ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପହଲଗାମ୍ରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ଜଣେ ପର୍ଯ୍ୟଟକଙ୍କ ଜୀବନ ଯାଇଛି । ଏହାରି ଭିତରେ ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଏହି ମାମଲାରେ କଠୋର ଓ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଖବର ଅନୁସାରେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଘଟଣାସ୍ଥଳ ଯିବା ପାଇଁ ପିଏମ୍ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି ।
ଏହାରି ଭିତରେ ଅମିତ୍ ଶାହ ଦିଲ୍ଲୀରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି । ଏହି ବୈଠକରେ ଉପରାଜ୍ୟପାଳ ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ସିଆରପିଏଫ୍ ଡିଜି, ଜାମ୍ମୁ କାଶ୍ମୀର ଡିଜିପି ଓ ସେନାର ଅଧିକାରୀ ଭିଡିଓ କନଫରେନ୍ସି ଜରିଆରେ ସାମିଲ ହୋଇଥିଲେ । ମିଡିଆ ରିପୋର୍ଟ ଅନୁସାରେ ଅମିତ୍ ଶାହ ସଂଧ୍ୟା ୭ଟାରେ ପହଲଗାମ ଯାତ୍ରା କରିପାରନ୍ତି । ଏହାପରେ ସେଠାରେ ସୁରକ୍ଷା ଏଜେନ୍ସିଗୁଡ଼ିକ ସହ ଜରୁରି ବୈଠକ କରିବେ ।
ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ପହଲଗାମ୍ ନିକଟରେ ମଙ୍ଗଳବାର ଏକ ସନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣରେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ୧୨ ପର୍ଯ୍ୟଟକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଦୁଇ ଜଣ ଗୁରୁତର ଥିବା କୁହାଯାଉଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଆତଙ୍କବାଦୀ ଘୋଡ଼ା ଚଢୁଥିବା ପର୍ଯ୍ୟଟକଙ୍କ ଉପରେ ଗୁଳି ମାଡ଼ କରିଥିଲେ । ଏହି ଆକ୍ରମଣରେ କିଛି ଘୋଡ଼ା ମଧ୍ୟ ଆହତ ହୋଇଛନ୍ତି । ଆତଙ୍କୀ ସଂଗଠନ TRF ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଏହି ଆତଙ୍କ ସଂଗଠନ ଲସ୍କର-ଏ-ତୋଏବା ସହ ଜଡ଼ିତ ।
ଆକ୍ରମଣ ପରେ ସୁରକ୍ଷା ବଳ ତୁରନ୍ତ ପୂରା ଅଞ୍ଚଳରେ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ସ୍ଥାନୀୟ ପୋଲିସ ଓ ସେନା ମିଶି ଆତଙ୍କବାଦୀଙ୍କୁ ଖୋଜୁଛନ୍ତି । ପୂରା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ଓ ସମ୍ୱେଦନଶାଳୀ ଅଞ୍ଚଳରେ ଅତିରିକ୍ତ ସୁରକ୍ଷାକର୍ମୀ ମୁତୟନ କରାଯାଇଛି । ଏହାସହ ପହଲଗାମ ଯାଉଥିବା ପର୍ଯ୍ୟଟକଙ୍କୁ ରୋକା ଯାଇଛି ।