ପେଶାରେ କନେଷ୍ଟବଳ, ନିଶା ପାଠ ପଢାଇବା, ଦିନ ମଜୁରୀଆଙ୍କୁ ଛାତ ଉପରେ ପଢାଉଛନ୍ତି ଅଜୟ

Published By : Prameya-News7 Bureau | December 08, 2024 IST

ନୂଆଦିଲ୍ଲୀ ୦୮।୧୨: ଭିନ୍ନ ବ୍ୟକ୍ତିତ୍ବ, ଅନନ୍ୟ କାର୍ଯ୍ୟଶୈଳୀ । ପେଶାରେ କନେଷ୍ଟବଳ କିନ୍ତୁ ନିଶା ପାଠ ପଢାଇବା । ଟଙ୍କା ରୋଜଗାର ପାଇଁ ନୁହେଁ ବରଂ ଗରିବ ଶ୍ରେଣୀର ପିଲାଙ୍କୁ ମଣିଷ କରିବା ହେଉଛି ତାଙ୍କ ଲକ୍ଷ୍ୟ । ନାଁ ହେଉଛି ଅଜୟ ଅଗ୍ରଓ୍ବାଲ । ଦିଲ୍ଲୀ ପୋଲିସର ଏହି ସିପାହୀକୁ ସାଲ୍ୟୁଟ । ଘରର ଛାତ ଉପରେ କରିଛନ୍ତି ନିଆରା ପାଠଶାଳା । ଗରିବ ଓ ଦିନ ମଜୁରୀଆଙ୍କୁ ଦେଉଛନ୍ତି ଉଚ୍ଚ ଶିକ୍ଷା । ୩ ହଜାରରୁ ଅଧିକ ଷ୍ଟୁଡେଣ୍ଟଙ୍କୁ ମିଳି ସାରିଛି ସରକାରୀ ଚାକିରୀ ।  

ଏହି ଘଟଣାଟି ହେଉଛି ହରିଆଣାର ବାହାଦୁରଗଡ଼ର । ଏଠାରେ ୨୦୦ ଗଜର ଏକ ଘର ଛାତ ଉପରେ ଚାଲିଛି ଅଜୟ ଅଗ୍ରଓ୍ବାଲଙ୍କ ନିଆରା ପାଠଶାଳା । ଏଠାରେ ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀ ଅଜୟଙ୍କୁ ଡାକନ୍ତି ‘ଅଜୟ ଭୈୟା’ । ଅଜୟ ଦିଲ୍ଲୀ ପୁଲିସରେ ହେଡ୍‌ କନ୍‌ଷ୍ଟେବଲ । ୨୦୦୯ ମସିହାରେ ସେ ଦିଲ୍ଲୀ ପୁଲିସରେ ଯୋଗ ଦେଇଥିଲେ । ୨୦୧୫ ମସିହାରୁ ହିଁ ସେ ଏହି କୋଚିଂ ଚଳାଉଛନ୍ତି । ଗତ ୯ ବର୍ଷରେ ତାଙ୍କ କୋଚିଂରୁ ପଢ଼ି ଅନେକ ଗରିବ ପିଲା ଚାକିରି ପାଇଛନ୍ତି । 

ଅଜୟଙ୍କ କୋଚିଂ ସନ୍ଧ୍ୟା ୭ଟାରେ ଆରମ୍ଭ ହୋଇ ସକାଳ ୪ଟା ପର୍ଯ୍ୟନ୍ତ ଚାଲେ । ଖାସ୍‌କରି ଗରିବ ପିଲାଙ୍କ ପାଇଁ ସେ ଏହି କୋଚିଂ ଚଳାଉଛନ୍ତି । ଏଠାରେ ପଢୁଥିବା ପିଲାଙ୍କ ମଧ୍ୟରେ କାହାର ବାପା ନାହାନ୍ତି ତ କିଏ ରୋଗଗ୍ରସ୍ତ । ଅନେକ ପିଲାଙ୍କ ଆର୍ଥିକ ସ୍ଥିତି ସେମାନଙ୍କୁ ଅଧ୍ୟୟନର ଅନୁମତି ମଧ୍ୟ ଦେଉନାହିଁ । ତଥାପି ସେମାନେ ମନ ଲଗାଇ ପ୍ରାଇଭେଟ୍‌ ଚାକିରି କରୁଛନ୍ତି, ରାତିରେ ଅଜୟଙ୍କ କ୍ଲାସ୍‌ରେ ହାଜର ହେଉଛନ୍ତି । 

