କଟକ: ରବିବାର ବାରବାଟୀରେ ହେବ ଭାରତ ଇଂଲଣ୍ଡ ଦ୍ବିତୀୟ ଦିନିକିଆ ମ୍ୟାଚ୍। ଏଥିପାଇଁ ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା ହୋଇଛି। ତଥାପି କିନ୍ତୁ ଟିକେଟ ବିକ୍ରି ସମୟରେ ଯେଉଁ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା ତାହାକୁ ନେଇ ଏବେ ଆହୁରି ସଚେତନ ହୋଇଛି ପ୍ରଶାସନ।
ତେଣୁ ମ୍ୟାଚ୍ ଦିନ ଯେପରି କୌଣସି ଅସୁବିଧା ନହେବ ସେଥିପାଇଁ ସତର୍କ ହୋଇଛି ପ୍ରଶାସନ। ଦର୍ଶକମାନେ ଯେପରି ଆଉ ହରକତ ହେବେନାହିଁ, ସେନେଇ ବ୍ୟାପକ ବନ୍ଦୋବସ୍ତ କରିଛି କଟକ ଜିଲ୍ଲା ପ୍ରଶାସନ। ଷ୍ଟାଡିୟମର ପ୍ରତ୍ୟେକ ପ୍ରବେଶ ପଥରେ ବ୍ୟାରିକେଡ ହେବ ଏବଂ ତା’ ଉପରେ ସେଡିଂ ଲଗାଯିବ। ସେହିଭଳି ଦର୍ଶକମାନଙ୍କୁ ପର୍ଯ୍ୟାପ୍ତ ପାଣି ଦିଆଯିବ ଏବଂ ଆବଶ୍ୟକ ହେଲେ ପାଣି ସିଞ୍ଚନ ମଧ୍ୟ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ସୂଚନାଥାଉକି, ମ୍ୟାଚ ପାଇଁ କାଉଣ୍ଟରରେ ଟିକେଟ ବିକ୍ରି ଦିନ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଶତାଧିକ ଲୋକ ଆଚେତ ହୋଇଥିଲେ ଏପରିକି ୩ ଜଣ ପୋଲିସ କର୍ମୀ ମଧ୍ୟ ଦଳା ଚକଟାର ଶିକାର ହୋଇଥିଲେ।
ସେପଟେ, ଦିନିକିଆ ମ୍ୟାଚ୍ ପାଇଁ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ । ପୋଲିସ କମିଶନରଙ୍କ ସୂଚନା ଅନୁସାରେ, ଖେଳାଳିମାନେ ଆସିବାଠାରୁ ହୋଟେଲରେ ରହିବା ଓ ମ୍ୟାଚ୍ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଖେଳାଳି ଓ ଦର୍ଶକଙ୍କୁ ଷାଡିୟମ ପହଞ୍ଚିବାରେ ଯେଭଳି ଅସୁବିଧା ନହେବ ତା’ ଉପରେ ଗୁରୁତ୍ବ ଦିଆଯାଇଛି।