ପାକିସ୍ତାନ ସହ ଉତ୍ତେଜନା ଭିତରେ ପିଏମ୍ ମୋଦୀଙ୍କ ରୁଷ ଗସ୍ତ ବାତିଲ, ଭିକ୍ଟ୍ରି ଡେ’ ପରେଡରେ ହୋଇଥାନ୍ତେ ସାମିଲ

Published By : Prameya-News7 Bureau | April 30, 2025 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ବାତିଲ ହୋଇଛି । ରୁଷର ଭିକ୍ଟ୍ରିଡେ’ ପରେଡରେ ରାଷ୍ଟ୍ରପତି ପୁଟିନଙ୍କ ସହ ସେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତେ । କିନ୍ତୁ ଏବେ ତାଙ୍କର ଏହି କାର୍ଯ୍ୟକ୍ରମ ବାତିଲ ହୋଇଛି । ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହ ଜାରି ଉତ୍ତେଜନା ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ରଦ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ରୁଷ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମିଲନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭ ଏହା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ମେ ୯ ତାରିଖରେ ମସ୍କୋରେ ଭିକ୍ଟ୍ରି ଡେ’ ପରେଡରେ ସାମିଲ ହୋଇଥାନ୍ତେ । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ସାହ ଥିଲା, କିନ୍ତୁ ଏହାର କିଛି ଦିନ ପୂର୍ବରୁ ଏହାକୁ ସ୍ଥଗିତ କରାଯାଇଥିବା ଖବର ଆସିଛି ।

ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ନାଜିବାଦୀ ଜର୍ମାନୀ ଉପରେ ସୋଭିଏତ ସଂଘର ବିଜୟର ବର୍ଷପୂର୍ତ୍ତି ଅବସରରେ ଭିକ୍ଟ୍ରି ଡେ’ ପରେଡ୍ ଆୟୋଜନ ହୋଇଥାଏ । ଏହି ଅବସରରେ ରୁଷ ସେନା ରାଜଧାନୀ ମସ୍କୋରେ ନିଜ ଶକ୍ତିର ପ୍ରଦର୍ଶନ କରିଥାନ୍ତି । ଚଳିତ ବର୍ଷ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବିଜୟକୁ ୮୦ ବର୍ଷ ପୂର୍ତ୍ତି ହେଉଥିବାରୁ ରୁଷ ବଡ଼ ଆକାରରେ ଏହାକୁ ପାଳନ କରିବାକୁ ଯାଉଛି । ଏହି କାରଣରୁ ରୁଷ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅନେକ ଦେଶର ରାଷ୍ଟ୍ରମୁଖ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଆମନ୍ତ୍ରିତ କରାଯାଇଥିଲା । ଏଥିରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ବି ସାମିଲ ଅଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ୨୦୨୪ ଜୁଲାଇରେ ରୁଷ ଗସ୍ତ କରିଥିଲେ । ଲୋକସଭା ନିର୍ବାଚନରେ ଲଗାତାର ତିନି ବିଜୟ ପରେ ପରେ ଏହି ଗସ୍ତ କରିଥିଲେ । ଏହି ଗସ୍ତ ବେଳେ ରାଷ୍ଟ୍ରପତି ପୁଟିନ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଉତ୍ତମ ବନ୍ଧୁତ୍ୱର ଏକ ନିଦର୍ଶନ ଦେଖିବାକୁ ମିଳିଥିଲା । ତେବେ ଆଗାମୀ ଗସ୍ତ ବାତିଲ ବାବଦରେ ଭାରତ ସରକାରଙ୍କ ପକ୍ଷରୁ କୌଣସି ଅନୁଷ୍ଠାନିକ ଘୋଷଣା କରାଯାଇ ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.