କାଶ୍ମୀର ପାଇଁ ବୁକିଂ ବାତିଲ୍ କରିବାରେ ଲାଗିଲେ ଟୁରିଷ୍ଟ, ଗୋଟିଏ ଦିନରେ ୭୦% ଟୁର କ୍ୟାନସଲ

Published By : Prameya-News7 Bureau | April 23, 2025 IST

ନୂଆଦିଲ୍ଲୀ: ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଗୋଟିଏ ଝଟକାରେ କାଶ୍ମୀରର ପର୍ଯ୍ୟଟନ ଶିଳ୍ପକୁ ବିପର୍ଯ୍ୟସ୍ତ କରି ଦେଇଛି। ବର୍ତ୍ତମାନ ପୂରା ପର୍ଯ୍ୟଟନ ସିଜିନ ପାଇଁ ପର୍ଯ୍ୟଟକମାନେ ନିଜର ବୁକିଂ କ୍ୟାନସଲ କରିବା ଆରମ୍ଭ କରି ଦେଇଛନ୍ତି। ଏଥିରେ ଟ୍ରାଭେଲ ଅପରେଟରଙ୍କୁ ବିପୁଳ କ୍ଷତିର ସାମ୍ନା କରିବାକୁ ପଡ଼ିଛି। ପରିସ୍ଥିତି ଏମିତି ଯେ ବୁକିଂ କ୍ୟାନସଲ କରିବାର ଗୋଟିଏ ଦିନରେ ହିଁ ୭୦ ପ୍ରତିଶତ ଟୁର ରଦ୍ଦ ହୋଇ ଯାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା କହିଛନ୍ତି ଯେ, ରାଜ୍ୟରୁ ପର୍ଯ୍ୟଟକଙ୍କ ପଳାୟନ ଦେଖି ହୃଦୟ ଭାଙ୍ଗି ଯାଇଛି।

ଅନ୍ୟପଟେ ଅମରାବତୀର ଜଣେ ଟୁର ଅପରେଟରଙ୍କୁ ୩୮ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଛି। କାରଣ ପହଲଗାମ ଆତଙ୍କୀ ହମଲା କାରଣରୁ ଲୋକେ ନିଜର ବୁକିଂ କ୍ୟାନସଲ କରି ଦେଇଛନ୍ତି। ଜମ୍ମୁ-କାଶ୍ମୀରରେ ପର୍ଯ୍ୟଟକମାନଙ୍କୁ ଟୁର ଟ୍ରାଭେଲର ମନାଉଥିବା ଦେଖିବାକୁ ମିଳିଛି। ଜଣେ ଟୁର ପ୍ରୋଭାଇଡର କହିଛନ୍ତି, ପୂର୍ବରୁ ମଧ୍ୟ ମହାରାଷ୍ଟ୍ରରୁ ପର୍ଯ୍ୟଟକ କାଶ୍ମୀର ଆସୁଥିଲେ। କିନ୍ତୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ଆମେ ସୁରକ୍ଷିତ ଓ ନିଶ୍ଚିତ ଅନୁଭବ କରୁଥିଲୁ। ମାତ୍ର ମଙ୍ଗଳବାରର ହମଲା କିଛି କ୍ଷଣରେ ସବୁ କିଛି ବରବାଦ କରି ଦେଲା। ଅମରାବତୀରୁ ୪୦ ଜଣ ଲୋକଙ୍କୁ ନେଇ ଏକ ଗ୍ରୁପ ଆସିଥିଲେ। ଆକ୍ରମଣ ପରେ ସେମାନଙ୍କୁ କୌଣସି ପ୍ରକାରରେ ମୋଗଲ ରୋଡ୍ ରାସ୍ତା ଦେଇ ଜମ୍ମୁ ଫେରିବାରେ ସଫଳ ହୋଇଛୁ। 

Also read: ପାକିସ୍ତାନ ଦୂତାବାସ ବନ୍ଦ, ସିନ୍ଧୁ ଜଳ ଚୁକ୍ତିନାମା ବାତିଲ; ପହଲଗାମ ଆତଙ୍କୀ ହମଲା ପରେ ଭାରତର ୫ ବଡ଼ ଆକ୍ସନ

ଜମ୍ମୁରେ ପାର୍ଟନରଶିପରେ ‘ଆପଲ ଟୁର ଆଣ୍ଡ ଟ୍ରାଭେଲ୍ସ’ ଚଲାଉଥିବା ୫୦ ବର୍ଷୀୟ ଅମନୀଶ ଶର୍ମା କହିଛନ୍ତି, ତାଙ୍କ ବୁକିଂରେ ୭୦ ପ୍ରତିଶତ ହ୍ରାସ ଘଟିଛି। ଆମେ ହାଇ କାଟାଗୋରୀର ପର୍ଯ୍ୟଟକଙ୍କୁ ଏସି କ୍ୟାବର ସୁବିଧା ଯୋଗାଇ ଥାଉ। ବେପାର ବଢିଥିବାରୁ ଆମେ ବହୁତ ଖୁସି ଥିଲୁ, ମାତ୍ର ଏବେ ସବୁ କିଛି ଅଚାନକ ସବୁ ଶେଷ ହୋଇଗଲା। କେବଳ ଗୋଟିଏ ଦିନରେ ଆମର ୭୦ ପ୍ରତିଶତ ବୁକିଂ କ୍ୟାନସଲ ହୋଇଗଲା।

ଅମରନାଥ ଯାତ୍ରାକୁ ନେଇ ଖାସ ଅପିଲ୍

ଅଲ ଜମ୍ମୁ ହୋଟେଲ୍ସ ଆଣ୍ଡ ଲଜ ଆସୋସିଏସନର ଅଧ୍ୟକ୍ଷ ଇନ୍ଦ୍ରଜିତ ଖଜୁରିଆ କହିଛନ୍ତି, ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆଗାମୀ ଅମରନାଥ ଯାତ୍ରା ଉପରେ ପ୍ରତିକୂଳ ପ୍ରଭାବ ପଡ଼ିପାରେ। ମୁଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି ଯେ, ଆଗାମୀ ତୀର୍ଥ ଯାତ୍ରା ସେନାକୁ ହସ୍ତାନ୍ତର କରାଯାଉ, ଯଦ୍ଵାରା ଲୋକଙ୍କ ମନରେ ଭୟ ନ ରହିବ। କାରଣ ପହଲଗାମରେ ବଡ଼ ଧରଣର ଆତଙ୍କୀ ହମଲା ପରେ ହଜାର ହଜାର ପର୍ଯ୍ୟଟକ କାଶ୍ମୀର ଛାଡ଼ୁଛନ୍ତି। ଅଧିକାରୀ ମଧ୍ୟ ପର୍ଯ୍ୟଟକଙ୍କୁ ତାଙ୍କ ଗୃହ ରାଜ୍ୟରେ ସୁରକ୍ଷିତ ଫେରାଇ ଆଣିବା ପାଇଁ ପ୍ରୟାସ ଚଳାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.