ଏଠାରେ ପଢୁଥିବା ଅନେକ ପିଲା ଦିନରେ ସିକ୍ୟୁରିଟି ଗାର୍ଡ କିମ୍ବା ବାଇକ୍‌, ଟ୍ୟାକ୍ସି ଚଲାଉଛନ୍ତି ଏବଂ ରାତିରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଛନ୍ତି । ଅଜୟ କହିଛନ୍ତି, ସେ ନିଜେ ୟୁପିଏସ୍‌ସି ପ୍ରସ୍ତୁତି କରୁଥିଲେ । ଦୁଇଥର ମେନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଇଣ୍ଟରଭ୍ୟୁରେ ପହଞ୍ଚିଥିଲେ । କିନ୍ତୁ ଶେଷ ପ୍ରୟାସରେ ମାତ୍ର ୩ ନମ୍ବର ପାଇଁ ରହିଯାଇଥିଲେ ପଛରେ । ଏମିତି ସମୟ ଥିଲା, ସେ ୟୁପିଏସ୍‌ସି, ଆଇଏଏସ୍‌, ପିସିଏସ୍‌, ଆଇପିଏସ୍‌ ବିଷୟରେ କିଛି ଜାଣିନଥିଲେ । ତାଙ୍କର ଧାରଣା ଥିଲା, ଦିଲ୍ଲୀ ପୁଲିସରେ କନ୍‌ଷ୍ଟେବଲ ପରେ ସବ୍‌-ଇନ୍ସପେକ୍ଟର ଓ ତା’ପରେ ଇନ୍ସପେକ୍ଟର । ତା’ପରେ ଆଉ କିଛି ନାହିଁ । କିନ୍ତୁ ବରିଷ୍ଠ ଅଧିକାରୀଙ୍କ ଦଣ୍ଡ ତାଙ୍କୁ ବହୁତ କଥା ଶିଖାଇଲା । 

ନୂଆ ଚାକିରି ସମୟରେ ଥରେ ତାଙ୍କର ଡ୍ୟୁଟି ପୁଲିସ ଲାଇନ୍‌ ଗେଟ୍‌ରେ ଥିଲା । ଜଣେ ବରିଷ୍ଠ ଅଧିକାରୀଙ୍କ ଗାଡ଼ି ଆସିଲା । ଅଜୟ ତାଙ୍କୁ ଚିହ୍ନିପାରିଲେ ନାହିଁ । କାରଣ ସେ ସିଭିଲ ଡ୍ରେସ୍‌ରେ ଥିଲେ । ସେଥିପାଇଁ ଅଜୟ ତାଙ୍କୁ ସାଲ୍ୟୁଟ୍‌ କଲେ ନାହିଁ । ଏଥିରେ ବରିଷ୍ଠ ଅଧିକାରୀ କ୍ଷୁବ୍ଧ ହେଲେ ଏବଂ ଦଣ୍ଡ ସ୍ୱରୂପ ତାଙ୍କୁ ଟ୍ରେନିଂ ସେଣ୍ଟର୍‌ ପଠାଇଦେଲେ । 

ସେଠାରେ ସେ ୟୁପିଏସ୍‌ସି, ଆଇଏଏସ୍‌ ଓ ଆଇପିଏସ୍‌ ବିଷୟରେ ଜାଣିଲେ । ତା’ପରେ ସେ ପ୍ରସ୍ତୁତି ଆରମ୍ଭ କଲେ । କିନ୍ତୁ ସଫଳ ହୋଇପାରିଲେ ନାହିଁ । ଅଜୟ କହନ୍ତି, ଅନେକ ବିଦ୍ୟାର୍ଥୀ ତାଙ୍କ କୋଚିଂ ପାଇ ଦିଲ୍ଲୀ ପୁଲିସରେ ସବ୍‌-ଇନ୍ସପେକ୍ଟର ହୋଇଛନ୍ତି । ସେ କିନ୍ତୁ ହେଡ୍‌ କନ୍‌ଷ୍ଟେବଲ ଅଛନ୍ତି । 

ସେମାନଙ୍କୁ ଅଜୟ ଯେବେ ଭେଟନ୍ତି, ସାଲ୍ୟୁଟ୍‌ କରନ୍ତି । କିନ୍ତୁ ବିଦ୍ୟାର୍ଥୀ ତାଙ୍କୁ ଭୈୟା କହି କୃତଜ୍ଞତା ଜଣାନ୍ତି । ଅଜୟ ଏବେ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ କ୍ଲାସ୍‌ ନେଉଛନ୍ତି । ନିଜ ଗାଁର ଶେଷ ପିଲା ପର୍ଯ୍ୟନ୍ତ ଶିକ୍ଷା ପହଞ୍ଚାଇବା ତାଙ୍କ ଲକ୍ଷ୍ୟ, ଯିଏ ସହରକୁ ଆସି ବଡ଼ ବଡ଼ କୋଚିଂ ସେଣ୍ଟର୍‌ରେ ମୋଟା ଅଙ୍କର ଟଙ୍କା ଦେଇପାରୁ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.