ନୂଆଦିଲ୍ଲୀ ୨୧।୧୧: ଶକ୍ତିମାନ, ବ୍ୟୋମକେଶ ବକ୍ସି ଓ ମହାଭାରତର ପୁରୁଣା ଦିନ ପୁଣି ଫେରିବ। ଏବେ ଦୂରଦର୍ଶନ ଓଟିଟିରେ ପାଦ ଥାପିଛି। ଭାରତର ସରକାରୀ ପ୍ରସାରଣକାରୀ ପ୍ରସାର ଭାରତୀ ତାଙ୍କର ଓଟିଟି ଆପ୍ ‘ୱେଭସ୍’ ଲଞ୍ଚ କରିଛନ୍ତି। ଏବେ ଆପରେ ୟୁଜର ଦୂରଦର୍ଶନ ଓ ଆକାଶବାଣୀର ସବୁ ପୁରୁଣା ଓ ବଡ଼ ସୋ ଦେଖି ପାରିବେ। ୱେଭସ୍ ନାମକ ଏହି ଓଟିଟି ସେବାର ଉଦ୍ଦେଶ୍ୟ ସାରା ଦେଶର ଦର୍ଶକଙ୍କୁ ଫିଲ୍ମ, ଟିଭି ସିରିଜ, ଲାଇଭ ଇଭେଣ୍ଟ, ଅଡିଓ, ଗେମ ଓ ସଚିତ୍ର ଇ-ବୁକ୍ସ ସହିତ ବ୍ୟାପକ ଶ୍ରେଣୀର ସାମଗ୍ରୀ ଉପଲବ୍ଧ କରିବା।
୧୯୮୭ ମସିହାରେ ରିଲିଜ ହୋଇଥିବା ରାମାୟଣରୁ ଆରମ୍ଭ କରି ଶାହରୁଖ ଖାନଙ୍କ ଫୌଜୀ ଭଳି ଅନେକ ଦୂରଦର୍ଶନ କ୍ଲାସିକ ଲୋକଙ୍କ ପାଇଁ ସବୁଦିନିଆ ମନୋରଞ୍ଜନ ହୋଇ ରହିବ। ଏହି ସବୁ ସୋ ଏବେ ଓଟିଟି ଆପ୍ ‘ୱେଭସ୍’ରେ ଉପଲବ୍ଧ, ଯାହାକୁ ଏଣ୍ଡ୍ରଏଡ ଓ ଆଇଓଏସ୍ ମୋବାଇଲରେ ଡାଉନଲୋଡ କରାଯାଇ ପାରିବ। ଏଣ୍ଡ୍ରଏଡ ୟୁଜର ଏହି ଆପକୁ ଗୁଗଲ ପ୍ଲେ ଷ୍ଟୋର ଓ ଆଇଓଏସ୍ ଡିଭାଇସ ପାଇଁ ଆପଲ ପ୍ଲେଷ୍ଟୋରରୁ ଡାଉନଲୋଡ କରି ପାରିବେ।
ପଣାଜୀରେ ଭାରତୀୟ ଅନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବ ଅବସରକୁ ସମ୍ବୋଧିତ କରି ପ୍ରସାର ଭାରତୀର ଅଧ୍ୟକ୍ଷ ନବନୀତ ସହଗଲ କହିଛନ୍ତି ଯେ ଓଟିଟିରେ ସ୍ୱଚ୍ଛ, ପରିବାର ଅନୁକୁଳ ମନୋରଞ୍ଜନ ପ୍ରଦାନ କରିବା ନିମନ୍ତେ ଏହି ଉଦ୍ୟମ କରାଯାଇଛି। ସହଗଲ କହିଛନ୍ତି ଯେ ପ୍ରସାର ଭାରତୀର ସବୁ ଅଭିଲେଖାଗାର ଉପଲବ୍ଧ ଅଛି। ଆପଣ ଆପଣଙ୍କ ପସନ୍ଦର ସୋ ଦେଖି ନିଜର ପିଲାଦିନକୁ ପୁଣି ଅନୁଭବ କରିପାରିବେ। ଲୋକେ ଦୂରଦର୍ଶନ ଓ ଆକାଶବାଣୀର ସମସ୍ତ ସୋ ଷ୍ଟ୍ରିମ କରିବା ପାଇଁ ୱେଭ ଓଟିଟି ମୋବାଇଲ ଆପ୍ ଡାଉନଲୋଡ ଓ ଇନଷ୍ଟଲ କରିପାରିବେ। ଏହି ଆପ ପାଖାପାଖି ୪୦ଟି ଲାଇଭ ଚ୍ୟାନେଲ ପ୍ରଦାନ କରୁଛି।