ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀଙ୍କ ନରସଂହାରରେ ସ୍ତବ୍ଧ ଭାରତ। କିନ୍ତୁ ନିରବ ନୁହେଁ, ନିଷ୍କ୍ରିୟ ନୁହେଁ। ଦେଶ ବିରୋଧୀ ଆତଙ୍କବାଦ ବିରୋଧରେ ବଡ଼ ଯୁଦ୍ଧ ଘୋଷଣା କରିଛି ଭାରତ। ଏଥିଲାଗି ଭାରତ ବିରୋଧୀ ଆତଙ୍କବାଦର ପୃଷ୍ଠପୋଷକ ପାକିସ୍ତାନ ବିରୋଧରେ କଠୋର ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର। ହାତରେ ନୁହେଁ ଭାତରେ ମାରିବା ଭଳି ନିଷ୍ପତ୍ତି। ଭାରତ ଦୁର୍ବଳ ନୁହେଁ, ସବୁ ପ୍ରକାରର ଜବାବ ଦେବାକୁ ତୟାର ବୋଲି ନୂଆଦିଲ୍ଲୀ ଦେଇଛି ମେସେଜ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା ସଂପର୍କିତ କ୍ୟାବିନେଟ୍ ବୈଠକରେ ପାକିସ୍ତାନ ବିରୋଧରେ ନିଆଯାଇଛି ୫ କଠୋର ନିଷ୍ପତ୍ତି। ସୀମା ବନ୍ଦ, ସିନ୍ଧୁ ଚୁକ୍ତି ବାତିଲ, ଦୂତାବାସ ବନ୍ଦ, ଭିସା ରଦ୍ଦ, ୪୮ ଘଣ୍ଟା ଭିତରେ ସବୁ ପାକିସ୍ତାନୀ ଛାଡ଼ିବେ ଭାରତ। ଏଭଳି କଠୋର ନିଷ୍ପତ୍ତି ଘୋଷଣା କରିଛନ୍ତି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର।
ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ନୃଶଂସ ହମଲା ପରେ ଭାରତ ପାକିସ୍ତାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଅନୁଷ୍ଠିତ ସିସିଏସ ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିର୍ଣ୍ଣୟ ନିଆଯାଇଛି। ଭାରତରେ ପାକିସ୍ତାନୀ ଦୂତାବାସ ବନ୍ଦ, ସିନ୍ଧୁ ଜଳ ଚୁକ୍ତିନାମା ବାତିଲ, ପାକିସ୍ତାନୀ ଭିସା ବାତିଲ ଆଦି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅଟାରୀ-ଓ୍ଵାଘା ବର୍ଡର ତତ୍କାଳ ପ୍ରଭାବରୁ ବନ୍ଦ ଘୋଷଣା କରିଛି ଭାରତ।
ସବୁ ପ୍ରକାରର ପାକିସ୍ତାନ ଭିସା ରଦ୍ଦ କରାଯିବ ସହ ପାକିସ୍ତାନୀ ନାଗରିକଙ୍କୁ ୪୮ ଘଣ୍ଟା ଭିତରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନ ଓ ଭାରତ ମଧ୍ୟରେ ଗମନାଗମନ ପାଇଁ ବ୍ୟବହାର ହେଉଥିବା ଅଟାରୀ ଓ୍ଵାଘା ବର୍ଡରକୁ ତତ୍କାଳ ପ୍ରଭାବରୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ପାକିସ୍ତାନ ନାଗରିକଙ୍କୁ ଭାରତ ଯାତ୍ରା କରିବାକୁ ଏବେ ଅନୁମତି ମିଳିବ ନାହିଁ ଏବେଂ ସେମାନଙ୍କୁ ଭିସା ଦିଆଯିବ ନାହିଁ। ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଘୋଷଣା କରିଛନ୍ତି ୫ ନିଷ୍ପତ୍ତି।
