ପହଲଗାମ ଗୁଳିକାଣ୍ଡ ନେଇ ପାକିସ୍ତାନ ପରେ ଆସିଲା ଚୀନ୍ ର ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛି ଡ୍ରାଗନ?

Published By : Prameya-News7 Bureau | April 23, 2025 IST

ନୂଆଦିଲ୍ଲୀ ୨୩।୪: ଜମ୍ମୁ-କାଶ୍ମୀର ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରଥମେ ପାକିସ୍ତାନର ପ୍ରତିକ୍ରିୟା ଆସିବା ପରେ ଏବେ ଚୀନ୍ ପ୍ରତିକ୍ରିୟା ମଧ୍ୟ ଆସିଛି। ନୂଆଦିଲ୍ଲୀରେ ଚୀନ୍‌ ରାଜଦୂତ ଶୁ ଫେଇହାଙ୍ଗ ଏକ ସୋସିଆଲ ମିଡିଆ ପୋଷ୍ଟରେ ଏହାକୁ ବର୍ବର ଆତଙ୍କବାଦୀ ଆକ୍ରମଣ କହି ନିନ୍ଦା କରିଛନ୍ତି। ଚୀନ୍‌ କହିଛି ଯେ ପହଲଗାମରେ ଆତଙ୍କବାଦୀଙ୍କ ଗୁଳିକାଣ୍ଡରେ ସେ ସ୍ତବ୍ଦ। ଏଥିରେ ଚୀନ୍‌ ସବୁ ପ୍ରକାରର ଆତଙ୍କବାଦକୁ ବିରୋଧ କରେ ବୋଲି ସେ କହିଛନ୍ତି। 

ଚୀନ୍‌ ରାଜଦୂତ ଫେଇହାଙ୍ଗ ଏକ୍ସ ରେ ଲେଖିଛନ୍ତି ଯେ ‘ପହଲଗାମରେ ହୋଇଥିବା ଆକ୍ରମଣରେ ଆମ ସ୍ତବ୍ଦ ଓ ଆମେ ଏହାକୁ ନିନ୍ଦା କରୁଛୁ’। ଏଥିରେ ସେ ପୀଡିତଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଥିବା ବେଳେ ଆହତ ଓ ସୋକ ସନ୍ତପ୍ତ ପରିବାରଙ୍କ ପ୍ରତି ହାର୍ଦ୍ଦିକ ସହାନୁଭୂତି ଜଣାଇଛନ୍ତି। ଏଥିରେ ଚୀନ୍ ସବୁ ପ୍ରକାରର ଆତଙ୍କବାଦକୁ ବିରୋଧ କରେ ବୋଲି ଫେଇହାଙ୍ଗ ଉଲ୍ଲେଖ କରିଛନ୍ତି। ଏହା ପୂର୍ବରୁ ପାକିସ୍ତାନ ବିଦେଶ ମନ୍ତ୍ରାଳୟ ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଥିଲା। 

ପାକିସ୍ତାନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ପହଲଗାମ ଆକ୍ରମଣ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ‘ଆମେ ଭରାତ ନିୟନ୍ତ୍ରଣରେ ଥିବା ଜମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ହୋଇଥିବା ଆକ୍ରମଣରେ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ଚିନ୍ତିତ। ଆମେ ପ୍ରାଣ ହରାଇଥିବା ଲୋକଙ୍କ ପରିଜନଙ୍କ ପ୍ରତି ଆମର ଦୁଃକ ପ୍ରକଟ କରୁଛୁ ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ’। ଏହା ପୂର୍ବରୁ ପାକିସ୍ତାନ ପ୍ରତିରକ୍ଷାମନ୍ତ୍ରୀ ତାଙ୍କର ପ୍ରତିକ୍ରିୟା ଦେଇଥିଲେ। ଖ୍ୱାଜା ଆସିଫ କହିଥିଲେ ଯେ ଜମ୍ମୁ-କାଶ୍ମୀର ଘଟଣାରେ ଆମର କୌଣସି ସମ୍ପର୍କ ନାହିଁ। 

ଆସିଫ କହିଥିଲେ ଯେ ଆମେ ସବୁ ପ୍ରକାରର ଆତଙ୍କବାଦକୁ ଖାରଜ କରୁଛୁ। ସେ ତାଙ୍କ ବୟାନରେ ଏପରି ଆକ୍ରମଣ ପାଇଁ ଓଲଟା ଭାରତକୁ ଦାୟି କରିଥିଲେ। ସେ କହିଥିଲେ ଦିଲ୍ଲୀରେ ଯେଉଁ ଶାସକ ଅଛନ୍ତି ତାଙ୍କ ବିରୋଧରେ ଏହା ବିଦ୍ରୋହର ସଂକେତ। ଲୋକେ ସେମାନଙ୍କ ହକ୍ ମାଗୁଛନ୍ତି। ଏହି ଆକ୍ରମଣ ପଛରେ ଭାରତର ଲୋକେ ହିଁ ଅଛନ୍ତି। ସେ କହିଛନ୍ତି ଯେ ଭାରତରେ ନାଗାଲ୍ୟାଣ୍ଡରୁ ଆରମ୍ଭ କରି ମଣିପୁର ଓ କାଶ୍ମୀରରେ ଲୋକେ ସରକାରଙ୍କ ବିରୋଧ କରୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.