ନୂଆଦିଲ୍ଲୀ ୨୧।୧୧: ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ । ସ୍ବତନ୍ତ୍ର ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚିତ । ଗୁରୁବାର ଦିଲ୍ଲୀ ବିଜ୍ଞାନ ଭବନରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଡକ୍ଟର ହରେକୃଷ୍ଣ ମହତାବଙ୍କ ସମ୍ମାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକ ସ୍ବତନ୍ତ୍ର ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କରାଯାଇଛି । ଏହା ସହିତ ଓଡ଼ିଆରେ ମୋନୋଗ୍ରାଫ୍, ଗାଁ ମଜଲିସର ଇଂରାଜୀ ଅନୁବାଦ ଏବଂ ଗାଁ ମଜଲିସର ହିନ୍ଦୀ ଅନୁବାଦ ମଧ୍ୟ ଉନ୍ମୋଚନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତ୍, ସାଂସଦ ଭର୍ତ୍ତୃହରି ମହତାବ ପ୍ରମୁଖ ଉପସ୍ଥିତ ରହି ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ସ୍ମୃତିଚାରଣ କରିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଯେ, ହରେକୃଷ୍ଣ ମହତାବ ଜଣେ ପ୍ରେରଣାଦାୟକ ନେତା ଥିଲେ । ଭାରତର ସ୍ବାଧୀନତା ସଂଗ୍ରାମରେ ଯୋଗଦେଇ ସେ କାରବରଣ କରିଥିଲେ । ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଡାକରାରେ ଲବଣ ସତ୍ୟାଗ୍ରହରେ ଯୋଗଦେଇଥିଲେ । ୧୯୪୨ ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦେଇ ଅହମଦନଗର ଜିଲ୍ଲା ଜେଲରେ କାରାବରଣ କରିଥିଲେ ହରେକୃଷ୍ଣ ମହତାବ ।
ଡକ୍ଟର ହରେକୃଷ୍ଣ ମହତାବଙ୍କ ସ୍ମୃତି ଚାରଣ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ ଯେ, ଡକ୍ଟର ହରେକୃଷ୍ଣ ମହତାବ ଓଡ଼ିଶାର ସର୍ଦ୍ଦାର ପଟେଲ ଥିଲେ । ମହାନ୍ ରାଷ୍ଟ୍ରନେତା, ସ୍ବାଧୀନତା ସଂଗ୍ରାମୀ ଭାବେ ତାଙ୍କର ଅବଦାନ ଅତୁଳନୀୟ । ୧୯୩୮ରେ କଂଗ୍ରେସ କାର୍ଯ୍ୟକାରୀ କମିଟିକୁ ମନୋନୀତ ହୋଇଥିଲେ ମହତାବ । ୧୯୭୫ ଜରୁରୀକାଳୀନ ପରିସ୍ଥିତି ବେଳେ ତାଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା । ଇନ୍ଦିରା ଗାନ୍ଧୀଙ୍କ ଶାସନରେ ଅତିଷ୍ଠ ହୋଇ କଂଗ୍ରେସ ସହ ସମ୍ପର୍କ ଛିନ୍ନ କରିଥିଲେ ମହତାବ । ହୀରାକୁଦ ଡ୍ୟାମ୍ ଏବଂ ଓଡ଼ିଶା ଭାଷା ପ୍ରତି ତାଙ୍କର ଅବଦାନକୁ କେବେ ଭୁଲି ହେବ ନାହିଁ । ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରତିଷ୍ଠା କରି ସାମ୍ବାଦିକତା ବି ସୃଷ୍ଟି କରିଥିଲେ ଡକ୍ଟର ହରେକୃଷ୍ଣ ମହତାବ ।
ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀକୁ ଭବ୍ୟ ସମାରୋହ ଭାବେ ପାଳନ କରିବା ପାଇଁ କମିଟି ଗଠନ କରିଥିବାରୁ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ଓଡ଼ିଆ ଅସ୍ମିତାର ଜୀବନ୍ତ ଷ୍ଟେଟ୍ସମ୍ୟାନ ଡକ୍ଟର ହରେକୃଷ୍ଣ ମହତାବ । ତାଙ୍କ ଦ୍ବାରା ଲିଖିତ ଇତିହାସ ଭବିଷ୍ୟତର ଆଇନା ଭାବେ କାମ କରୁଛି । ଗଡ଼ଜାତ ରାଜ୍ୟ ମିଶ୍ରଣ, ହୀରାକୁଦ ନିର୍ମାଣ, ଓଡ଼ିଶାର ରାଜଧାନୀ ଭୁବନେଶ୍ବର ଗଠନରେ ମହତାବଙ୍କ ଭୂମିକା ଅତୁଳନୀୟ । ମହତାବ ଜଣେ ବ୍ୟକ୍ତି ନଥିଲେ, ଥିଲେ ଜଣେ ଚରିତ୍ର, ବଚାରଧାରା, ସଂସ୍କୃତି ଓ ଆଇଡିଆ ବୋଲି କହିଥିଲେ ଧର୍ମେନ୍ଦ୍ର ପ୍ରଧାନ।
ଏହି ଅବସରରେ ଲଳିତ କଳା ଏକାଡେମୀ ଦ୍ବାରା ଉତ୍କଳ କେଶରୀ ମହତାବଙ୍କ ଜୀବନୀ ଉପରେ ଆୟୋଜିତ ଏକ ଚିତ୍ରକଳା ପ୍ରଦର୍ଶନୀ ଓ ମହତାବଙ୍କ ଜୀବନୀ ଏବଂ ସେ ଲେଖିଥିବା ବହିକୁ ମଧ୍ୟ NBT ଦ୍ବାରା ପ୍ରଦର୍ଶନୀକୁ ବୁଲି ଦେଖିଥିଲେ ରାଷ୍ଟ୍ରପତି ଦ୍ରୌପତୀ ମୁର୍ମୁ । ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆଜିଠୁ ଏକବର୍ଷ ପର୍ଯ୍ୟନ୍ତ ମହତାବଙ୍କ ଜନ୍ମ ବାର୍ଷିକୀ ପାଳନ କରାଯିବ ବୋଲି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
You Can Read:
୭ ଦିନ ପାଇଁ ରେଷ୍ଟୁରାଣ୍ଟ ସିଲ୍, ଖାଦ୍ୟ ପ୍ରସ୍ତୁତ ହେଉଥିବା ରୋଷେଇ ଘରର ନଥିଲା ସ୍ୱଚ୍ଛତା ସହ ପରିଚ୍ଛନ୍ନତା