରତିକ୍ରିୟା କିନ୍ତୁ ଅତ୍ୟନ୍ତ କଠୋର ହେବ’। ସେ ଏହା ମଧ୍ୟ କହିଛନ୍ତି ଯେ ଏ କଥା ପୁଣି ସ୍ପଷ୍ଟ ହୋଇଛି ଯେ ଜମ୍ମୁ-କାଶ୍ମୀର ବିବାଦର ସମାଧାନ ବିନା ପାକିସ୍ତାନ ଓ ଭାରତ ମଧ୍ୟରେ ସ୍ୱଭାବିକ ସମ୍ପର୍କର କୌଣସି ଆଶା କରାଯାଏନା। ଏ କଥା ମୁଁ ସବୁବେଳେ କହି ଆସୁଛି।