୧- ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିନାମା ତତ୍କାଳ ପ୍ରଭାବରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯେ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦ ବିରୋଧରେ ବିଶ୍ଵସନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିଛି ସେ ପର୍ଯ୍ୟନ୍ତ ଏହି ରୋକ୍ ଜାରି ରହିବ।
୨- ଭାରତ ଓ ପାକିସ୍ତାନ ମଧ୍ୟରେ ଯାତାୟତର ମୁଖ୍ୟ ଦ୍ଵାର ଅଟାରୀ-ଓ୍ଵାଘା ବର୍ଡରକୁ ତତ୍କାଳ ପ୍ରଭାବରୁ ବନ୍ଦ କରାଯାଇଛି। ଯେଉଁ ଲୋକେ ବୈଧ୍ୟ ଭିସା ଜରିଆରେ ପାକିସ୍ତାନ ଯାଇଛନ୍ତି, ସେମାନେ ୨୦୨୫ ମେ ୧ ତାରିଖ ପୂର୍ବରୁ ସେହି ମାର୍ଗ ଦେଇ ଭାରତ ଆସି ପାରିବେ।
୩- ସାର୍କ ଭିସା ଯୋଜନା ଜରିଆରେ ଏବେ ଆଉ ପାକିସ୍ତାନୀ ନାଗରିକଙ୍କୁ ଭାରତ ଯାତ୍ରା ଅନୁମତି ମିଳିବ ନାହିଁ। ପୂର୍ବରୁ ପାକିସ୍ତାନୀ ନାଗରିକଙ୍କ ପାଇଁ ଜାରି ହୋଇଥିବା ସବୁ ପ୍ରକାରର ଭିସା ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଏସଭିଇଏସ ଭିସା ଆଧାରରେ ଭାରତରେ ଥିବା କୌଣସି ବି ପାକିସ୍ତାନୀ ନାଗରିକଙ୍କୁ ୪୮ ଘଣ୍ଟା ଭିତରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।
୪- ନୂଆଦିଲ୍ଲୀରେ ପାକିସ୍ତାନୀ ଦୂତାବାସର ସାମରିକ ପରାମର୍ଶଦାତା ସପ୍ତାହେ ଭିତରେ ଭାରତ ଛାଡ଼ିବେ। ପାକିସ୍ତାନରେ ଥିବା ଭାରତୀୟ ଦୂତାବାସ ମଧ୍ୟ ତୁରନ୍ତ ପାକିସ୍ତାନ ଛାଡ଼ିବେ।
୫- ସାମରିକ ପରାମର୍ଶଦାତାଙ୍କୁ ଭାରତ ଫେରି ଆସିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଏସବୁ ଜରିଆରେ ପାକିସ୍ତାନକୁ ଅତି କଠୋର ବାର୍ତ୍ତା ଦେଇଛି ଭାରତ। ହିଂସା, ଆତଙ୍କବାଦ ଥିବା ପର୍ଯ୍ୟନ୍ତ ଶାନ୍ତି ଅସମ୍ଭବ। ଭାରତ ଶାନ୍ତି ଓ ସୁସମ୍ପର୍କରେ ବିଶ୍ଵାସ କରେ। ନରସଂହାର ଓ ରକ୍ତପାତରେ ନୁହେଁ। ଜମ୍ମୁ-କାଶ୍ମୀର ଆତଙ୍କବାଦୀଙ୍କ ଧର୍ମକୁ ନେଇ ହତ୍ୟା, ନୀରିହ ପର୍ଯ୍ୟଟକଙ୍କ ନରସଂହାର, କୌଣସି ବି ହାଲତରେ ବି କ୍ଷମଣୀୟ ନୁହେଁ। ମୋଟାମୋଟି ପାକିସ୍ତାନକୁ ଚେତାବନୀ ସୁଧରି ଯାଅ, ନଚେତ୍ ଶେଷ ପରିଣତି ଭୋଗିବାକୁ ହେବ।