ପୋରେଲ-ଅକ୍ଷରଙ୍କ ଦ୍ରୁତ ବ୍ୟାଟିଂ, ରାଜସ୍ଥାନକୁ ୧୮୯ ଟାର୍ଗେଟ୍ ଦେଲା ଦିଲ୍ଲୀ

Published By : Prameya-News7 Bureau | April 16, 2025 IST

ନୂଆଦିଲ୍ଲୀ: ଆଇପିଏଲ୍‌ ୨୦୨୫ର ୩୨ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୮ ରନ କରିଛି। ଅଭିଷେକ ପୋରେଲ ସର୍ବାଧିକ ୪୯ ରନ କରିଥିବା ବେଳେ କେଏଲ ରାହୁଲ ୩୮ ରନ ଓ ଅଧିନାୟକ ଅକ୍ଷର ପଟେଲ୍ ଦ୍ରୁତ ୩୪ ରନ କରିଛନ୍ତି। ମ୍ୟାଚ୍ ଜିତିବା ପାଇଁ ରାଜସ୍ଥାନ ସମ୍ମୁଖରେ ୧୮୯ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ୨ଟି ଓ୍ଵିକେଟ୍ ନେଇଛନ୍ତି।

ଏହି ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ପାଇଁ ଜିତିବା ଜରୁରୀ। କାରଣ ଦଳ ୬ଟି ମ୍ୟାଚ୍‌ରୁ ମାତ୍ର ଦୁଇଟି ଜିତି ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି। ଜିତିଲେ ଦଳର ସ୍ଥିତିରେ ସୁଧାର ଆସିବା ସହ ଦଳ ପ୍ଲେ ଅଫ୍ ଦୌଡ଼ରେ ରହି ପାରିବ। ଅନ୍ୟପଟେ ଦିଲ୍ଲୀ ଜିତିଲେ ୧୦ ପଏଣ୍ଟ ସହ ଅଙ୍କ ତାଲିକାର ଶୀର୍ଷକୁ ଉଠିବ। 

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀର ଦୁଇ ଓପନର ଜେକ ମ୍ୟାକ ଗର୍ଗ ଓ ଅଭିଷେକ ପୋରେଲ୍ ୩୪ ରନ ଯୋଡ଼ିଥିଲେ। ମ୍ୟାକଗର୍ଗ ୯ ରନ କରି ପୁଣି ଥରେ ନିରାଶ କରିଥିଲେ। ତେବେ କରୁଣ ନାୟର(୦) ରନ ଆଉଟ୍ ହେବା ଦିଲ୍ଲୀକୁ ବଡ଼ ଝଟକା ଲାଗିଥିଲା। ଏହା ପରେ ପୋରେଲ୍ ଓ କେଏଲ ରାହୁଲ ତୃତୀୟ ଓ୍ଵିକେଟ୍ ପାଇଁ ୬୩ ରନ ଯୋଡ଼ିଥିଲେ। ୯୭ ରନ ସ୍କୋରରେ କେଏଲ ରାହୁଲ ବ୍ୟକ୍ତିଗତ ୩୮ ରନ କରି ଆଉଟ୍ ହୋଇଥିଲେ। ପୋରେଲ୍ ଏକ ରନରୁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ସେ ୩୭ ବଲରୁ ୫ ଚୌକା ଓ ୧ ଛକା ସହ ୪୯ ରନ କରିଥିଲେ। 

ଅଧିନାୟକ ଅକ୍ଷର ପଟେଲ୍ କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୧୪ ବଲ୍‌ରୁ ୪ ଚୌକା ଓ ୨ ଛକା ସହ ୩୪ ରନ କରିଥିଲେ। ଶେଷ ଆଡ଼କୁ ଟ୍ରିଷ୍ଟନ ଷ୍ଟବ୍ସ ୧୮ ବଲରୁ ୩୪ ରନର ଅପରାଜିତ ଇନିଂସ ଖେଳିଥିଲେ। ଆଶୁତୋଷ ଶର୍ମା ୧୫ ରନ କରିଥିଲେ। ଦିଲ୍ଲୀ ୨୦ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୮ ରନ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.