ହନିମୁନ ପାଇଁ ଯାଇଥାନ୍ତେ ୟୁରୋପ, ଭିସା ମିଳିଲାନି, ଲେଫ୍ଟନାଣ୍ଟ ବିନୟ କାଶ୍ମୀରରେ ଭେଟିଲେ ଆତଙ୍କବାଦୀଙ୍କୁ

Published By : Prameya-News7 Bureau | April 23, 2025 IST

କରନାଲ ୨୩।୪: ଗୋଟିଏ ନୂଆ ପ୍ରାରମ୍ଭ, ଏକ ନୂଆଜୀବନ, ଆଖିରେ ଆଖିଏ ସ୍ୱପ୍ନ, ହେଲେ ଏକ ଆତଙ୍କବାଦ କାଣ୍ଡ ବଦଳାଇଦେଲା ସବୁକିଛି। ଜମ୍ମୁ-କାଶ୍ମୀର ପହଲଗାମରେ ହୋଇଥିବା ଆତଙ୍କବାଦୀ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ୨୬ ବର୍ଷ ବୟଷ୍କ ନେଭି ଅଫିସର ଲେଫ୍ଟନାଣ୍ଟ ବିନୟ ନରବାଲ ମୃତ୍ୟୁ ଖବର ପୁରା ହରିୟାଣାକୁ ଶୋକାଭିଭୂତ କରିଛି। ବିନୟ ନରବାଲ ନିକଟରେ ବିବାହ କରିଥିଲେ। ଏପ୍ରିଲ ୧୬ ତାରିଖ ଦିନ ଗୁରୁଗ୍ରାମର ହିମାଂସୀଙ୍କ ସହ ତାଙ୍କର ମସୁରୀରେ ଡେଷ୍ଟିନେସନ ୱେଡିଂ ହୋଇଥିଲା।  

ନେଭି ଅଫିସର ଦମ୍ପତ୍ତି ୟୁରୋପରେ ସେମାନଙ୍କ ହନିମୁନ ଯୋଜନା କରିଥିଲେ। ହେଲେ ଶେଷ ସମୟରେ ଭିସା ମିଳି ନ ପାରିବାରୁ ସେମାନେ ହନିମୁନ ପାଇଁ କାଶ୍ମୀରର ସ୍ୱିଜରଲ୍ୟାଣ୍ଡ କୁହାଯାଉଥିବା ବ୍ୟାସର ଉପତ୍ୟାକାକୁ ଯାଇଥିଲେ। ହନିମୁନ ପାଇଁ କାଶ୍ମୀର ଯିବା ନିଷ୍ପତ୍ତି ସେମାନଙ୍କ ଜୀବନକୁ ସବୁଠୁ ଦୁଃଖଦ ମୋଡରେ ନେଇ ପହଞ୍ଚାଇଦେଇଛି। ବିବାହର ମାତ୍ର ୬ ଦିନପରେ ଏପ୍ରିଲ ୨୧ ତାରିଖ ଦିନ ବିନୟ ଓ ହିମାଂସୀ ବ୍ୟାସରନ ଉପତ୍ୟାକାରେ ପହଞ୍ଚିଥିଲେ। 

ତେବେ ତା ପରଦିନ ଅର୍ଥାତ ଏପ୍ରିଲ ୨୨ ତାରିଖରେ ବିନୟ ସେହି ୨୬ ଜଣଙ୍କ ମଧ୍ୟରେ ସାମିଲ ହୋଇଗଲେ ଯେଉଁମାନଙ୍କୁ ଆତଙ୍କବାଦୀ ଧର୍ମ ପଚାରି ଗୁଳି କରିଥିଲେ। ସୂତ୍ର ଅନୁସାରେ ତାଙ୍କ ଦେହରେ ୩ଟି ଗୁଳି ଲାଗିଛି ଅର୍ଥାତ ତାଙ୍କୁ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ହତ୍ୟା କରାଯାଇଛି। ଲେଫ୍ଟନାଣ୍ଟ ବିନୟଙ୍କ ପାର୍ଥୀବ ଶରୀର ବୁଧବାର ଶ୍ରୀନଗରରୁ ଦିଲ୍ଲୀ ପହଞ୍ଚିଛି। ବିନୟଙ୍କ ପିତା ଓ ଭଉଣୀ ଶବ ନେବାକୁ ଦିଲ୍ଲୀ ଆସିଥିଲେ। ଏଠାରୁ କର୍ଣ୍ଣାଲ ଯିବ, ଯେଉଁଠି ଗୁରୁବାର ତାଙ୍କ ଅନ୍ତ୍ୟେଷ୍ଟି ହେବ। ବିନୟଙ୍କ ମୃତ୍ୟୁରେ ଗୁରୁଗ୍ରାମ ଓ କର୍ଣ୍ଣାଲରେ ଶୋକର ପରିବେଶ। ବିନୟଙ୍କ ପତ୍ନୀ ହିମାଂସୀ ଯିଏ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିଲେ ସେ ଏବେ ଗଭୀର ମାନସିକ ଯନ୍ତ୍ରଣାରେ। 

ମେ୧ ତାରିଖରେ ବିନୟ ତାଙ୍କର ଜନ୍ମଦିନ ପାଳନ କରିଥାନ୍ତେ। ବିବାହ ପରେ ଏହା ତାଙ୍କର ପ୍ରଥମ ଜନ୍ମଦିନ ହୋଇଥାନ୍ତା।  ମେ ୩ ତାରିଖ ଦିନ କାର୍ଯ୍ୟକ୍ଷେତ୍ର କୋଚ୍ଚି ଫେରିଯାଇଥାନ୍ତେ। ଏଥି ପାଇଁ ପରିବାରରେ ଜୋରସୋରରେ ପ୍ରସ୍ତୁତି ଚାଲିଥିଲା। ହେଲେ ବିଧିର ବିଧାନ ବଡ଼ ବିଚିତ୍ର। ଗୁରୁବାର କରନାଲରେ ତାଙ୍କ ଅନ୍ତ୍ୟେଷ୍ଟି ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ସାହେବ ସିଂ ସୈନି ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.